ଦ୍ବିତୀୟ ଟି-୨୦: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ନାଗପୁର: ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟି-୨୦ କ୍ରିକେଟ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ନେଇଛି। ବର୍ଷା ଯୋଗୁଁ ୨୦ ଓଭର ମ୍ୟାଚକୁ ୮ ଓଭରରେ ସୀମିତ ରଖାଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ରଖାଯାଇଥିବା ୯୧ ରନ୍‌ର ଟାର୍ଗେଟକୁ ପିଛା କରି ଭାରତର କେ.ଏଲ. ରାହୁଲ ଓ ଅଧିନାୟକ ରୋହିତ ଶର୍ମା ଓପନିଂ କରିଥିଲେ। ଦଳୀୟ ସ୍କ‌ୋର ୩୯ ଥିବାବେଳେ କେ.ଏଲ. ରାହୁଲ ବ୍ୟକ୍ତିଗତ ୧୦ ରନ୍‌ କରି ଆଦାମ ଜାମ୍ପାଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ପରେ ବିରାଟ କୋହଲି ଆସିଥିଲେ ବି ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୧ ରନ୍‌ କରି ପୁଣି ଜାମ୍ପାଙ୍କ ଶୀକାର ହୋଇଥିଲେ। ଜାମ୍ପାଙ୍କ ଅନ୍ୟ ଏକ ବଲରେ ସୂର୍ଯ୍ୟକୁମାର ଯାଦବ ଏଲବିଡବ୍ଲୁ ହୋଇ ପାଭିଲିୟନ ଫେରିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। ସେ ୯ ରନରେ କୁମିନସଙ୍କ ଏକ ବଲରେ ଫିଞ୍ଚଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ୬.୫ ଓଭର ବେଳକୁ ଭାରତର ଦଳୀୟ ସ୍କୋର ୪ ୱିକେଟରେ ୭୭ ହୋଇଥିଲା। ରୋହିତ ଶର୍ମା ୪୬ ଓ ଦିନେଶ କାର୍ତ୍ତିକ ୧୦ ରନ୍‌ କରି ନଟଆଉଟ ଥିଲେ। ୭.୨ ଓଭରରେ ୯୨ ରନ୍‌ କରି ଭାରତ ମ୍ୟାଚକୁ ଜିତି ନେଇଥିଲା। ଭାରତ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ୩ଟି ୱିକେଟ ନେଇଥିବାବେଳେ ପେଟ କୁମିନ୍ସ ଗୋଟିଏ ୱିକେଟ ନେଇଥିଲେ।

ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଓ କାମେରନ ଗ୍ରିନ ଓପନିଂ କରିଥିଲେ। ୧.୩ ଓଭରରେ ଦଳୀୟ ସ୍କୋର ୧୪ ଥିବାବେଳେ ଗ୍ରୀନ ୫ ରନ୍‌ କରି ରନ୍ ଆଉଟ ହୋଇଯାଇଥିଲେ। ପରେ ମାକ୍ସୱେଲ ବ୍ୟାଟିଂ କରିବାକୁ ଆସିଥିଲେ ବି ଖାତା ଖୋଲିନପାରି ଅକ୍ଷର ପଟେଲଙ୍କ ବୋଲରେ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ପରେ ଟିମ ଡାଭିଡ ଆସିଥିବାବେଳେ ବ୍ୟକ୍ତିଗତ ୨ ରନ୍‌ କରି ଅକ୍ଷରଙ୍କ ବୋଲରେ ବୋଲ୍ଡ ହୋଇଯାଇଥିଲେ। କିନ୍ତୁ ଫିଞ୍ଚଙ୍କ ସହିତ ମିଶି ୱିକେଟ ରକ୍ଷକ ମାଥ୍ୟୁ ୱାଦେ ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଦଳୀୟ ସ୍କୋର ୪୬ ଥିବାବେଳେ ଫିଞ୍ଚ ବ୍ୟକ୍ତିଗତ ଭାବେ ୩୧ ରନ୍ କରି ବୁମରାଙ୍କ ବଲର ଶିକାର ହୋଇ ପାଭିଲିୟନ ଫେରିଥିଲେ। ଷ୍ଟିଭେନ ସ୍ମିଥ ବ୍ୟାଟିଂ କରିବାକୁ ଆସି ବ୍ୟକ୍ତିଗତ ୮ ରନ୍‌ କରିଥିବାବେଳେ ଅକ୍ଷର ପଟେଲଙ୍କ ଦ୍ବାରା ରନ ଆଉଟ ହୋଇଯାଇଥିଲେ।  କିନ୍ତୁ ୱାଦେ ୪୬ ରନ୍‌ କରି ନଟ ଆଉଟ ଥିଲେ। ଭାରତ ପକ୍ଷରୁ ବୁମରା ଗୋଟିଏ ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ। ୮ ଓଭରରେ ୫ ୱିକେଟ ହରାଇ ଅଷ୍ଟ୍ରେଲିଆ ୯୦ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର