୩ୟ ଦିନିକିଆ: ଭାରତକୁ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସର୍ବାଧିକ ୩ ୱିକେଟ୍‌

କେପଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳା ଯାଉଥିବା ତୃତୀୟ ତଥା ଶୃଙ୍ଖଳାର ଶେଷ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ତେବେ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୮ ରନରେ ଓପନର ଜାନେମନ୍ ମଲାନ୍ ୧ ରନ୍ କରି ଦିପକ ଚାହରଙ୍କ ବଲରେ ଋଷଭ୍ ପନ୍ତଙ୍କ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ଦଳୀୟ ସ୍କୋର ୩୪ ରନରେ ଦ୍ଵିତୀୟ ଓ୍ଵିକେଟ ଭାବେ ଆଉଟ୍‌ ହୋଇଥିଲେ ତେମ୍ଵା ବଭୁମା। ସେ ଭାରତର ଅଧିନାୟକ ଲୋକେଶ ରାହୁଲଙ୍କ ଦ୍ଵାରା ରନ୍‌ ଆଉଟ ହୋଇଥିଲେ । ଏହାପରେ ଏଡେନ୍ ମାର୍କମ୍‌ ୧୫ ରନ କରି ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ବେଳକୁ ଦକ୍ଷିଣ ଆଫ୍ରିକାର ସ୍କୋର ୭୦ ରନରେ ପହଞ୍ଚି ସାରିଥିଲା। ୭୦ ରନରେ ୩ଟି ଓ୍ଵିକେଟର ପତନ ପରେ ଓ୍ଵିକେଟ କିପର ବ୍ୟାଟର୍ କ୍ଵିଣ୍ଟନ ଡି କକ୍ ଓ ଭାନ୍ ଡର୍ ଡୁସେନ୍ ଚତୁର୍ଥ ଓ୍ଵିକେଟରେ ବିଶାଳ ୧୪୪ ରନର ପାର୍ଟନରସିପ୍ ଗଢିଥିଲେ ।

Photo: BCCI Twitter

କ୍ଵିଣ୍ଟନ ଡି କକ୍ ଅତ୍ୟନ୍ତ ଚମତ୍କାର ବ୍ୟାଟିଂ କରି ୧୩୦ ଟି ବଲ୍ ଖେଲି ୧୨ଟ୍ ଚୌକା ଓ ୨ଟି ଛକା ସହ ୧୨୪ ରନ୍ କରିଥିଲେ । କ୍ଵିଣ୍ଟନ ଡି କକ୍ ୨୧୪ ସ୍କୋରରେ ଆଉଟ୍ ହେବା ପରେ ଦ.ଆଫ୍ରିକା ଲଗାତାର ଭାବେ ଓ୍ଵିକେଟ୍ ହରାଇଥିଲା । ତେଣୁ ଏକଦା ୩୩୦ରୁ ଅଧିକ ରନ କରିବ ବୋଲି କୁହା ଯାଉଥିବା ଦ.ଆଫ୍ରିକାର ସ୍କୋର ୨୮୭ ରନରେ ଅଟକିଯାଇଛି। ଭାନ୍ ଡର୍ ଡୁସେନ୍ ୫୯ ବଲରେ ୫୨ ରନ କରି ଆଉଟ୍ ହୋଇଥିଲେ । ମଧ୍ୟକ୍ରମର ଖେଳାଳି ଡେଭିଡ୍‌ ମିଲର ୩୮ ବଲ୍‌ର ଉପଯୋଗୀ ୩୯ ରନ କରିଥିଲେ । ଭାରତ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ । ଦୀପକ ଚାହର, ଜସପ୍ରୀତ ବୁମରା ୨ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ । ୟୁୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା ।

ସମ୍ବନ୍ଧିତ ଖବର