ଫର୍ମୁଲା ୱାନ୍‌ର ‘୨୦୨୩’ ଋତୁରେ ୨୪ ରେସ୍

ପ୍ୟାରିସ୍: ଫର୍ମୁଲା ୱାନ୍ କାର୍‌ ରେସିଂର ଆଗାମୀ ଋତୁ (୨୦୨୩ ବର୍ଷ)ରେ ରେକର୍ଡ ୨୪ ରେସ୍ ଦେଖିବାକୁ ମିଳିବ। ଯାହା ଚଳିତ ବର୍ଷଠାରୁ ୨ ଅଧିକ। ୨୦୨୩ରେ ଆମେରିକାର ଲସ୍ ଭେଗାସ୍‌ରେ ପ୍ରଥମ ଥର ଲାଗି ଫ୍ଲଡ୍ ଲାଇଟ୍‌ରେ ରେସିଂ ହେବ। ସେହିଭଳି ମୋନାକୋରେ ୨୦୨୫ ମସିହା ପର୍ଯ୍ୟନ୍ତ ଲଗାତାର ଫର୍ମୁଲା ୱାନ୍ ଆୟୋଜିତ ହେବ। ତା’ ସହ ୨୦୨୩ରେ ଫର୍ମୁଲା ୱାନ୍ ସୂଚୀକୁ ଚୀନ୍‌ (ସାଂଘାଇ) ଫେରିଛି। ମଙ୍ଗଳବାର ଘୋଷଣା କରାଯାଇଥିବା କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫ରେ ୨୦୨୩ର ପ୍ରଥମ ଫର୍ମୁଲା ୱାନ୍ ରେସ୍ ବାହାରିନ୍‌ରେ ଆୟୋଜିତ ହେବ। ସେହିଭଳି ନଭେମ୍ବର ୨୬ ତାରିଖରେ ଆୟୋଜିତ ହେବାକୁ ଥିବା ଆବୁଧାବି ରେସ୍ ହେବ ବର୍ଷର ଶେଷ ରେସ୍। ଚଳିତ ବର୍ଷର ଫର୍ମୁଲା ୱାନ୍ କ୍ୟାଲେଣ୍ଡର୍‌ରେ ୨୩ଟି ରେସ୍ ଥିଲା।

ରୁଷିଆର ସୋଚି ସର୍କିଟ୍‌ରେ ହେବାକୁ ଥିବା ରେସ୍ ୟୁକ୍ରେନ୍ ଯୁଦ୍ଧ ପାଇଁ ବାତିଲ ହେବା ପରେ ଏହା ୨୨କୁ ହ୍ରାସ ପାଇଥିଲା‌। ୨୦୨୩ରେ ଆୟୋଜିତ ହେବାକୁ ଥିବା ଫର୍ମୁଲା ୱାନ୍ ରେସ୍‌ଗୁଡ଼ିକ ହେଲା ବାହାରିନ୍‌ ଗ୍ରାଁପ୍ରି- ମାର୍ଚ୍ଚ ୫, ଜେଦା (ସାଉଦି ଆରବ)- ମାର୍ଚ୍ଚ ୧୯, ଅଷ୍ଟ୍ରେଲିଆ (ମେଲବର୍ଣ୍ଣ)- ଏପ୍ରିଲ ୨, ଚୀନ୍‌ (ସାଂଘାଇ)- ଏପ୍ରିଲ ୧୬, ଆଜାରବାଇଜାନ (ବକୁ)- ଏପ୍ରିଲ ୩୦, ମିଆମି- ମେ’ ୭, ଏମିଲି ରୋମାଙ୍ଗା (ଇମୋଲା)- ମେ’ ୨୧, ମୋନାକୋ- ମେ’ ୨୮, ସ୍ପେନ୍ (ବାର୍ସେଲୋନା)- ଜୁନ୍ ୪, କାନାଡା (ମଣ୍ଟ୍ରିଲ)- ଜୁନ୍ ୧୮, ଅଷ୍ଟ୍ରିଆ (ସ୍ପିଲବର୍ଗ)- ଜୁଲାଇ ୨, ବ୍ରିଟେନ୍ (ସିଲ୍‌ଭରଷ୍ଟୋନ୍)- ଜୁଲାଇ ୯, ହଙ୍ଗେରୀ- ଜୁଲାଇ ୨୩, ବେଲଜିୟମ- ଜୁଲାଇ ୩୦, ନେଦରଲାଣ୍ଡ୍ସ- ଅଗଷ୍ଟ ୨୭, ଇଟାଲୀ (ମୋଞ୍ଜା)- ସେପ୍ଟେମ୍ବର ୩, ସିଙ୍ଗାପୁର- ସେପ୍ଟେମ୍ବର ୧୭, ଜାପାନ (ସୁଜୁକା)- ସେପ୍ଟେମ୍ବର ୨୪, କାତାର- ଅକ୍ଟୋବର ୮, ଆମେରିକା (ଅଷ୍ଟିନ)- ଅକ୍ଟୋବର ୨୨, ବ୍ରାଜିଲ- ନଭେମ୍ବର ୫, ଆମେରିକା (ଲସ୍ ଭେଗାସ୍)- ନଭେମ୍ବର ୧୮, ଆବୁଧାବି- ନଭେମ୍ବର ୨୬।

ସମ୍ବନ୍ଧିତ ଖବର