ଯୁବରାଜଙ୍କ ରାଜକୀୟ ଯାତ୍ରା, ସଂଘର୍ଷ, କର୍କଟ ବିଜେତା

୨୫ ବର୍ଷର ଖେଳ ଜୀବନ

୧୯୯୫-୯୬ରେ ପଞ୍ଜାବ ପାଇଁ ବୟସ ବର୍ଗ କ୍ରିକେଟ୍ ଖେଳିବାଠାରୁ ଯୁବରାଜଙ୍କ ଖେଳ ଜୀବନ ଆରମ୍ଭ ହୋଇଥିଲା। ୧୯୯୬-୯୭ ଘରୋଇ କ୍ରିକେଟ୍ ଋତୁରେ ପଞ୍ଜାବ ପାଇଁ ଓଡ଼ିଶା ବିପକ୍ଷରେ ରଣଜୀ ଟ୍ରଫି ପଦାର୍ପଣ କରି ଆଗକୁ ବଢ଼ିଥିଲେ। ୨୦୦୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପଦାର୍ପଣରେ ୮୪ ରନ୍‌ର ପାଳି ଖେଳି ଅନ୍ତର୍ଜାତୀୟ ଜୀବନରେ ଧମାକାଦାର ଆରମ୍ଭ କରିଥିଲେ। କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌‌ରେ ଏହି ବାମହାତୀ ଅଲରାଉଣ୍ଡର୍‌ ୪୦୨ ମ୍ୟାଚ୍‌ ଖେଳି ୧୧,୭୭୮ ରନ୍‌ କରିଥିଲେ। ୨୦୦୭ ବିଶ୍ବକପ୍‌ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ଗୋଟିଏ ଓଭରରେ ୬ ଛକା ମାରିବା ସହିତ ସେଠାରେ ପ୍ରଥମ ବିଶ୍ବକପ୍‌ ବିଜୟର ସ୍ପର୍ଶ ପାଇଥିଲେ। ୧୨ ବଲ୍‌ରୁ ଅର୍ଧଶତକ ହାସଲ କରି ବିଶ୍ବ କୀର୍ତିମାନ ମଧ୍ୟ କରିଥିଲେ। ୨୦୧୧ ମସିହାରେ ଭାରତରେ ଅନୁଷ୍ଠିତ ଆଇସିସି ଦିନିକିଆ ବିଶ୍ବକପ୍‌ରେ ନିଜ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ସହ ବିଶ୍ବକପ୍‌ ଜିତିବାର ଗୌରବ ପାଇଥିଲେ। ଚଳିତ ବର୍ଷ ପର୍ଯ୍ୟନ୍ତ ସେ ଘରୋଇ କ୍ରିକେଟ୍‌ରେ ଖେଳିଥିଲେ। ଗତ ଏପ୍ରିଲ୍ ୩ ତାରିଖରେ ଶେଷ କ୍ରିକେଟ୍ ମ୍ୟାଚ୍‌ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଖେଳିଥିଲେ। ୨୦୧୨ରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ଅର୍ଜୁନ ପୁରସ୍କାର ଏବଂ ୨୦୧୪ରେ ବେସାମରିକ ସମ୍ମାନ ପଦ୍ମଶ୍ରୀ ମଧ୍ୟ ହାସଲ କରିଥିଲେ।

।୩ ବିଶ୍ବକପ୍‌ ବିଜେତା
ଯୁବରାଜ ନିଜ ଖେଳ ଜୀବନରେ ୩ ଥର ବିଶ୍ବକପ୍‌ ଜିତିବାର ଗୌରବ ପାଇଛନ୍ତି। ୨୦୦୦ ମସିହାରେ ମହମ୍ମଦ‌ କୈଫ୍‌ଙ୍କ ନେତୃତ୍ବରେ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଆଇସିସି ଦିନିକିଆ ବିଶ୍ବକପ୍‌ ହାସଲ କରି ବ୍ୟକ୍ତିଗତ ସଫଳତା ପାଇଥିଲେ। ୨୦୧୧ ବିଶ୍ବକପ୍‌ରେ ୪ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଗୋଲ୍‌ଡେନ୍ ବ୍ୟାଟ୍ ପାଇବା ତାଙ୍କ ଖେଳ ଜୀବନର ସର୍ବଶ୍ରେ‌ଷ୍ଠ ମୁହୂର୍ତ ହୋଇ ରହିବ। ଭାରତରେ ଅନୁଷ୍ଠିତ ଏହି ସଂସ୍କରଣ ବିଶ୍ବକପ୍‌ରେ ସେ ୨ ଶତକ, ୪ ଅର୍ଧଶତକ ସହିତ ୩୬୨ ରନ୍ କରିବା ବ୍ୟତୀତ ୧୫ ୱିକେଟ୍ ନେଇଥିଲେ। ୨୦୦୭-୦୮ରେ ମଧ୍ୟ ଭାରତୀୟ ଦଳର ଉପ ଅଧିନାୟକ ଥିଲେ।

।ଆଦ୍ୟ ଜୀବନ
ପ୍ରଥମ ଶ୍ରେଣୀ କ୍ରିକେଟର୍ ତଥା ଅଭିନେତା ଯୋଗରାଜ ସିଂହଙ୍କ ସୁପୁତ୍ର ହେଉଛନ୍ତି ଯୁବରାଜ ସିଂହ। ପିତାଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିଥିଲେ। ଟେନିସ୍ ଏବଂ ରୋଲର ସ୍କେଟିଂ ଖେଳିଥିଲେ ପିଲାଦିନେ।‌ ରୋଲର୍ ସ୍କେଟିଂରେ ୧୪ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ଖେଳିଥିଲେ। ଚଣ୍ଡୀଗଡ଼ ଡିଏଭି ସ୍କୁଲ୍‌ରେ ପଢ଼ା ଜୀବନ ଏବଂ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକରେ ଉତ୍ତୀର୍ଣ୍ଣ। ପିଲାଦିନେ ମଧ୍ୟ ଶିଶୁ କଳାକାର ଭାବେ ସେ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପିତାଙ୍କ ବିବାହ ବିଚ୍ଛେଦ କାରଣରୁ ଯୁବି ମା’ଙ୍କ ସହିତ ରହି ଆସିଛନ୍ତି।

।କର୍କଟ ବିଜେତା
ଖେଳ ଜୀବନରେ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିବା ପରେ ଯୁବରାଜ ସିଂହ ଅନେକ ଥର ସଫଳ ପ୍ରତ୍ୟାବର୍ତନ କରିଥିଲେ। କିନ୍ତୁ ୨୦୧୧ ବିଶ୍ବକପ୍‌ର ଐତିହାସିକ ସଫଳତା ପରେ ପରବର୍ତୀ ବର୍ଷ ଫୁସଫୁସ କର୍କଟରେ ପଡ଼ିବା କ୍ରିକେଟ‌ ପ୍ରେମୀଙ୍କୁ‌ ଦୁଃଖରେ ବୁଡ଼ାଇ ଦେଇଥିଲା। କିନ୍ତୁ ଜୀବନରେ କେବେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ଏହି ଶିଖ୍‌ କ୍ରିକେଟର୍‌ ୩ ଥର ସଫଳ କେମୋଥେରାପି ପରେ ପୁଣି କ୍ରିକେଟ୍ ‌ପଡ଼ିଆକୁ ଫେରିବା ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ତାଙ୍କ ଲଢ଼ୁଆ ଚରିତ୍ରର ଅନ୍ୟତମ ଦିଗ ଥିଲା। ଏହା ପରେ ୫ ବର୍ଷ ଧରି ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରିୟ ରହିଥିଲେ।

।ଅର୍ଜୁନ ଓ ପଦ୍ମଶ୍ରୀ
ଖେଳ ଜୀବନରେ ଅନେକ କୃତିତ୍ବ ଏବଂ ବିଶ୍ବ କୀର୍ତ୍ତିମାନ କରିଥିବା ଯୁବରାଜଙ୍କୁ ମଧ୍ୟ ଏକାଧିକ ସମ୍ମାନ ମିଳିସାରିଛି। ଏହା ମଧ୍ୟରେ ୨୦୧୨ ମସିହାରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ଅର୍ଜୁନ ପୁରସ୍କାର ଏବଂ ୨୦୧୪ ମସିହାରେ ବେସାମରିକ ସମ୍ମାନ ପଦ୍ମଶ୍ରୀ ମଧ୍ୟ ହାସଲ କରିଥିଲେ। ୨୦୧୪ରେ ଫିକିର ଶ୍ରେଷ୍ଠ କ୍ରୀଡ଼ାବିତ୍ ଏବଂ ପଡ଼ିଆ ଭିତରେ ବାହାରେ ପ୍ରଭାବ ବିସ୍ତାର ପାଇଁ ଭାରତୀୟ ମାନବତା ବିକାଶ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର