କରୋନାରେ ସୁମୋ କୁସ୍ତିଯୋଦ୍ଧା ମୃତ

ଟୋକିଓ : ରିଙ୍ଗ୍‌ ଭିତରେ କେତେ କେତେ ଯୋଦ୍ଧାଙ୍କୁ ନିଜ ପରାକ୍ରମ ବଳରେ ପରାସ୍ତ କରିଥିଲା ବେଳେ ଅଧିକାଂଶଙ୍କୁ ଚକିତ ମଧ୍ୟ କରିଥିଲେ। ହେଲେ କରୋନା ବିପକ୍ଷ ଯୁଦ୍ଧରେ କିନ୍ତୁ ସେ ହାରିଗଲେ। କରୋନା ମହାମାରୀଠାରୁ ହାରିଯାଇଥିବା ଏହି ଯୁବ ଯୋଦ୍ଧା ଜଣଙ୍କ ହେଲେ ଜାପାନର କୁସ୍ତିଯୋଦ୍ଧା ସୋବୁସି। ମାତ୍ର ୨୮ ବର୍ଷ ବୟସରେ ସେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ତେବେ ସୋବୁସିଙ୍କ ପ୍ରକୃତ ନାମ ହେଉଛି କିୟୋଟାକା ସୁଏଟାକେ। ଯିଏକି ନୋଭେଲ କରୋନା ଭୂତାଣୁ ଜନିତ ମୃତ୍ୟୁ ବରଣ କରିବାରେ ପ୍ରଥମ ସୁମୋ କୁସ୍ତି ଯୋଦ୍ଧା ହୋଇଛନ୍ତି। ଏପ୍ରିଲ ୧୦ ତାରିଖରେ ତାଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ବାହାରିଥିଲା। ଏଭଳି ସଂକ୍ରମଣ ହେବାରେ ମଧ୍ୟ ସେ ପ୍ରଥମ କୁସ୍ତିଯୋଦ୍ଧା ଥିଲେ। ସେଥିପାଇଁ ସୋବୁସି ଗତ ମାସରେ ଟୋକିଓର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ବୁଧବାର (ଆଜି) ତାଙ୍କର ମୃତ୍ୟୁ ଘଟିଥିବା ଜାପାନ ସୁମୋ ସଂଘ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା ବୋଲି କୁହାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରେ ଲାଗିଥିଲା। ଫଳରେ ତାଙ୍କୁ ଆଇସିୟୁରେ ୯ ଦିନ ଧରି ରଖାଯାଇଥିଲା। ଶେଷ ପର୍ଯ୍ୟନ୍ତ ସେ ସାହସ ହରାଇନଥିଲେ ଏବଂ ରୋଗ ସହ ସଂଘର୍ଷ ଜାରି ରଖିଥିଲେ ବୋଲି ଜାପାନ ସୁମୋ ସଂଘ ସଭାପତି ହାକାକୁ କହିଛନ୍ତି। ତାଙ୍କ ମୃତ୍ୟୁରେ ଜାପାନ ସୁମୋ ସଂଘ ଗଭୀର ଶୋକ ପ୍ରକାଶ କରିଛି। ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛି। ଜଣେ କୁସ୍ତିଯୋଦ୍ଧା ଭାବେ ସୋବୁସି ୨୦୦୭ରେ ପେସାଦାର ପଦାର୍ପଣ କରିଥିଲେ ଏବଂ ଏବେ ସେ ଏକାଦଶ ମାନ୍ୟତାରେ ରହିଥିଲେ। ତାଙ୍କ ମୃତ୍ୟୁ ପାଇଁ ଏବେ ଶ୍ରଦ୍ଧାସୁମନର ସୁଅ ଛୁଟୁଛି। ତାଙ୍କ ମୃତ୍ୟୁ ପରେ ଏବେ ଜାପାନ ସୁମୋ ସଂଘର ପାଖାପାଖି ୧୦୦୦ ସଦସ୍ୟଙ୍କର ଏହାପରେ କରୋନା ଭୂତାଣୁ ପରୀକ୍ଷା କରାଯିବ।

ସମ୍ବନ୍ଧିତ ଖବର