ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶ ଆଗରେ ୨୮୦ ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ କୁଶଲ ପରେରା ମାତ୍ର ୪ ରନରେ ପାଭିଲିୟନ ଫେରିବା ପରେ କୁଶଲ ମେଣ୍ଡିସ୍ ବି ମାତ୍ର ୧୯ ରନରରେ ଆଉଟ ହୋଇଥିଲେ । ତେବେ ପ୍ରଥୁମ ନିଶଙ୍କା ଓ ସଦିରା ସମରଓ୍ବିକ୍ରମା ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ୪୧ ରନ ଲେଖାଏଁ କରିଥିଲେ । ତେବେ ଶ୍ରୀଲଙ୍କା ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସବୁଠାରୁ ବଡ଼ ଯୋଗଦାନ ଦେଇଥିଲେ ଚରିଥ ଅସଲଙ୍କା । ସେ ୧୦୫ ଟି ବଲ ଖେଳି ୧୦୮ ରନ କରିଥିଲେ । ଧନଞ୍ଜୟ ଡିସିଲଭା ୩୪ ରନ ଓ ମହିସ ତିକସନା ୨୨ ରନ କରିଥିଲେ । ମାତ୍ର ଶ୍ରୀଲଙ୍କାର ଶେଷ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇଯାଇଥିଲା ।
ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ସାକିବ ୩ଟି ଓ୍ବିକେଟ ନେଇଥିବାବେଳେ ସାକିବ ଅଲ ହାସନ ଓ ସୋରିଫୁଲ ଇସଲାମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।