ଆଉ ୩ ଦିନ: ବ୍ରାଜିଲ ଶିବିରରେ ଯୋଗଦେଲେ ନେମାର

କାତାର: ଫିଫା ବିଶ୍ବକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୩ ଦିନ ବାକି ଥିଲାବେଳେ ବ୍ରାଜିଲ ସୁପରଷ୍ଟାର ନେମାର ବୁଧବାର ଦଳ ସହ ଯୋଗଦେଇଛନ୍ତି। ବ୍ରାଜିଲ୍‌ ଶିବିରରେ ଯୋଡ଼ିହେବା ମାତ୍ରେ ସେ ମଧ୍ୟ ବୁଧବାର ପ୍ରଥମ ଅଭ୍ୟାସ ସେସନ୍‌ରେ ଭାଗ ନେଇଥିଲେ। ବିମାନ ଜନିତ ସମସ୍ୟାକୁ କେନ୍ଦ୍ର କରି ନେମାର ଅନ୍ୟ ସାଥୀ ଖେଳାଳିଙ୍କ ସହ ଫ୍ରାନ୍‌ସରୁ ଆସିପାରିନଥିଲେ। ଫଳରେ ତାଙ୍କ କାତାର ପହଞ୍ଚିବା ବିଳମ୍ବିତ ହୋଇଥିଲା। ଫ୍ରାନ୍‌ସରେ ନେମାର ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ (ପିଏସ୍‌ଜି) ସହ ଅଧା ଋତୁ ବିତାଇଥିଲେ। ତେବେ ବୁଧବାର ଅନ୍ୟାନ୍ୟ ସାଥୀ ଖେଳାଳିଙ୍କ ଅଧଘଣ୍ଟା ପୂର୍ବରୁ ଅଭ୍ୟାସ ସେସନ୍‌ରୁ ଚାଲିଯାଇଥିଲେ। ନେମାରଙ୍କ ପିଏସ୍‌ଜି ଦଳୀୟ ସାଥୀ ମଧ୍ୟ ପରେ ବ୍ରାଜିଲ ଶିବିରରେ ଯୋଗ ଦେଇଥିଲେ।

ବ୍ରାଜିଲ କିନ୍ତୁ ଇଟାଲିର ତୁରିନ୍‌ଠାରେ ବିଶ୍ବକପ୍‌ ପ୍ରସ୍ତୁତି ଆରମ୍ଭ କରିଥିଲା। ଫଳରେ ଗତ ଶନିବାର ପର୍ଯ୍ୟନ୍ତ ତୁରିନ୍‌ରେ ଅବସ୍ଥାନ କରିଥିବା ବ୍ରାଜିଲ ଦଳ ସେହି ଦିନ କାତାର ଆସିଥିଲା। ଏହି ୫ ଥର ବିଶ୍ବ ବିଜେତା ଦଳ ପ୍ରାୟ ଦୁଇ ଦଶନ୍ଧୀ ପରେ ପ୍ରଥମ ଥର ବିଶ୍ବକପ୍‌ ଜିତିବାର ଲକ୍ଷ୍ୟ ରଖିଛି। ଏହି ଦଳ ଆସନ୍ତା ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ ସର୍ବିଆ ସହ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ଅଧଲିଟର ବିୟର୍‌ର ଦର ୧୪ ଡଲାର

ଦୋହା: କାତାରରେ ସର୍ବସାଧାରଣରେ ଆଲ୍‌କହଲ୍‌ ବ୍ୟବହାର କରିବାକୁ ବାରଣ ରହିଛି। କିନ୍ତୁ ଫିଫା ବିଶ୍ବକପ୍‌ ପାଇଁ ସ୍ବତନ୍ତ୍ର ଭାବେ ଅନୁମତି ଦିଆଯାଇଥିଲା ବେଳେ ଏହା ଉପରେ କିଛିଟା କଟକଣା ଯୋଡ଼ାଯାଇଛି। ତେଣୁ ଦରଦାମ୍‌ ବି ସ୍ବାଭାବିକ୍‌ଠୁ ଅଧିକ ମାତ୍ରାରେ ବଢ଼ିଯାଇଛି। ଷ୍ଟାଡିୟମ୍‌ର ଫ୍ୟାନ୍‌ ଜୋନ୍‌ରେ ଗୋଟିଏ ଅଧଲିଟର ବିୟର ବୋତଲ୍‌କୁ ୫୦ କାତାର ରିୟାଲ୍‌ସ ବା ପାଖାପାଖି ୧୪ ଡଲାରରେ ବିକ୍ରି ହେବ ବୋଲି ଜଣାପଡ଼ିଛି। ଏହାବାଦ୍‌ ଅଣ ଆଲ୍‌କହଲିକ୍‌ ବିୟରକୁ ୩୦ ରିୟାଲ୍‌ସ (୮.୨୫ ଡଲାର) ଓ ମୃଦୁପାନୀୟକୁ ୧୫ ରିୟାଲ୍ସ (୪.୧୦ ଡଲାର)ରେ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ବିଶ୍ବକପ୍‌ର ସବୁଠୁ ବଡ଼ ପ୍ରାୟୋଜକ ବଡବାଇଜର୍‌ ପକ୍ଷରୁ ଫାଇନାଲ୍‌ରେ ବିଅର ପ୍ରଦାନ କରିବାକୁ ଅଧିକାର ମିଳିଛି। କେନ୍ଦ୍ରୀୟ ଦୋହାର ଅଲ୍‌ ବିଡା ପାର୍କଠାରେ କରାଯାଇଥିବା ଫ୍ୟାନ୍‌ ଜୋନ୍‌ରେ ଏହି କମ୍ପାନି ପକ୍ଷରୁ ବିୟର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ଏଥିସହିତ ଷ୍ଟାଡିୟମ୍‌ମାନଙ୍କରେ କରାଯାଇଥିବା ନିର୍ଦ୍ଧିଷ୍ଟ ଅଞ୍ଚଳରେ ବିୟର ବିକ୍ରି କରିବାକୁ ଅନୁମତି ଦିଆଯାଇଛି। ଏଥର ବିଶ୍ବକପ୍‌ ଏକ ମୁସଲିମ୍‌ ଦେଶରେ ଆୟୋଜନ କରାଯାଉଛି। ଏଠାରେ ଆଲ୍‌କହଲ୍‌ ଉପରେ କଡ଼ା ନିୟମ ରହିଛି। ଯଦିଓ ସଂପୂର୍ଣ୍ଣ ବାରଣ କରାଯାଇନାହିଁ, ତଥାପି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ବେଆଇନ ବୋଲି କାତାରରେ ନିୟମ ରହିଛି। ଯେଉଁଥିପାଇଁ ବିଶ୍ବକପ୍‌ ସମୟରେ ହୋଟେଲ୍‌ ବାର୍‌ଗୁଡ଼ିକରେ ବି ଅଧଲିଟର ବିୟରର ଦାମ୍‌ ୫୦ ରିୟାଲ୍‌ସ ରହିଛି। ତେଣୁ ଏହି ଦରରେ ନିୟନ୍ତ୍ରଣ ଆଣିବାକୁ ଆୟୋଜକଙ୍କ ପକ୍ଷରୁ ଫିଫାକୁ ଅନୁରୋଧ କରାଯାଇଥିଲେ ହେଁ ଦାମ୍‌ରେ ବଡ଼ ଫରକ୍ ରହୁଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର