ମୁଷ୍ଟିଯୁଦ୍ଧରୁ ୩ ସ୍ବର୍ଣ୍ଣ: କମାଲ କଲେ ନିତୁ, ପଙ୍ଘଲ, ନିଖତ

ବର୍ମିଂହାମ: କୁସ୍ତି ଭଳି ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରେ ମଧ୍ୟ ଭାରତୀୟ ଯୋଦ୍ଧା କମାଲ କରିଛନ୍ତି। ରବିବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରୁ ଭାରତ ତିନିଟି ସ୍ବର୍ଣ୍ଣ ଜିତିନେଇଛି। ଏହି ସ୍ବର୍ଣ୍ଣିମ ସଫଳତା ନିତୁ ଘଙ୍ଘସ୍, ଅମିତ ପଙ୍ଘଲ ଓ ନିଖତ ଜରିନ ହାସଲ କରିଛନ୍ତି। ମହିଳା ୪୫ରୁ ୪୮ କିଲୋଗ୍ରାମର ଫାଇନାଲ୍‌ରେ ଇଂଲଣ୍ଡର ଡେମି ଜେଦ୍ ରେଜତାନଙ୍କୁ ୫-୦ରେ ହରାଇ ୨୧ ବର୍ଷୀୟା ନିତୁ ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରୁ ଭାରତ ପାଇଁ ରବିବାରର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ନିତୁଙ୍କର ଏହା ପ୍ରଥମ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଥିଲା। ସେହିଭଳି ପୁରୁଷ ୫୧ କିଲୋଗ୍ରାମରେ ପ୍ରତିପକ୍ଷ ତଥା ୟୁରୋପିଆନ୍ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା ଇଂଲଣ୍ଡର କିରନ ମ୍ୟାକ୍‌ଡୋନାଲ୍ଡଙ୍କୁ ସେହି ୫-୦ରେ ପରାସ୍ତ କରି ଦେଶ ପାଇଁ ମୁଷ୍ଟିଯୁଦ୍ଧରୁ ଦ୍ବିତୀୟ ସ୍ବର୍ଣ୍ଣ ଜିତିଥିଲେ ଅମିତ ପଙ୍ଘଲ। ଉଚ୍ଚତା ତୁଳନାତ୍ମକ ଭାବେ କମ୍ ଥିଲେ ମଧ୍ୟ ମ୍ୟାକ୍‌ଡୋନାଲ୍ଡଙ୍କୁ ପରାସ୍ତ କରିବାକୁ ପଙ୍ଘଲଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ବରଂ ତିନିଟି ଯାକ ରାଉଣ୍ଡ୍‌‌ରେ ଆ‌ଧିପତ୍ୟ ବିସ୍ତାର କରି ବିଚାରକଙ୍କ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ବିଜେତା ଘୋଷିତ ହୋଇଥିଲେ ସେ। ପଙ୍ଘଲ ଏହା ପୂର୍ବରୁ ଏସୀୟ କ୍ରୀଡ଼ାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା‌ରେ ରୌପ୍ୟ ପଦକ ପାଇଥିଲେ।

ଅନ୍ୟପକ୍ଷରେ ମହିଳା ୫୦ କିଲୋଗ୍ରାମ ବା ଲାଇଟ୍ ଫ୍ଲାଏୱେଟ୍ ବର୍ଗରେ ନିଖତ ଜରିନ ମୁଷ୍ଟିଯୁଦ୍ଧରୁ ଭାରତକୁ ତୃତୀୟ ସ୍ବର୍ଣ୍ଣ ଉପହାର ଦେଇଥି‌ଲେ। ବିଶ୍ବ ବିଜୟିନୀ ନିଖତ ଫାଇନାଲ୍‌ରେ ଆୟର୍ଲାଣ୍ଡର କାର୍ଲି ମ୍ୟାକନଉଲଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହି ମୁକାବିଲାର ତିନିଟି ଯାକ ରାଉଣ୍ଡରେ ନିଖତ ଆକ୍ରମଣାତ୍ମକ ମୁଦ୍ରାରେ ରହି ମ୍ୟାକନଉଲଙ୍କ ଉପରେ ଚାପ ପକାଇବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ବର୍ଣ୍ଣ ପଦକ ରବିବାର ଭାରତର ଚତୁର୍ଥ ଏବଂ ମୋଟ ଉପରେ ସପ୍ତଦଶ ସ୍ବର୍ଣ୍ଣ ଥିଲା। ନିଖତଙ୍କ ସଫଳତା ପରେ ଭାରତ ନ୍ୟୁଜିଲାଣ୍ଡକୁ ଟପି ପଏଣ୍ଟ ତାଲିକାର ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ‌ହୋଇଥିଲା।

ସମ୍ବନ୍ଧିତ ଖବର