ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ଚେନ୍ନାଇ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୨୨୩ ରନ୍ କରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍ ବିଜୟ ହାସଲ କରିବା ପାଇଁ ୨୨୪ ରନ୍ ଦରକାର ଅଛି।
ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାଡ ଓ ଡେୱନ କନ୍ୱେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୪୧ ରନ୍ର ଭାଗିଦାରୀ କରିଥିଲେ। ଋତୁରାଜ ୫୦ଟି ବଲ୍ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍ କରିଥିଲେ। ଋତୁରାଜ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପରେ ଶିଭମ ଦୁବେ (୨୨ ରନ୍) ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ। ଆଉଟ୍ ହେବା ପୂର୍ବରୁ ସେ କନୱେଙ୍କ ସହିତ ୫୪ ରନ୍ର ଭାଗିଦାରୀ ହୋଇଥିଲେ।
/sambad/media/post_attachments/wp-content/uploads/2023/05/csk୧-1024x683.jpg)
ଚେନ୍ନାଇ ପାଇଁ କନୱେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍ ଖେଳି ୧୧ଟି ଚୌକା ଓ ୩ଟି ଛକା ବଳରେ ୮୭ ରନ୍ ସଂଗ୍ରହ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫ ରନ୍ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୨୦ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀ ପକ୍ଷରୁ ଖଲିଲ ଅହମଦ, ଅନରିଚ୍ ନୋରଟଜେ ଓ ଚେତନ ସାକରିଆଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।