ଲକ୍ଷ୍ନୌ ଟି-୨୦: ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୧୯୬ ରନ୍‌ ଟାର୍ଗେଟ ଦେଲା ଭାରତ

ଲକ୍ଷ୍ନୌ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଓପନର ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅପରାଜିତ ଶତକ (୧୧୧ ରନ୍‌, ୬୧ ବଲ, ୮ ଚୌକା, ୭ ଛକା) ହାସଲ କରିଛନ୍ତି। ଏଥି ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ୧୯୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଲୋକେଶ ରାହୁଲ ଅପରାଜିତ ୨୬ ରନ୍‌ ସଂଗ୍ରହ କରିଛନ୍ତି। ସେ ୧୪ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

କୋହଲିଙ୍କୁ ଟପିଲେ ରୋହିତ

ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଲକ୍ଷ୍ନୌ ଟି-୨୦ରେ ୧୧ ରନ୍‌ ଯୋଡ଼ିବା ସହିତ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ଭାବରେ ରେକର୍ଡ ସ୍ଥାପନ କରିଛନ୍ତି। ସେ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି। ବିରାଟ କୋହଲି ୬୨ଟି ଟି-୨୦ ମ୍ୟାଚରେ ୨୧୦୨ ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ ଶର୍ମା ୮୬ଟି ଟି-୨୦ରେ ୨୨୦୩ ରନ୍‌ ଯୋଡ଼ିଛନ୍ତି। ସୁରେଶ ରାଇନା ୧୬୦୫ ରନ୍‌, ମହେନ୍ଦ୍ର ସିଂହ ଧୋନି ୧୪୮୭ ରନ୍‌ ଏବଂ ଯୁବରାଜ ସିଂହ ୧୧୭୭ ରନ୍‌ ସଂଗ୍ରହ କରିଛନ୍ତି।

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଇନିଂସ ଆରମ୍ଭରୁ ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ।

ଭାରତ ପ୍ରଥମ ଓ୍ଵିକେଟ୍‌ ୧୨୩ ରନ୍‌ ଭାବରେ ଶିଖର ଧାଓ୍ଵନ୍‌ଙ୍କୁ ହରାଇଥିଲା। ଧାଓ୍ଵନ୍‌ ୪୧ଟି ବଲ୍‌ ଖେଳି ୪୩ ରନ୍‌ ଯୋଡ଼ିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା। ଋଷଭ ପନ୍ତଙ୍କୁ ଭାରତ ୧୩୩ ରନ୍‌ରେ ହରାଇଥିଲା। ପନ୍ତ ୬ଟି ବଲ୍‌ ଖେଳି ୫ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର