ଆଇପିଏଲ୍‌: ପଂଜାବକୁ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୩ୟ ମ୍ୟାଚ୍‌ ରବିବାର ପଂଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ୍‌ ସ୍ପୋର୍ଟସ ଅକାଦମି ଠାରେ ପଂଜାବ୍‌ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଂଜାବର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ ସଂଗ୍ରହ କରିଛି। ଫଳରେ ପଂଜାବକୁ ୨୦୬ ରନ୍‌ର ଟାର୍ଗେଟ ମିଳିଛି।

ବାଙ୍ଗାଲୋର ମଜବୁତ୍‌ ରନ୍‌ ସ୍କୋର ପାଇଁ ଅଧିନାୟକ ଫାପ୍‌ ଡୁପ୍ଲେସିସ୍‌ଙ୍କ ବଡ଼ ଯୋଗଦାନ ରହିଛି। ଓପନର ଡୁପ୍ଲେସିସ୍‌ ୫୭ଟି ବଲ୍‌ ଖେଳି ୮୮ ରନ୍‌ କରିଛନ୍ତି। ଏଥିରେ ସେ ୩ଟି ଚୌକା ଓ ୭ଟି ଛକା ମାରିଛନ୍ତି। ଡୁପ୍ଲେସିସ୍‌ ସାଥୀ ଖେଳାଳି ଅନୁଜ୍‌ ରାଓ୍ଵତଙ୍କ ସହିତ ପ୍ରଥମ ଓ୍ଵିକେଟ୍‌ରେ ୫୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଅନୁଜ ୨୧ ରନ୍‌ କରିଥିବାବେଳେ ରାହୁଲ ଚହରଙ୍କ ଏକ ବୋଲରେ ବୋଲ୍‌ଡ ହୋଇଯାଇଥିଲେ। ପରେ ବିରାଟ କୋହଲିଙ୍କ ସହିତ ୧୧୮ ରନ୍‌ର ଭାଗିଦାରୀ ହୋଇ ଅର୍ସଦୀପଙ୍କ ବଲରେ ଶାହରୁଖ ଖାନ୍‌ଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଯାଇଥିଲେ ଡୁପ୍ଲେସିସ୍‌।

କୋହଲି (ଅପରାଜିତ ୪୧ ରନ୍‌) ଓ ଦିନେଶ କାର୍ତ୍ତିକ (ଅପରାଜିତ ୩୨ ରନ୍) ଓ ଏକଷ୍ଟ୍ରା ୨୩ ରନ୍‌ ବଳରେ ବାଙ୍ଗାଲୋର ୨୦୫ ରନ୍‌ରେ ପହଞ୍ଚିଥିଲା। ପଂଜାବ ପକ୍ଷରୁ ଓଡେନ୍‌ ସ୍ମିଥ ୪ ଓଭର ବୋଲିଂ କରି ସର୍ବାଧିକ ୫୩ ରନ୍‌ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର