ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୧ତମ ମ୍ୟାଚରେ ମୁମ୍ବାଇ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।
ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୧୪ ରନ କରିଥିଲା । ଦଳ ପକ୍ଷରୁ ସାମ କୁରାନ ୫୫ରନ କରିଥିବାବେଳେ ହରପ୍ରିତ ସିଂ ଭାଟିଆ ୪୧ରନ କରିଥିଲେ । ସେହିପରି ପ୍ରଭସିମରନ ସିଂ ୨୬ରନ ଓ ଅଥର୍ବ ଟାଇଡ୍ ୨୯ରନ କରିଥିଲେ । ଶେଷ ଓଭର ଜିତେଶ ଶର୍ମା ମାତ୍ର ୭ଟି ବଲରୁ ୪ଟି ଛକା ସହାୟତାରେ ୨୫ରନ କରି ଦଳୀୟ ସ୍କୋରକୁ ୨୦୦ ଟପାଇବାରେ ସହାୟକ ହୋଇଥିଲେ ।
ମୁମ୍ବାଇ ପକ୍ଷରୁ କାମରୁନ ଗ୍ରୀନ ଓ ପିୟୁଷ ଚାଓ୍ବଲା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡ୍ରଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌକୁ ୭ ରନରେ ହରାଇଦେଇଥିଲା ଗୁଜରାଟ ।