ପେଲେକେଲ୍ଲେ : ଶ୍ରୀଲଙ୍କାର ପେଲେକେଲ୍ଲେଠାରେ ଖେଳାଯାଉଥିବା ଏସିଆ କପର ଏକ ମ୍ୟାଚରେ ଭାରତ ଆଗରେ ୨୩୧ ରନର ବିଜୟ ଲକ୍ଷ୍ୟ ରଖିଛି ନେପାଳ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଜ୍ଞ ଭାରତୀୟ ଦଳ ତୁଳନାରେ ନେପାଳ ଏକ ନବାଗତ ଟିମ ହୋଇଥିଲେ ବି ନେପାଳର ବ୍ୟାଟରମାନେ ଲଢୁଆ ବ୍ୟାଟିଂ କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲେ । ନେପାଳର ଦୁଇ ଓପନର କୁଶଳ ଭୁରତେଲ ଓ ଆସିଫ ସେଖ୍ ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ ଓ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୫ ରନ କରିଥିଲେ । ଭୁରତେଲ ୩୮ରନ ଓ ସେଖ ୫୮ରନ କରିଥିଲେ । ମାତ୍ର ନେପାଳର ମଧ୍ୟକ୍ରମ ବିଫଳ ହୋଇଥିଲା । ତେବେ ନିମ୍ନ ମଧ୍ୟକ୍ରମରେ ଆସିଥିବା ସୋମପାଲ କାମି, ଦୀପେନ୍ଦ୍ର ସିଂ ଆଇରି ଓ ଗୁଲସନ ଝା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୩୦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ସୋମପାଲ କାମି ୪୮ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ନେପାଳ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜିତ ହୋଇଥିବାବେଳେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ଅଧାରୁ ରଦ୍ଦ ହୋଇଯାଇଥିଲା ଓ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ ।