ଭୁବନେଶ୍ୱରରେ ହୋଇପାରେ ଅଲିମ୍ପିକ : ଆଇଓଏ ସଭାପତି ନରୀନ୍ଦ୍ର ବାତ୍ରା

ନୂଆଦିଲ୍ଲୀ: ଓଡ଼ିଶାରେ ହେବ କି ୨୦୩୨ ମସିହାର ଅଲିମ୍ପିକ | ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ କିଛି ଏଭଳି ଚର୍ଚ୍ଚାର ଖୋରାକ ସୃଷ୍ଟି ହୋଇଛି | ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି | ୨୦୧୮ ମସିହାରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଓଡିଶା ଏବେ ପ୍ରମୁଖ ପସନ୍ଦ ପାଲଟିଛି | ୨୦୧୮ ମସିହା ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ସଫଳତାର ସହ ହକି ମହାକୁମ୍ଭ ଆୟୋଜନ ହୋଇଥିଲା |

ଏଥିପାଇଁ ୨୦୨୦ ଟୋକିଓ ଅଲିମ୍ପିକ ଓ ୨୦୨୪,୨୦୨୮ ଅଲିମ୍ପିକ ଗୁରୁତ୍ୱ ରଖୁଛି ବୋଲି ବାତ୍ରା କହିଛନ୍ତି | ବାତ୍ରାଙ୍କ ମତରେ ଭାରତ ଯଦି ୨୦୨୦ ସହ ୨୦୨୪ ୦ ୨୦୨୮ରେ ଦୁଇ ଅଙ୍କ ବିଶିଷ୍ଟ ମେଡାଲ ଜିତିବ ତାହେଲେ ବିଡ ପ୍ରକ୍ରିୟାରେ ଭାଗ ନେଇପାରିବ | ୨୦୨୪ରେ ଅତିକମରେ ୨୫ଟି ମେଡାଲ ଓ ୨୦୨୮ରେ ୩୫-୪୦ ମେଡାଲ ଜିତିବାର ଆଵଶ୍ୟକତା ରହିଛି | ନଚେତ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ୨୦୩୨ ପାଇଁ ହେବାକୁ ଥିବା ଅଲିମ୍ପିକ କ୍ରୀଡା ପାଇଁ ବିଡରେ ଭାଗ ନେବାକୁ ବି ସୁଯୋଗ ଦେବ ନାହିଁ |

ଏହି ଅବସରରେ ବାତ୍ରା ସୂଚନା ଦେଇଛନ୍ତି ଯେ ୨୦୨୫ ମସିହାରେ ନିଷ୍ପତ୍ତି ନିଆଯିବ ଯେ ୨୦୩୨ରେ ଅଲିମ୍ପିକ କ୍ରୀଡା କେଉଁଠି ହେବ | ମୁମ୍ବାଇ,ଦିଲ୍ଲୀ ପରେ ଭୁବନେଶ୍ୱର ପ୍ରଥମ ପସନ୍ଦ ରହିଛି | ତିନିଟି ସହରକୁ ଭାରତୀୟ ଅଲିମ୍ପିକ କମିଟି ଚୟନ କରିଛି | ବାତ୍ରା କହିଛନ୍ତି ଯେ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାର ଅଭିଜ୍ଞତା ଥିବା ସହ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସ୍ଥାନକୁ ପ୍ରାଥମିକତା ଦିଆଯାଇଛି |

ସମ୍ବନ୍ଧିତ ଖବର