କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୩ର ୯ମ ମ୍ୟାଚରେ ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେ‌ଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇଡେନ ଗାର୍ଡେନରେ ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶାର୍ଦ୍ଦୁଲ ଠାକୁର ଓ ରହମାନୁଲ୍ଲା ଗୁରବାଜ୍‌ଙ୍କ ଅର୍ଦ୍ଧଶତକ ରନ୍‌ ବଳରେ କୋଲକାତା ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୦୪ ରନ୍‌ କରିଛି। ଫଳରେ ବାଙ୍ଗାଲୋରକୁ ୨୦୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Advertisment

ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିବା କୋଲକାତାକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲେ ଗୁରବାଜ, ରିଙ୍କୁ ସିଂହ ଓ ଶାର୍ଦ୍ଦୁଳ। ଗୁରବାଜ ୪୪ଟି ବଲ୍‌ ସାମ୍ନା କରି ୬ଟି ଚୌକା ଓ ୩ଟି ଛକା ବଳରେ ୫୭ ରନ୍‌ ସଂଗ୍ରହ କରିଥିଲେ। ରିଙ୍କୁ ସିଂହଙ୍କ ବ୍ୟାଟରୁ ୪୬ ରନ୍‌ ସଂଗୃହିତ ହୋଇଥିଲା। ସେ ୩୩ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଶାର୍ଦ୍ଦୁଳ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୯ଟି ବଲ୍‌ ଖେଳି ୯ଟି ଚୌକା ଓ ୩ଟି ଛକା ସହାୟତାରେ ନିଜସ୍ବ ବଳରେ ୬୮ ରନ୍‌ ଯୋଡ଼ିଥିଲେ।

କୋଲକାତାର ପାଳି ଆରମ୍ଭ କରିଥିଲେ ଗୁରବାଜ୍‌ ଓ ଭେଙ୍କଟେସ୍‌ ଆୟର। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୬ ରନ୍‌ ଯୋଡ଼ିଥିଲେ। ଆୟର ବ୍ୟକ୍ତିଗତ ଭାବେ ମାତ୍ର ୩ ରନ୍‌ ସଂଗହ କରି ପାଭଲିଅନ୍‌ ଫେରିଯାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମନଦୀପ ସିଂହ ଗୋଟିଏ ବଲ୍‌ ଖେଳି ବିନା ରନ୍‌ରେ ଓ ନୀତିଶ ରାଣା ୧ ରନ୍‌ କରି ବୋଲ୍ଡ ହୋଇଥିଲେ। କୋଲକାତା ୪୭ ରନ୍‌ରେ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା। ତେବେ ୪ର୍ଥ ୱିକେଟ୍‌ରେ ଗୁରବାଜଙ୍କୁ ରିଙ୍କୁ ସିଂହ ଭଲ ସହଯୋଗ କରି ୪୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ।

ବାଙ୍ଗାଲୋର ପାଇଁ ଡେଭିଡ ୱେଲି ଓ କର୍ଣ୍ଣ ଶର୍ମାଙ୍କୁ ସର୍ବାଧିକ ୨-୨ଟି ୱିକେଟ୍‌ ମିଳିଥିଲା। ସେହିପରି ମହମ୍ମଦ ସିରାଜ, ମିଚେଲ ବ୍ରାସୱେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।