ପ୍ରଥମ ଟି୨୦ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ମୋହାଲି : ମୋହାଲିଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଆଗରେ  ୨୦୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮  ରନ କରିଥିଲା । ଭାରତ ଆରମ୍ଭରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଓ୍ବିକେଟ ଶସ୍ତାରେ ହରାଇବା ପରେ ସଂକଟରେ ପଡ଼ିଥିଲା । କିନ୍ତୁ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ରାହୁଲ ୫୫ ରନ ଓ ସୂର୍ଯ୍ୟକୁମାର ୪୮ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ମାତ୍ର  ୩୦ଟି ବଲରେ  ୭୧ ରନ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜଲଉଡ ୨ଟି ଓ ନାଥନ ଏଲିସ ୩ଟି ଓ୍ବିକେଟ ନେଇଥିଲେ । ସେହିପରି କ୍ୟାମେରନ ଗ୍ରୀନ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏକ ସଂକ୍ଷିପ୍ତ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଦଳ ୩ଟି ଟି-୨୦ ମ୍ୟାଚ ଖେଳିବ । ୨ୟ ଟି-୨୦ଟି ଆସନ୍ତା ୨୩ ତାରିଖରେ ନାଗପୁରଠାରେ ଓ ୩ୟ ଟି-୨୦ ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦଠାରେ ଖେଳାଯିବ । ଏହା ଏକ ସଂକ୍ଷିପ୍ତ ସିରିଜ ହୋଇଥିଲେ ବି ଆସନ୍ତା ଟି-୨୦ ବିଶ୍ବକପ ପୂର୍ବରୁ ଏହା ଉଭୟ ଦଳ ପାଇଁ ଭଲ ଅଭ୍ୟାସର ସୁଯୋଗ ପ୍ରଦାନ କରିବ ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର