ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୫୫ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମ୍ରେ ଦିଲ୍ଲୀର ଅଧିନାୟକ ଋଷଭ ପନ୍ତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ୍ କରିଛି। ଫଳରେ ଦିଲ୍ଲୀ ଆଗରେ ୨୦୯ ରନ୍ର ବିଜୟ ଲକ୍ଷ୍ୟ ରଖିଛି।
ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ୱାର୍ଡ ଓ ଡେଓ୍ଵନ କନ୍ୱେ। ଋତୁରାଜ ଆଉଟ୍ ହେବା ପୂର୍ବରୁ କନ୍ୱେଙ୍କ ସହିତ ପ୍ରଥମ ଓ୍ଵିକେଟ୍ ପାଇଁ ୧୧୦ ରନ୍ର ଭାଗିଦାରୀ ହୋଇପାରିଥିଲେ। ସେ ୩୩ଟି ବଲ୍ର ସମ୍ମୁଖୀନ ହୋଇ ୪୧ ରନ୍ କରିଥିଲେ। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।
ଚେନ୍ନାଇ ପାଇଁ ଡେଓ୍ଵନ୍ କନ୍ୱେ ସର୍ବାଧିକ ରନ୍ କରିଥିଲେ। ସେ ୪୯ଟି ବଲ୍ ସାମ୍ନା କରିଥିଲେ। ଏଥିରୁ ସେ ୭ ଟି ଚୌକା ଓ ୫ଟି ଛକା ବଳରେ ୮୭ ରନ୍ ସଂଗ୍ରହ କରିଥିଲେ। ଶିଭମ ଦୁବେ ୧୯ଟି ବଲ୍ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୩୨ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୧ ରନ୍ କରିଥିଲେ। ଧୋନି ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ଅନ୍ରିଜ୍ ନୋର୍ଟଜେ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ଖଲିଲ ଅହମଦ୍ ୨ଟି ଓ ମିଚେଲ୍ ମାର୍ସ ଗୋଟିଏ ଓ୍ଵିକେଟ୍ ନେଇଥିଲେ।