୨୦୨୪ରୁ ୨୦୩୧ ମଧ୍ୟରେ ତିନିଟି ଆଇସିସି ପ୍ରତିଯୋଗିତା ଆୟୋଜନ କରିବ ଭାରତ

ଅଷ୍ଟ୍ରେଲିଆର ୭ ସହରରେ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଦୁବାଇ: ଆଇସିସିର ଫ୍ୟୁଚର ଟୁର୍‌ସ୍‌ ପ୍ରୋଗ୍ରାମ୍‌ ଅନ୍ତର୍ଗତ ପରବର୍ତୀ ୮ ବର୍ଷ ମଧ୍ୟରେ ଭାରତ ତିନିଟି ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବ। ଗତ ସପ୍ତାହେ ଧରି ସବୁଠୁ ଶକ୍ତିଶାଳୀ ବୋର୍ଡ ବିସିସିଆଇ ସହ ସଂପର୍କରେ ରହିଥିବା ଆଇସିସି ବୋର୍ଡ ମଙ୍ଗଳବାର ଏକ ବୈଠକ ଅବସରରେ ଭାରତକୁ ୨୦୨୪ରୁ ୨୦୩୧ ବର୍ଷ ମଧ୍ୟରେ ତିନିଟି ଆଇସିସି ପୁରୁଷ ପ୍ରତିଯୋଗିତାର ଆୟୋଜନ ଅଧିକାର ପ୍ରଦାନ କରିଛି। ଫଳରେ ବିସିସିଆଇ ୨୦୨୬ ଟି-୨୦ ବିଶ୍ବକପ୍‌ (ଶ୍ରୀଲଙ୍କା ସହ ମିଶି), ୨୦୨୯ ଚାମ୍ପିଅନ୍‌ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ବକପ୍‌ (ବାଂଲାଦେଶ ସହ ମିଶି) ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ଏହି ୮ ବର୍ଷ ବ୍ୟବଧାନ ମଧ୍ୟରେ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୨୦୨୫ ଚାମ୍ପିଅନ୍‌ସ ଟ୍ରଫି ଆୟୋଜନ ଅଧିକାର ମିଳିଛି। ପିସିବିର ନୂଆ ଅଧ୍ୟକ୍ଷ ରମିଜ ରାଜାଙ୍କ କାର୍ଯ୍ୟକାଳ ମଧ୍ୟରେ ଏବଂ ପାକିସ୍ତାନରେ ୧୯୯୮ ପରେ ଏହା ହେବ ପ୍ରଥମ ଆଇସିସି ପ୍ରତିଯୋଗିତା।

୨୦୨୬ ଟି-୨୦ ବିଶ୍ବକପ୍‌
୨୦୨୯ ଚାମ୍ପିଅନ୍‌ସ ଟ୍ରଫି
୨୦୩୧ ଦିନିକିଆ ବିଶ୍ବକପ୍‌

୨୦୨୭ ଦିନିକିଆ ବିଶ୍ବକପ୍‌ ଦକ୍ଷିଣ ଆଫ୍ରିକା-ଜିମ୍ବାୱେ-ନାମିବ୍ୟା ଏବଂ ୨୦୨୮ ଟି-୨୦ ବିଶ୍ବକପ୍‌ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଆୟୋଜକ କରିବେ। ଏହିସବୁ ଦେଶକୁ ମିଳିଥିବା ଆୟୋଜନ ଅଧିକାର ମଙ୍ଗଳବାର ମାର୍ଟିନ୍‌ ସ୍ନିଡେନ୍‌, ସୌରଭ ଗାଙ୍ଗୁଲି ଏବଂ ରିକି ସ୍କେରିଟ୍‌ଙ୍କୁ ନେଇ ଗଠିତ ଆଇସିସି ବୋର୍ଡର ଏକ ସବ୍‌କମିଟି ଦ୍ବାରା ସ୍ଥିର କରାଯାଇଛି ବୋଲି ଆଇସିସି ପକ୍ଷରୁ ବିବୃତ୍ତି ରଖାଯାଇଛି। କମିଟିର ଏହି ସବୁ ସୁପାରିସକୁ ମଧ୍ୟ ଆଇସିସି ବୋର୍ଡ ଗ୍ରହଣ କରିନେଇଛି। ଏବେ ଆୟୋଜନ ଅଧିକାର ପାଇଥିବା ଦେଶ ତଥା ବୋର୍ଡଗୁଡ଼ିକ କିପରି ସୁଚାରୁରୂପେ ପ୍ରତିଯୋଗିତା ପରିଚାଳନା କରିବେ ତାହା ଉପରେ ଆଇସିସି କାର୍ଯ୍ୟ କରିବ। ଏଠାରେ ସୂଚନାଯୋଗ୍ୟ, ଏହି ୮ ବର୍ଷ ମଧ୍ୟରେ ୮ ଆଇସିସି ପୁରୁଷ ଧଳାବଲ୍‌ ପ୍ରତିଯୋଗିତା ଆୟୋଜନ କରିବାକୁ ୧୭ ସଦସ୍ୟ ରାଷ୍ଟ୍ର ମୋଟ ୨୮ ପ୍ରସ୍ତାବ ଦାଖଲ କରିଥିଲେ।

ଅଷ୍ଟ୍ରେଲିଆର ୭ ସହରରେ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ୭ଟି ସହରରେ ୨୦୨୨ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି। ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଏହା ନଭେମ୍ବର ୧୩ ତାରିଖରେ ଶେଷ‌ ହେବ। ମେଲବର୍ଣ୍ଣରେ ଫାଇନାଲ୍ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବ। ପ୍ରତିଯୋଗିତାର ସମସ୍ତ ୪୫ ମ୍ୟାଚ୍‌ ଆଡିଲେଡ୍‌, ବ୍ରିସବେନ୍‌, ଗିଲଙ୍ଗ, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ ଏବଂ ସିଡନିରେ ଖେଳାଯିବ। ନଭେମ୍ବର ୯ରେ ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ପ୍ରଥମ ସେମିଫାଇାଲ୍ ଏବଂ ନଭେମ୍ବର ୧୦ରେ ଆଡିଲେଡ୍‌ ଓଭାଲ୍‌ରେ ଦ୍ବିତୀୟ ସେମିଫାଇନାଲ୍‌ ‌ଖେଳାଯିବ। ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନୂଆ ବିଜେତା ହୋଇଥିବା ଅଷ୍ଟ୍ରେଲିଆ ସହିତ ଉପବିଜେତା ନ୍ୟୁଜିଲାଣ୍ଡ୍‌, ଭାରତ, ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସୁପର୍‌-୧୨ରେ ସିଧାସଳଖ ଖେଳିବେ। ୨ ଥର ବିଜେତା ୱେଷ୍ଟଇଣ୍ଡିଜ୍, ୨୦୧୪ ବିଜେତା ଶ୍ରୀଲଙ୍କା ସହିତ ନାମିବ୍ୟା ଓ ସ୍କଟଲାଣ୍ଡ୍‌ ପ୍ରଥମ ରାଉଣ୍ଡରେ ଅନ୍ୟ ୪ ଦଳ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ୪ ଦଳ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବେ। ଏହି ବିଶ୍ବକପ୍‌ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିଲେ ମଧ୍ୟ କୋଭିଡ୍‌ ମହାମାରୀ କାରଣରୁ ୨୦୨୨କୁ ଘୁଞ୍ଚିଥିଲା। ୨୦୨୧ ଆୟୋଜକ ଭାରତ କିନ୍ତୁ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ବିଶ୍ବକପ୍‌କୁ ୟୁଏଇ ସ୍ଥାନାନ୍ତର କରି ସଫଳ କରାଇପାରିଛି।

 

ସମ୍ବନ୍ଧିତ ଖବର