ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୨୮୫ ରନର ବିଜୟ ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଓପନ କରିଥିବା ରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦରାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୪ ରନ କରିଥିଲେ । ଗୁରବାଜ୍ ୫୭ ବଲରେ ୮୦ ରନ କରିଥିବାବେଳେ ଜଦରାନ ୨୮ ରନ କରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ତେବେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାଁ ଓ ମୁଜିବୁର ରେହମାନ ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଆଫଗାନିସ୍ତାନ ୨୮୪ ରନ କରି ଅଲଆଉଟ୍ ହୋଇଯାଇଥିଲା ।
ଇଂଲଣ୍ଡ ପକ୍ଷରୁ ଆଦିଲ୍ ରସିଦ୍ ୩ଟି ଓ୍ବିକେଟ୍ ନେଇଥିବାବେଳେ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିସ୍ ଟପଲେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।