ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଭାରତ ନିଜର ଦ୍ବିତୀୟ ମ୍ୟାଚରେ ବୁଧବାର ଆଫ୍‌ଗାନିସ୍ତାନକୁ ଭେଟିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫ୍‌ଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅତିଥି ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱକେଟ୍‌ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୨୭୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି।

Advertisment

ଆଫଗାନିସ୍ତାନ ଆରମ୍ଭରୁ ଉପସ୍ଥିତ ବୁଦ୍ଧି ଲଗାଇ ପାଳି ଆରମ୍ଭ କରିଥିଲା। ଅଧିନାୟକ ହାସମତୁଲା ସାହିଦି ଓ ଅଜମତୁଲ୍ଲା ଓମାରଜାଇ ଚତୁର୍ଥ ୱିକେଟ୍‌ରେ ୧୨୧ ରନ୍‌ର ଭାଗିଦାରୀ ହୋଇପାରିଥଲେ। ଅଜମତୁଲ୍ଲା ୬୯ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ଓ ୪ଟି ଛକା ବଳରେ ୬୨ ରନ୍‌ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପୂର୍ବରୁ ଆଫଗାନିସ୍ତାନ ୩ୟ ୱିକେଟରେ ରହମତ ଶାହ (୧୬ ରନ୍‌)ଙ୍କୁ ହରାଇଥିଲା। ହାସମତୁଲା ୮୮ଟି ବଲ୍‌ ଖେଲି ୮ଟି ଚୌକା ଓ ଗୋଟିଏ ଛକା ବଳରେ ୮୦ ରନ୍‌ କରି କୁଲଦୀପ ଯାଦବଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

publive-image Photo: X

ଦଳ ୩୨ ରନ୍‌ରେ ନିଜର ପ୍ରଥମ ୱିକେଟ୍‌ ଭାବେ ଇବ୍ରାହିମ ଜଦ୍ରାନଙ୍କୁ ହରାଇଥିଲା। ସେ ୨୮ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୨୨ ରନ୍‌ ସଂଗ୍ରହ କରିଥିଲେ। ଯଶପ୍ରୀତ ବୁମରାଙ୍କ ବଲ୍‌ରେ କେଏଲ୍‌ ରାହୁଲଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ସ୍କୋର ୬୩ ରନ୍‌ରେ ଭାରତକୁ ଦ୍ବିତୀୟ ସଫଳତା ମିଳିଥିଲା। ରହମାନୁଲ୍ଲା ଗୁରବାଜ ୨୮ଟି ବଲ୍‌ ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ ଦେଇଥିଲେ। ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍‌ କରିଥିଲେ।

ମହମ୍ମଦ ନବିଙ୍କ ବ୍ୟାଟ୍‌ରୁ ୧୯ ରନ୍‌,  ନଜିବୁଲ୍ଲା ଜଦ୍ରାନ ୨ରନ୍‌ କରିଥିବା ବେଳେ ରସିଦ ଖାନ ୧୬ ରନ୍‌, ମୁଜୀବ୍ ଉର ରହମାନ ଅପରାଜିତ ୧୦ ରନ୍‌ ଓ ନବୀନ ଉଲ ହକ୍‌ ଅପରାଜିତ ୯ ରନ୍‌ ସଂଗ୍ରହ କରିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିଲା ବେଳେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।