ଆବୁଧାବି: ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ୧୨ ଏବଂ ବୁଧବା‌ର ଦ୍ବିତୀୟ ଦିବସରେ ୧୦ ୱିକେଟ୍‌ ଝଡ଼ିଯାଇଛି। ଦୁଇ ଦିନରେ ମୋଟ ୨୨ ୱିକେଟ୍‌ର ପତନ ଘଟିଥିଲା ବେଳେ ପାକିସ୍ତାନ ଦଳ ହାତରେ ୮ ୱିକେଟ୍‌ ଥାଇ ୨୮୧ ରନ୍‌ର ଅଗ୍ରଣୀ ପାଇସାରିଛି। ଏଥି ସହିତ ଆବୁଧାବି ଟେଷ୍ଟ୍‌କୁ ମଧ୍ୟ ପାକିସ୍ତାନ ନିଜ ନିୟଂତ୍ରଣକୁ ନେଇଯାଇଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ମହମ୍ମଦ ଆବାସ୍‌ (୫/୩୩) ଏବଂ ବିଲାଲ ଆସିଫ୍‌ (୩/୨୩)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ୧୪୫ ରନ୍‌ରେ ସମସ୍ତ ପ୍ରଥମ ପାଳି ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ଘୋର ସଂକଟରେ ପଡ଼ିଯାଇଛି। ପ୍ରଥମ ଟେଷ୍ଟ୍‌କୁ କଷ୍ଟେମଷ୍ଟେ ବଞ୍ଚାଇ ଦେଇଥିବା ଅଷ୍ଟ୍ରେଲିଆ ଏହି ଟେଷ୍ଟ୍‌ରୁ ବର୍ତିବା ସମ୍ଭାବନା କମ୍‌ ରହିଛି। ପ୍ରଥମ ଦିନ ପାକିସ୍ତାନ ପ୍ରଥମ ପାଳି ୨୮୨ ରନ୍‌ରେ ଶେଷ ହେବା ପରେ ଅଷ୍ଟ୍ରେଲିଆ ୨ ୱିକେଟ୍‌ ବିନିମୟରେ କରିଥିଲା ୨୦ ରନ୍‌। ଦ୍ବିତୀୟ ଦିବସରେ ଆରୋନ୍‌ ଫିଞ୍ଚ୍‌ (୩୯, ୮୩ ବଲ୍‌, ୫ ଚୌକା), ମିଚେଲ୍‌ ଷ୍ଟାର୍କ (୩୪, ୪୫ ବଲ୍‌, ୧ ଚୌକା ଓ ୨ ଛକା) ଏବଂ ଲାବୁଶ୍ଚାନେ (୨୫, ୪୯ ବଲ୍‌) କିଛି ସମୟ ଲଢ଼ିଥିଲେ ମଧ୍ୟ ଦଳୀୟ ସ୍କୋର୍‌ ୧୫୦ ଛୁଇଁ ପାରିନଥିଲା। ବିଶେଷକରି ଆବାସ୍‌ ଓ ଆସିଫ୍‌ ମିଳିତ ଭାବେ ୮ ୱିକେଟ୍‌ ବାଣ୍ଟିନେବାରୁ ଅଷ୍ଟ୍ରେଲିଆ ୧୪୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ୍‌ ହେଡ୍‌ (୧୪) ଓ ମିଚେଲ ମାର୍ସ (୧୩) ଦୁଇ ଅଙ୍କ ଛୁଇଁଥିଲେ। ତଥାପି ଭ୍ରମଣକାରୀ ଦଳ ପାକିସ୍ତାନ ପ୍ରଥମ ପାଳିଠୁ ୧୩୭ ରନ୍‌ ପଛରେ ରହିଯାଇଥିଲା। ଅଷ୍ଟ୍ରେଲିଆ ତା’ର ଅବଶିଷ୍ଟ ୮ ୱିକେଟ୍‌ ୧୨୫ ରନ୍‌ରେ ହରାଇଥିଲା।

Advertisment

ଏହାପରେ ପାକିସ୍ତାନ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ନିରାଶ କରିଛି। ପଦାର୍ପଣ ଟେଷ୍ଟ୍‌ ଖେଳୁଥିବା ଫକର ଜମନ୍‌ ପୁଣି ଥରେ ଚମତ୍କାର ଖେଳିଥିଲେ ମଧ୍ୟ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ଶତକରୁ ବଞ୍ଚିତ ହୋଇଥିଲେ। ପ୍ରଥମ ପାଳିରେ ୯୪ ରନ୍‌ କରିଥିବା ଫକର ଦ୍ବିତୀୟ ପାଳିରେ ୬୬ ରନ୍‌ କରି ପଦାର୍ପଣ ଟେଷ୍ଟ୍‌କୁ ସ୍ମରଣୀୟ କରିଥିଲେ। ତେବେ ଦ୍ବିତୀୟ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପାକିସ୍ତାନ ୨ ୱିକେଟ୍‌ ବିନିମୟରେ ୧୪୪ ରନ୍‌ କରି ବଡ଼ ସ୍କୋର୍‌ ସମ୍ଭାବନା ସୃଷ୍ଟି କରିଛି। ଆଝାର ଅଲ୍ଲୀ (୫୪) ଅର୍ଧଶତକ ଜମାଇ ଅପରାଜିତ ରହିଥିଲା ବେଳେ ହାରିସ୍‌ ସୋହେଲ୍‌ (୧୭*) ତାଙ୍କୁ ଭଲ ସହଯୋଗ ଦେଇଛନ୍ତି।