ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସଂସ୍କରଣର ୫୨ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ଜୋସ୍‌ ବଟଲର ଓ ଅଧିନାୟକ ସଂଜୁ ସାମସନ୍‌ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ହରାଇ ୨୧୪ ରନ୍‌ ସଂଗ୍ରହ କରିଛି। ଫଳରେ ହାଇଦ୍ରାବାଦ୍‌କୁ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Advertisment

ରାଜସ୍ଥାନ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଜୋସ୍‌ ବଟଲର ପାଳି ଆରମ୍ଭ କରିଥିଲେ। ବଟଲର ଦ୍ବିତୀୟ ୱିକେଟ୍‌ରେ ସଂଜୁ ସାମସନ୍‌ଙ୍କ ସହିତ ୧୩୮ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଭୁବନେଶ୍ବର କୁମାରଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇ ପାଭଲିଅନ ଫେରିଯିବା ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ୯୫ ରନ୍‌ କରିଥିଲେ। ସେ ୫୯ଟି ବଲ୍‌ ଖେଳି ୧୦ଟି ଚୌକା ଓ ୪ଟି ଛକା ମାରିଥିଲେ।

ଏହା ପୂର୍ବରୁ ଯଶସ୍ବୀଙ୍କ ସହିତ ବଟଲର ପ୍ରଥମ ୱିକେଟ୍‌ ପାଇଁ ୫୪ ରନ୍‌ର ଭାଗିଦାରୀ ହୋଇଥିଲେ। ଯଶସ୍ବୀ ୧୮ଟି ବଲ୍‌ ଖେଳି ୩୫ ରନ୍‌ କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମାରିବା ପରେ ମାର୍କୋ ଜସେନ୍‌ଙ୍କ ଦ୍ବାରା ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ।

ସଂଜୁ ସାମ୍‌ସନ୍‌ ୩୮ଟି ବଲ୍‌ ଖେଳି ଅପରାଜିତ ୬୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ୫ଟି ଛକା ସାମିଲ କରିଥିଲେ। ଅପରାଜିତ ଥିବା ସିମରନ୍‌ ହେଟମେୟରଙ୍କ ବ୍ୟାଟରୁ ୭ ରନ୍‌ ଅମଳ ହୋଇଥିଲା।