ରାଉରକେଲା, ୨୭ା୯ (ଇମିସ): ଆସନ୍ତାବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ ମଙ୍ଗଳବାର ସୂଚୀ ପ୍ରକାଶ କରାଯାଇଛି। ଗତ ୨୦୧୮ ହକି ବିଶ୍ବକପ୍ କେବଳ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବେଳେ ଏଥର ରାଉରକେଲାସ୍ଥ ନବ ନିର୍ମିତ ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ମଧ୍ୟ ଯୋଡ଼ି ହୋଇଯାଇଛି। ଏହି ବିଶ୍ବକପ୍ର ମୋଟ୍ ୪୪ ମ୍ୟାଚ୍ରୁ ୨୪ଟି କଳିଙ୍ଗ ଷ୍ଟାଡିୟମରେ ଏବଂ ୨୦ଟି ରାଉରକେଲାରେ ଖେଳାଯିବ। ସମସ୍ତ ୧୬ ଦଳ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବୀର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳିବେ। ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଦୁଇଟି ଲେଖାଏଁ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ ଓ ବୀର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
/sambad/media/post_attachments/wp-content/uploads/2022/09/sf54h65h4sf654h654h65fhfhfh.jpg)
ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିରେ ୨୦୧୬ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ଭେଟିବ ଆଫ୍ରିକା ମହାଦେଶର ୧ ନମ୍ବର ଦଳ ଦକ୍ଷିଣ ଆଫ୍ରିକା। ତେବେ ପୁଲ୍ ଡି’ରେ ଥିବା ବିଶ୍ବ ମାନ୍ୟତାର ପଞ୍ଚମ ଭାରତ ୩ଟି ପୁଲ୍ ପର୍ଯ୍ୟାୟ ମ୍ୟାଚ୍ ସ୍ପେନ୍, ଇଂଲଣ୍ଡ୍ ଓ ୱେଲ୍ସ ବିପକ୍ଷରେ ଖେଳିବ। ଜାନୁଆରି ୧୩ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ବିଶ୍ବ ମାନ୍ୟତାର ଅଷ୍ଟମ ସ୍ପେନ୍କୁ ଭେଟିବ। ଭାରତୀୟ ଦଳ ପରବର୍ତ୍ତୀ ଦୁଇ ମ୍ୟାଚ୍ ଜାନୁଆରୀ ୧୫ରେ ଇଂଲଣ୍ଡ ଓ ୧୯ରେ ୱେଲ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ଦଳର ପୁଲ୍ ପର୍ଯ୍ୟାୟ ସ୍ପେନ୍ ଓ ଇଂଲଣ୍ଡ୍ ବିପକ୍ଷ ପୁଲ୍ ପର୍ଯ୍ୟାୟ ମ୍ୟାଚ୍ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ୱେଲ୍ସ ବିପକ୍ଷ ଶେଷ ପୁଲ୍ ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସମସ୍ତ କ୍ରସ୍ଓଭର୍ ମ୍ୟାଚ୍ ସମେତ କ୍ବାର୍ଟର ଫାଇନାଲ, ସେମିଫାଇନାଲ, ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍ ଓ ଫାଇନାଲ ମ୍ୟାଚ୍ ଭୁବନେଶ୍ବରରେ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f46sf54h65sf4h65sf465h.jpg)