ନୂଆଦିଲ୍ଲୀ: ଆସନ୍ତା ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ରେ ମ୍ୟାଚ୍‌ ସିଧାପ୍ରସାରଣରୁ ୨,୦୦୦ରୁ ୨,୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ହେବା ଆକଳନ କରାଯାଇଛି। ଗତ ୨୦୧୯ ବିଶ୍ବକପ୍‌ରେ ୧୩୫୦ କୋଟି ଟଙ୍କା ଆୟ ହୋଇଥିଲା ବେଳେ ଏଥର ପାଖାପାଖି ୫୦ ପ୍ରତିଶତ ଅଧିକ ଆୟ ହେବାକୁ ଯାଉଥିବା ଇଲାରା କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି। ଏହି ସଂସ୍ଥା ଡିଜିଲାଲ୍‌ ଆୟ ଦ୍ବିଗୁଣା ହେବା ନେଇ ଆକଳନ କରିଛି। କାରଣ ଗତ ବିଶ୍ବକପ୍‌ ସଂସ୍କରଣରେ ୪୫୦ କୋଟି ଟଙ୍କା ଆୟ ହୋଇଥିଲା ବେଳେ ଚଳିତ ସଂସ୍କରଣରେ ଏହା ଦ୍ବିଗୁଣାରୁ ବି ଅଧିକ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଡିଜିଟାଲ ଆୟ ୯୫୦ କୋଟି ଟଙ୍କା ଆକଳନ ହୋଇଥିଲା ବେଳେ ଟେଲିଭିଜନ୍‌ରୁ ଗତ ସଂସ୍କରଣର ୯୦୦ କୋଟି ଟଙ୍କା ତୁଳନାରେ ଏଥର ୧୧୫୦କୋଟି ଟଙ୍କା ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି।

Advertisment

ଆଇସିସିର ଟେଲିଭିଜନ୍‌ ଓ ଡିଜିଟାଲ୍‌ ମିଡିଆ ଅଧିକାର ଡିଜ୍‌ନି ଷ୍ଟାର୍‌ ପାଖରେ ରହିଛି। ଏଥର ବିଶ୍ବକପ୍‌ରେ ଡିଜନି+ହଟ୍‌ଷ୍ଟାର ଆପ୍‌ରେ ସମସ୍ତ ମ୍ୟାଚ୍‌ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଆଇପିଏଲ୍‌ ସମୟରେ ଜିଓ ସିନେମା ଯେଉଁଭଳି ଭାବେ ଡିଜିଟାଲ୍‌ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା, ସେହିଭଳି ଯୋଜନା ଡିଜ୍‌ନି+ହଟ୍‌ଷ୍ଟାର୍‌ ବିଶ୍ବକପ୍‌ ବେଳେ ଆପଣାଇବାକୁ ନିଷ୍ପତ୍ତି ହୋଇଥିବା ଇଲାରା କ୍ୟାପିଟାଲ୍ସର ବରିଷ୍ଠ ଉପସଭାପତି କରଣ ତୌରାନି ପ୍ରକାଶ କରିଛନ୍ତି। ଏପରିକି ଚଳିତ ବର୍ଷ ଡିଜିଟାଲ ଆୟ ରେକର୍ଡ ଭାଙ୍ଗିପାରେ ବୋଲି ସେ କହିଛନ୍ତି। ଆପ୍‌ରେ ମାଗଣା ଖେଳ ଦେଖିବାର ସୁବିଧା ଦିଆଯିବା ସହିତ ଷ୍ଟାର୍‌ ନେଟୱର୍କର ସମସ୍ତ ଟିଭି ଚ୍ୟାନେଲ୍‌ଗୁଡ଼ିକରେ ବିଶ୍ବକପ୍‌ ଦେଖିବାକୁ ସୁଯୋଗ ରହିବ। ମ୍ୟାଚ୍‌ଗୁଡ଼ିକ ସକାଳ ସାଢ଼େ ୧୦ଟା ଏବଂ ଅପରାହ୍ନ ୨ଟାରେ ଆରମ୍ଭ ହେବ। ତେଣୁ ଦର୍ଶକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ସମୟ ନିର୍ଘଣ୍ଟ କରାଯାଇଥିବାରୁ ଅଧିକ ଦର୍ଶକଙ୍କୁ ମ୍ୟାଚ୍‌ ସମୟରେ ଯୋଡ଼ାଯାଇପାରିବ। ଦିଆଯାଇଥିବା ଏକ ତଥ୍ୟ ଅନୁଯାୟୀ, ଟେଲିଭିଜନ୍‌ ବିଜ୍ଞ‌ାପନରେ ଗତ ସଂସ୍କରଣ ତୁଳନାରେ ସିଏଜିଆର୍‌ (କମ୍ପାଉଣ୍ଡ ଆନୁଆଲ୍‌ ଗ୍ରୋଥ ରେଟ୍‌) ୬ ପ୍ରତିଶତ ରହୁଥିଲା ବେଳେ ଡିଜିଟାଲ୍‌ ମାଧ୍ୟମରେ ଏହି ସଂଖ୍ୟା ୨୧ ପ୍ରତିଶତରେ ପହଞ୍ଚିବା ସମ୍ଭାବନା ରହିଥିବା କରଣ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ୧୨ ବର୍ଷ ପରେ ବିଶ୍ବକପ୍‌କୁ ଏକକ ଭାବେ ଆୟୋଜନ କରୁଛି। ୧୯୮୭ରେ ପାକିସ୍ତାନ, ୧୯୯୬ରେ ପାକିସ୍ତାନ ଓ ଶ୍ରୀଲଙ୍କା, ୨୦୧୧ରେ ଶ୍ରୀଲଙ୍କା ଓ ବାଂଲାଦେଶ ସହିତ ଭାରତ ବିଶ୍ବକପ୍‌ ଆୟୋଜନ କରିଥି‌ଲା। ଚଳିତ ସଂସ୍କରଣରେ ଅହମଦାବାଦରେ ଉଦ୍‌ଘାଟନୀ ଓ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।