ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ବାଂଲାଦେଶ ଆଗରେ ରନର ପାହାଡ଼ ଛିଡ଼ା କରିଛି ଭାରତ । ୨୦ ଓଭରରେ ୬ ଓ୍ବିକେଟ ହରାଇ ରେକର୍ଡ ୨୯୭ ରନ କରିଛି ଭାରତ । ଫଳରେ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରହିଛି । ଟି-୨୦ରେ ଏହି ହେଉଛି ଭାରତର ସର୍ବୋଚ୍ଚ ସ୍କୋର । କିନ୍ତୁ ଟି-୨୦ ଇତିହାସରେ ସର୍ବୋଚ୍ଚ ସ୍କୋର ନେପାଳ ନାଁରେ ରହିଛି । ନେପାଳ ଗତ ବର୍ଷ ମଙ୍ଗୋଲିଆ ବିରୋଧରେ ୩୧୪ ରନ କରିଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଅଭିଷେକ ଶର୍ମା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ଟି ବଲରୁ ୧୧୧ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୧୧ଟି ଚୌକା ଓ ୮ଟି ଛକା ମାରିଥିଲେ । ସେହିପରି ସୂର୍ଯ୍ୟକୁମାର ୩୫ଟି ବଲରୁ ୭୫ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ ଓ ରିୟାନ ପରାଗ ୩୪ ରନ କରିଥିଲେ ।