ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ୨୪ ନୂଆ କୋଭିଡ୍ ମାମଲା ପଦାକୁ ଆସିଛି। ଏମାନଙ୍କ ମଧ୍ୟରେ ୩ ଜଣ କ୍ରୀଡ଼ାବିତ୍ ଅନ୍ତର୍ଭୁକ୍ତ। ଅଲିମ୍ପିକ୍ସରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟା ଥିଲା। ଏହି ଦିନରେ ଟୋକିଓ ସହରର ପଜିଟିଭ୍ ମାମଲା ୩୮୬୫ ହୋଇଥିଲା ବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ୮୧ ଜଣ ରୋଗୀ ଗୁରୁତର ଥିବା ସୂଚନା ଦିଆଯାଇଛି। ତେବେ ଟୋକିଓରେ ଏହି କୋଭିଡ୍ ସଂକ୍ରମଣ ପାଇଁ ଅଲିମ୍ପିକ୍ସକୁ ଦାୟୀ କରାଯାଇପାରିବନି ବୋଲି ଆନ୍ତର୍ଜାତିକ ଅଲିମ୍ପିକ୍ସ ସମିତି (ଆଇଓସି) ସ୍ପଷ୍ଟ କରିଛି। ଗୁରୁବାର ତଥ୍ୟକୁ ଆଧାରକରି କ୍ରୀଡ଼ା ସହିତ ଜଡ଼ିତ ମୋଟ ପଜିଟିଭ୍ ମାମଲା ୧୯୩ରେ ପହଞ୍ଚିଛି। ଏହାଦ୍ବାରା ଅଲିମ୍ପିକ୍ସ କର୍ତ୍ତୃପକ୍ଷ ଟୋକିଓ ପ୍ରଶାସନକୁ ସତର୍କ କରିଦେଇଥିଲା ବେଳେ ସହରରେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି।
ଗୁରୁବାର ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ରୀଡ଼ାବିତ୍ଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ା ସହିତ ପ୍ରତ୍ୟେକ୍ଷ ଜଡ଼ିତ ଥିବା ବ୍ୟକ୍ତି ଓ ୧୫ ଜଣ ଠିକାଦାର ଅନ୍ତର୍ଭୁକ୍ତ। ବୁଧବାର ଅଲିମ୍ପିକ୍ସ ସହ ଜଡ଼ିତ ଥିବା ୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରେ କେହି କ୍ରୀଡ଼ାବିତ୍ ନଥିଲେ। ଆୟୋଜକଙ୍କ ସୂଚନା ଅସୁଯାୟୀ, ଅଲିମ୍ପିକ୍ସରେ ସାମିଲ ହେବା ପାଇଁ ସୋମବାର ସୁଦ୍ଧା ଜାପାନକୁ ୩୮୪୮୪ ଜଣ ବ୍ୟକ୍ତି ଜାପାନରେ ପ୍ରବେଶ କରିଛନ୍ତି। ପୂର୍ବରୁ ଦୈନିକ ମାମଲା ଓ ମୃତ୍ୟୁ ହାର ଅନ୍ୟ ଦେଶମାନଙ୍କ ତୃଳନାରେ ଜାପାନ୍ରେ କମ୍ ରହୁଥିଲା। କିନ୍ତୁ ଗତ ୭ ଦିନ ମଧ୍ୟରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ହେଲେ ବଦ୍ଧିତ ମାମଲା ଓ ଅଲିମ୍ପିକ୍ସ ମଧ୍ୟରେ କୌଣସି ସମ୍ପର୍କ ନଥିବା ଆଇଓସି ପ୍ରବକ୍ତା ମାର୍କ ଆଡାମ୍ସ କହିଛନ୍ତି। ତେବେ ଅଲିମ୍ପିକ୍ସ ସହ ଜଡ଼ିତ ଥିବା ସଂକ୍ରମିତମାନେ ସହରର ସ୍ବାସ୍ଥ୍ୟାବସ୍ଥା ଉପରେ କୌଣସି ପ୍ରଭାବ ପକାଇନାହାନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କ ଉପରେ ଅଲିମ୍ପିକ୍ସର ସ୍ବତନ୍ତ୍ର ଡାକ୍ତରୀ ଦଳ ଧ୍ୟାନ ରଖୁଛନ୍ତି। ମୋଟ ୩ ଲକ୍ଷ ୧୦ ହଜାର ପରୀକ୍ଷା ମଧ୍ୟରୁ ପଜିଟିଭ୍ ହାର ମାତ୍ର ୦.୦୨ ପ୍ରତିଶତ ବୋଲି ଆଡାମ୍ସ କହିଛନ୍ତି।