କଟକ: ନୂଆବର୍ଷରେ ଓଡ଼ିଶା ରଣଜୀ ଦଳକୁ ନୂଆ ଅଧିନାୟକ ମିଳିଛି। ଲଗାତର ଦୁଇଟି ମ୍ୟାଚ୍ରେ ଭୁଲ୍ ରଣନୀତି ପାଇଁ ବିପ୍ଲବ ସାମନ୍ତରାୟଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିଲା ବେଳେ ଶୁଭ୍ରା˚ଶୁ ସେନାପତି ରାଜ୍ୟ ବରିଷ୍ଠ ଦଳର ମଙ୍ଗ ଧରିବେ। କେବଳ ଏତିକି ନୁହେଁ ଖରାପ ଫର୍ମ ଦେଇ ଗତି କରୁଥିବା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ୱିକେଟ୍ରକ୍ଷକ ପି ରୋଶନ କୁମାର ରାଓଙ୍କୁ ବି ଦଳରୁ ବାଦ୍ ଦିଆଯାଇଛି। ଏମାନଙ୍କ ସ୍ଥାନରେ ସନ୍ଦୀପ ପଟ୍ଟନାୟକ ଓ ସୁଜିତ ଲେଙ୍କା ଗୋଆ ବିପକ୍ଷ ଶେଷ ମ୍ୟାଚ୍ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ମ୍ୟାଚ୍ ଆସନ୍ତା ୭ ତାରିଖଠୁ ଭୁବନେଶ୍ବରର ବିକାଶ ପଡ଼ିଆରେ ଖେଳାଯିବ। ଚଳିତ ରଣଜୀ ଋତୁରେ ଶେଷ ଲିଗ୍ ମ୍ୟାଚ୍ ପାଇଁ ଶୁକ୍ରବାର ଦଳ ଚୟନ କରାଯାଇଛି। ବହୁ ପୂର୍ବରୁ ଯେଉଁ ପରିବର୍ତ୍ତନର ଚିନ୍ତା କରାଯାଉଥିଲା, ତାହାକୁ ଏବେ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଓଡ଼ିଶା କ୍ରିକେଟ୍ର ଭବିଷ୍ୟତକୁ ଆଖିଆଗରେ ରଖି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦିଆଯିବାକୁ ମଧ୍ୟ ପ୍ରୟାସ କରାଯାଇଥିବା ଚୟନ ସମିତି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି ସୂଚନା ଦେଇଛନ୍ତି। ଗତ କେତୋଟି ମ୍ୟାଚ୍ରେ ବିପ୍ଲବ ଚୂଡ଼ାନ୍ତ ଏକାଦଶ ଚୟନ କରିବାରେ ଭୂଲ୍ ନିଷ୍ପତ୍ତି ନେଇଥିଲେ। ସ୍ପିନ୍ ପିଚ୍ରେ ଅନାବଶ୍ୟକ ଭାବେ ଅଧିକ ଦ୍ରୁତ ବୋଲରଙ୍କୁ ଖେଳାଇଲେ। ହେଲେ ଦ୍ରୁତ ବୋଲରଙ୍କ ଅପେକ୍ଷା ପାର୍ଟ ଟାଇମ୍ ସ୍ପିନରମାନେ ଵିକେଟ୍ ପାଉଥିଲେ। ଶେଷ ମ୍ୟାଚ୍ରେ ମଧ୍ୟ ସମାନ ଅବସ୍ଥା ଦେଖାଯଇଥିଲା। ଖାସ୍ ଏଥିପାଇଁ ବିପ୍ଲବଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିଛି। ଶୁଭ୍ରା˚ଶୁ ୨୩ ବର୍ଷରୁ କମ୍ ଦଳରେ ପୂର୍ବରୁ ନେତୃତ୍ବ ନେଇଛନ୍ତି। ତାଙ୍କ ପାଖରେ ଓଡ଼ିଶାର ନେତୃତ୍ବ ନେଲାଭଳି ସାମର୍ଥ୍ୟ ରହିଛି। ତେଣୁ ଭବିଷ୍ୟତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଷ୍ଣୁଦେବ କହିଛନ୍ତି। ଅନ୍ୟପକ୍ଷରେ ଗୋବିନ୍ଦ ପୋଦ୍ଦାର ୧୪ ପାଳିରୁ ମାତ୍ର ୧୪.୭୫ ହାରରେ ୧୭୭ ରନ୍ କରିଛନ୍ତି। ପ୍ରତ୍ୟେକ ମ୍ୟାଚ୍ରେ ସେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା ବେଳେ ବୋଲର ଭାବେ ମଧ୍ୟ ତାଙ୍କୁ ବିବେଚନା କରିହେବ ନାହିଁ। ତାଙ୍କୁ ପ୍ରତି ମ୍ୟାଚ୍ରେ ନ୍ୟାୟ ଦେବାକୁ ଆମେ ଚେଷ୍ଟା କରିଛୁ। ଏତେ ସୁଯୋଗ ସତ୍ତ୍ବେ ସେ ପ୍ରଦର୍ଶନ ଦେଇପାରିଲେନି। ଏଭଳି ସ୍ଥିତିରେ ସନ୍ଦୀପ ପଟ୍ଟନାୟକ ସିକେ ନାୟୁଡୁ ଟ୍ରଫିରେ ଦୁଇଟି ଶତକ ଅର୍ଜନ କରି ଫର୍ମକୁ ଆସିଥିବାରୁ ଗୋବିନ୍ଦଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ଦିଆଯାଇଛି। ପି ରୋଶନ କୁମାର ମଧ୍ୟ ସୁଯୋଗର ସଦୁପଯୋଗ କରିପାରିନାହାନ୍ତି। ରାଜେଶ ଧୂପର ଫିଟ୍ ନଥିବାରୁ ସୁଜିତ ଲେଙ୍କା ପୁଣି ଥରେ ଦଳକୁ ଫେରିଛନ୍ତି। ଏହି ତିନିଟି ପରିବର୍ତ୍ତନକୁ ଛାଡ଼ିଦେଲେ ଅନ୍ୟ ସବୁ ଅପରିବର୍ତ୍ତିତ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp