ବିନା ଛକାରେ ସର୍ବାଧିକ ଟେଷ୍ଟ୍ ରନ୍ କରିଥିବା ୩ ବ୍ୟାଟ୍‌ସମ୍ୟାନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ର ସବୁଠୁ ପୁରୁଣା ଫର୍ମାଟ୍‌ ଟେଷ୍ଟ୍‌ରେ ବର୍ଷ ବର୍ଷ ଧରି ଅନେକ ପରିବର୍ତନ ହୋଇଛି। ଦିନ ମ୍ୟାଚ୍‌ରୁ ଦିବାରାତ୍ର, ଲାଲ୍ ବଲ୍‌ରୁ ଗୋଲାପୀ ବଲ୍‌, ଟେଷ୍ଟ୍ ଜର୍ସିର ନମ୍ବର ସବୁକିଛି ବଦଳିଛି। ଅଫଷ୍ଟମ୍ପ୍‌ ବାହାରେ ବଲ୍‌ ଛାଡ଼ିବା, ବଲ୍‌କୁ ରୋକିବା ଓ ଖେଳି ରନ୍‌ ବାହାର କରିବାର ବ୍ୟବସ୍ଥା କିନ୍ତୁ ଅପରିବର୍ତିତ ରହିଛି। ୫ ଦିନ ଧରି ଟେଷ୍ଟ୍ କ୍ରିକେଟ୍‌ର ରୋମାଞ୍ଚ ଜାରି ରହିବା ମଧ୍ୟ ଅପରିବର୍ତିତ ଅଛି। ଗତବର୍ଷ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳା ବେଳେ ରୋହିତ ଶର୍ମା ପ୍ରଥମ ‌ଖେଳାଳି ଭାବେ ଗୋଟିଏ ଟେଷ୍ଟ୍ ପାଳିରେ ସର୍ବାଧିକ ଛକା (୧୩)ର ବିଶ୍ବ କୀର୍ତ୍ତିମାନ କରିଥିଲେ। ଟି-୨୦ କ୍ରିକେଟ୍‌ର ଅଭ୍ୟୁଦୟ ସତ୍ତ୍ବେ ଟେଷ୍ଟ୍ କ୍ରିକେଟ୍‌ ପଦ୍ଧତିକୁ ବି ଅନେକ ଖେଳାଳି ଅନୁସରଣ କରିଛନ୍ତି। ବହୁ ଖେଳାଳି ରହିଛନ୍ତି ଯେଉଁମାନେ ଛକା ମାରିବାଠାରୁ ନିଜକୁ ଦୂରରେ ରଖିଥିଲେ ମଧ୍ୟ ଢେର ରନ୍ କରିଥିଲେ।

ୟୋନାଥନ୍ ଟ୍ରଟ୍‌ (ଇଂଲଣ୍ଡ)
‌‌‌ୟୋନାଥନ୍ ଟ୍ରଟଙ୍କ ଅବସରକୁ ୫ ବର୍ଷ ବିତିଲାଣି। ଇଂଲଣ୍ଡ ଦଳ ଏବେ ବି ଟେଷ୍ଟ୍ କ୍ରିକେଟ୍‌ରେ ୩ ନମ୍ବର ସ୍ଥାନ ବିକଳ୍ପ ଖୋଜୁଛି। ଟ୍ରଟଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ କାଣ୍ଟଛାଣ୍ଟ୍ ହୋଇଥିଲେ ମଧ୍ୟ ତାଙ୍କୁ ଟେଷ୍ଟ୍ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ଇଂଲଣ୍ଡ ସ୍ବୀକାର କରିଛି। ୨୦୦୯ରେ ଆସେସ୍ ଶୃଙ୍ଖଳାରେ ନିଜର ପଦାର୍ପଣ ପାଳିରେ ଶତକ ହାସଲ କରି ସିଧାସଳଖ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ। ପ୍ରତିଷ୍ଠିତ ଖେଳାଳିଙ୍କ ଉପସ୍ଥିତି କାରଣରୁ ପ୍ରଥମେ ସେ ନିମ୍ନକ୍ରମରେ ଖେଳିବାକୁ ବାଧ୍ୟ ହୋଇଥିଲେ। ୩ ନମ୍ବର ସ୍ଥାନକୁ ଉନ୍ନୀତ ହେବା ମାତ୍ରେ ଇଂଲଣ୍ଡର୍‌ ଟେଷ୍ଟ୍ ସେଟ୍‌ ଅପ୍‌ରେ ନିଜକୁ ପ୍ରତିଷ୍ଠିତ କରାଇନେଇଥିଲେ। ୫୨ ଟେଷ୍ଟ୍ ଖେଳି ୯୩ ପାଳିରୁ ୯ ଶତକ, ୧୯ ଅର୍ଧଶତକ ସହାୟତାରେ ୩୮୩୫ ରନ୍ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ୨୨୬। ୨୦୧୩-୧୪ ଆସେସ୍ ଶୃଙ୍ଖଳାରେ ମିଚେଲ୍ ଜନ୍‌ସନଙ୍କ ଭୟଙ୍କର ପେସ୍‌ ବୋଲିଂର ଶିକାର‌ ହେବାରୁ ତାଙ୍କ ଖେଳ ଜୀବନ ଆଗୁଆ ଶେଷ ହୋଇଯାଇଥିଲା।

ବିଜୟ ମଞ୍ଜରେକର (ଭାରତ)
ଭାରତୀୟ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକରଙ୍କ ପିତା ବିଜୟ ମଞ୍ଜରେକର ମଧ୍ୟ ବିନା ଛକାରେ ନିଜ ଟେଷ୍ଟ୍ ଜୀବନ ଶେଷ କରିଥିଲେ। ୫୫ ମ୍ୟାଚ୍‌ ୯୨ ପାଳି ଖେଳି ୩୨୦୮ ରନ୍ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ଥିଲା ୧୮୯। ଭାରତର ୧୯୫୧-୫୨ ଇଂଲଣ୍ଡ ଗସ୍ତ ତୃତୀୟ ଟେଷ୍ଟ୍‌ରେ ସେ ପଦାର୍ପଣ କରିଥିଲେ। ୭ ନମ୍ବରରେ ବ୍ୟାଟିଂ କରି ପଦାର୍ପଣ ପାଳିରେ ପ୍ରଶଂସନୀୟ ୪୮ ରନ୍ କରିଥିଲେ। ମାତ୍ର ୨୦ ବର୍ଷ ବୟସରେ ୧୯୫୨ ମସିହାରେ ଶତକ (୧୩୩) ହାସଲ କରି ଭାରତର ଶୀର୍ଷକ୍ରମ ବ୍ୟାଟିଂ ବିପର୍ଯ୍ୟୟକୁ ବଞ୍ଚାଇଥିଲେ। ‌ବିନା ଛକାରେ ଖେଳ ଜୀବନ ଶେଷ କରିଥିବା ବିଜୟ ମଞ୍ଜରେକରଙ୍କ ବ୍ୟାଟରୁ ୭ ଶତକ ଏବଂ ୧୫ ଅର୍ଧଶତକ ମିଳିଥିଲା। ୧୯୬୫ ମସିହାରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ନିଜର ଶେଷ ପାଳିରେ ମଧ୍ୟ ଶତକ ହାସଲ କରିଥିଲେ।

ଗ୍ଲେନ୍ ଟର୍ନର (ନ୍ୟୁଜିଲାଣ୍ଡ୍‌)
୧୯୬୯ ମସିହାରେ ନ୍ୟୁଜିଲାଣ୍ଡ୍ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିଲେ। ପ୍ରଥମ ପାଳିରେ ଶୂନ ଏବଂ ଦ୍ବିତୀୟ ପାଳିରେ ୪୦ ରନ୍ କରିଥିଲେ। ଇଂଲିଶ କାଉଣ୍ଟି ଦଳ ୱର୍ସେଷ୍ଟରସାୟାର୍‌ ପାଇଁ ଲମ୍ବା ସମୟ ଧରି ଖେଳିବାର ଅଭିଜ୍ଞତା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରି‌କେଟ୍‌ରେ ସଫଳ କରାଇଥିଲା। ସେ ଦୁଇ ଥର ସମ୍ପୂର୍ଣ୍ଣ ଟେଷ୍ଟ୍ ପାଳିରେ ଅପରାଜିତ ରହିଥିଲେ। ପ୍ରଥମ ନ୍ୟୁଜିଲାଣ୍ଡ୍‌ ଖେଳାଳି ଭାବେ ଏକ ଟେଷ୍ଟ୍ ମ୍ୟାଚ୍‌ର ଉଭୟ ପାଳିରେ ଶତକ ହାସଲ କରି ଯମଜ ସଫଳତା ପାଇଥିଲେ। ସାମୟିକ ସମୟ ପାଇଁ ନ୍ୟୁଜିଲାଣ୍ଡ୍‌ର ଅଧିନାୟକ ବି ହୋଇଥିଲେ। ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ପ୍ରଶାସକଙ୍କ ସହ ଅରାଜି କାରଣରୁ ସେ ସୀମିତ ସଂଖ୍ୟକ ମ୍ୟାଚ୍‌ ଖେଳିଥିଲେ। ୪୧ ଟେଷ୍ଟ୍‌, ୭୩ ପାଳିରୁ ୨୯୯୧ ରନ୍ କରିଥିଲେ। ୨୫୯ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା। କିନ୍ତୁ ଗୋଟିଏ ବି ଛକା ମାରିପାରିନଥିଲେ।

ସମ୍ବନ୍ଧିତ ଖବର