ଭାରତର ଲଗାତାର ପରାଜୟ: ଶ୍ରୀଲଙ୍କା ଫାଇନାଲ୍‌ ଦ୍ବାରରେ

ଦୁବାଇ: ଏସିଆ କପ୍‌ରେ ଶ୍ରୀଲଙ୍କାର ଯୁବ କ୍ରିକେଟ୍ ଦଳ ମଙ୍ଗଳବାର ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ତାରକା ଖଚିତ ତଥା ଗତଥର ବିଜେତା ଭାରତକୁ ୬ ୱିକେଟ୍‌ରେ ହରାଇ ବିଦାୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଛି ଶ୍ରୀଲଙ୍କା। ଅନ୍ୟପକ୍ଷରେ ‘ସୁପର-୪’ରେ ଲଗାତାର ଦୁଇଟି ବିଜୟ ହାସଲ କରି ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ଏକପ୍ରକାର ସ୍ଥାନ ସୁରକ୍ଷିତ କରି ‌ନେଇଛି। ଭାରତ ତା’ର ପ୍ରଥମ ସୁପର-୪ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ୫ ୱିକେଟ୍‌ରେ ହାରିଥିଲା। ଏବେ ଶ୍ରୀଲଙ୍କାଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଫାଇନାଲ୍‌କୁ ଯିବା ଆଶା ଆପାତତଃ ମଉଳି ଯାଇଛି। ଏହି ପର୍ଯ୍ୟାୟର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବାକିଥିଲେ ମଧ୍ୟ ଫାଇନାଲ୍‌କୁ ଯିବା ଲାଗି ଭାରତକୁ ଏବେ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ହେବ। ବିଶେଷ କରି ବୁଧବାର ଆଫଗାନିସ୍ତାନକୁ ପାକିସ୍ତାନ ହରାଇଲେ ଭାରତ ଚଳିତ ଏସିଆ କପ୍‌ରୁ ଅନୁଷ୍ଠାନିକ ଭାବେ ବିଦାୟ ନେବ ।

ଭାରତ ଆଜି ଶ୍ରୀଲଙ୍କା ସମ୍ମୁଖରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଶ୍ରୀଲଙ୍କା ତା’ର ଦୁଇ ଓପନର ପଥୁମ ନିସଙ୍କ (୫୨) ଓ କୁଶଲ ମେଣ୍ଡିସ (୫୭)ଙ୍କ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ଗୋଟିଏ ଓଭରରେ ଦୁଇଟି ସହ ମୋଟ ତିନିଟି ୱିକେଟ୍ କରାୟତ୍ତ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। ହେଲେ ଭୁବନେଶ୍ବର କୁମାର ପୁଣି ଥରେ ଊନ୍ନବିଂଶ ଓଭରରେ ବ୍ୟୟବହୁଳ ସାବ୍ୟସ୍ତ ହେବା ଭାରତ ପରାଜୟର ପ୍ରମୁଖ କାରଣ ହୋଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦାସୁନ ସନକା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫାଇନାଲ୍ ପ୍ରବେଶ ଦୃଷ୍ଟିରୁ କର ବା ମର ସ୍ଥିତିରେ ଥିବା ଭାରତ ରବି ବିଷ୍ଣୋଇଙ୍କ ସ୍ଥାନରେ ଅଭିଜ୍ଞ ଅଶ୍ବିନଙ୍କୁ ଖେଳାଇଥିଲା।। ତେବେ ପାୱାର ପ୍ଲେ ଭିତରେ ଦୁଇଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ମହେଶ ଥିକସାନାଙ୍କ ଇନ୍ ସୁଇଂଗରକୁ ଆଗକୁ ଆସି ଖେଳିଲା ବେଳେ ଏହାକୁ ସଂପୂର୍ଣ୍ଣ ମିସ୍ କରି ଓପନର କେଏଲ୍ ରାହୁଲ ଦ୍ବିତୀୟ ଓଭରର ପଞ୍ଚମ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ଏହାର ମାତ୍ର ପାଞ୍ଚଟି ବଲ୍‌ ପରେ ବିରାଟ କୋହଲିଙ୍କ ରୂପରେ ଭାରତକୁ ଆଉ ଏକ ଶକ୍ତ ଧକ୍କା ଲାଗିଥିଲା। ଗତ ଦୁଇ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକୀୟ ପାଳି ଖେଳିବାର ଆତ୍ମବିଶ୍ବାସ ନେଇ କ୍ରିଜ୍‌କୁ ଆସିଥିବା କୋହଲି ଏକ ବେରୁଆ ସଟ୍ ଖେଳି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତିନିଟି ବଲ୍‌ରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ପରେ ପାୱାର ପ୍ଲେର ଫାଇଦା ନେଇ ମିଡୱିକେଟ୍ ଉପରେ ଚୌକା ଅମଳ କରିବାକୁ ଚେଷ୍ଟା କରୁଥିଲା ବେଳେ ଏଥିରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ସେ।

ବ୍ୟାଟ୍‌ ବଲ୍‌କୁ ଛୁଇଁ ନପାରିବା‌ ପରେ କୋହଲିଙ୍କ ଖାଡ଼ି ଉଡ଼ିଯାଇଥିଲା। ସେତେବେଳକୁ ‌ସ୍କୋର ବୋର୍ଡରେ ମାତ୍ର ୧୩ ରନ୍ ଥିଲା। ଏହା ପରେ ଅଧିନାୟକ ରୋହିତ ଶର୍ମା (୭୨) ଦ୍ରୁତ ‌ହେଲେ ଦାୟିତ୍ବବାନ ପାଳି ଖେଳି ସ୍ଥିତି ସଜାଡ଼ିଥିଲେ। ୩୨ ବଲ୍‌ରୁ ୨୮ତମ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ଅନ୍ୟତମ ମୁମ୍ବାଇ ତାରକା ସୂର୍ଯ୍ୟକୁମାର ଯାଦବ (୩୪)ଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୯୭ ରନ୍ ଯୋଡ଼ିଥିଲେ। ଏହା ମଧ୍ୟ ଭାରତୀୟ ପାଳି ସବୁଠୁ ବଡ଼ ଭାଗୀଦାରି ଥିଲା। ଚାମିକା କରୁଣା‌ରତ୍ନେ ଏକ ଧିମା ସର୍ଟ ବଲ୍‌ରେ ରୋହିତଙ୍କୁ ଆଉ କରି ଯୋଡ଼ି ଭାଙ୍ଗିଥି‌ଲେ। ୯ ରନ୍ ପରେ ସୂର୍ଯ୍ୟକୁମାର ମଧ୍ୟ ବିପଜ୍ଜନକ ସଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କ ଉପରେ ପ୍ରଶଂସକଙ୍କ ବହୁତ ଆଶା ଥିଲେ ମଧ୍ୟ ଉଭୟ ମାତ୍ର ୧୭ ରନ୍ ଲେଖାଏଁ କରି ପାରିଥିଲେ। ଶେଷ ଓଭରରେ ଆର ଅଶ୍ବିନ ଏକ ସୁନ୍ଦର ଛକା ସହ ୧୨ ରନ୍ ଅମଳ କରିବା ପରେ ଭାରତ ୮ ୱିକେଟ୍‌ ବିନିମୟରେ ୧୭୩ ରନ୍ କରିପାରିଥିଲା। ହାତରେ ୱିକେଟ୍ ଥାଇ ମଧ୍ୟ ଶେଷ ୪ ଓଭରରେ ଭାରତ ମାତ୍ର ୩୮ ରନ୍ ଅମଳ କରିପାରିଥିଲା।

ସମ୍ବନ୍ଧିତ ଖବର