ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୨ତମ ମ୍ୟାଚରେ ବିରାଟ କୋହଲି, ଜାକବ ବେଥେଲ ଓ ରୋମାରିଓ ସେଫର୍ଡଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ ୨୧୪ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟି କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ବିରାଟ କୋହଲି ଓ ଜାକବ ବେଥେଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରିଥିଲେ । କୋହଲି ୬୨ ରନ ଓ ବେଥେଲ ୫୫ ରନ କରିଥିଲେ । ଦେବଦତ୍ତ ପଡ଼ିକଲ ୧୭ କରିଥିବାବେଳେ ରଜତ ପଟିଦାର ୧୧ ରନ କରିଥିଲେ । ତେବେ ଆରସିବି ପାଇଁ ସବୁଠାରୁ ବିସ୍ଫୋରକ ଇନିଂସ ଖେଳିଥିଲେ ରୋମାରିଓ ସେଫାର୍ଡ । ସେ ମାତ୍ର ୧୪ଟି ବଲରେ ୬ ଛକା ଓ ୪ ଚୌକା ସହ ୫୩ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମହିଶ ପଥିରଣା ୩ଟି ଓ୍ବିକେଟ ନେଇଥିବାବେଳେ ସାମ କୁରାନ ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।