ପ୍ରଥମ ଦିନିକିଆ: ଭାରତ ଆଗରେ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା  

ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨-୨ ୱିକେଟ୍‌

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଶିଖର ଧୱନ୍‌ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବୋଲିଂ କରିଥିଲା । ତେବେ ଭାରତୀୟ ଦଳ ଆଜି ଚମତ୍କାର ପ୍ରଦର୍ଶନ କରିଛି । ଦଳରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୨ ରନ୍‌ରେ ଅଟକାଇଛି । ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଆୟୋଜକ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ କରିଛି । ଫଳରେ ଭାରତ ଆଗରେ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ।

ଅଭିଶିକା ଫର୍ଣ୍ଣାଡୋଜ୍ ଓ ମିନୋଦ୍ ଭାନୁକା ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ । ଉଭୟ ଓପନର ପ୍ରଥମ ୱିକେଟରେ ୪୯ ରନ୍ କରିଥିଲେ । ଅଭିଶିକା ଫର୍ଣ୍ଣାଡୋଜ୍ ୩୫ଟି ବଲ୍‌ର ସମ୍ମୁଖୀନ ହୋଇ ୩୨ ରନ୍ ସଂଗ୍ରହ କରିଥିଲେ । ସେ ୟୁଜବେନ୍ଦ୍ର ଚହଲଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ । ସେହିପିର ତାଙ୍କର ସାଥୀ ଖେଳାଳି ମିନୋଦ ୪୪ଟି ବଲ ଖେଳି ଦଳ ପାଇଁ ୨୭ ରନ୍‌ର ଯୋଗଦାନ ଦେଇଥିଲେ । କୁଳଦୀପ ଯାଦଙ୍କ ବଲ ପୃଥ୍ୱୀ ସ’ଙ୍କୁ କ୍ୟାଚ ଦେଇ ପାଭଲିଅନ୍‌କୁ ଫେରିଥିଲେ । ଶ୍ରୀଲଙ୍କା ୮୫ ରନ୍‌ରେ ନିଜର ୨ୟ ୱିକେଟ୍ ହରାଇଥିଲା ।

ଶ୍ରୀଲଙ୍କା ପାଇଁ ଆଜି ଚାମିକା କରୁଣାରତ୍ନେ ସର୍ବାଧିକ ୪୩ (ଅପରାଜିତ) ରନ୍ ଯୋଡ଼ିଥିଲେ । ସେ ୩୫ଟି ବଲ୍‌ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ । ସେହିପରି ଚରିଥ ଆସଲଙ୍କାଙ୍କ ୩୮ ରନ୍‌, ଦାସୁନ ଶନଙ୍କାଙ୍କ ୩୯ ରନ୍ ଓ ଭାନୁକା ରାଜପକ୍ଷେଙ୍କ ୨୪ ରନ୍ ବଳରେ ଶ୍ରୀଲଙ୍କାର ସ୍କୋର ୨୬୨ ରନ୍‌ରେ ପହଂଚିଥିଲା ।

ସମ୍ବନ୍ଧିତ ଖବର