୩ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ଉଦ୍ଘାଟନ: ହିଞ୍ଜିଳିକାଟୁ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍
ଛତ୍ରପୁର ଇନ୍ଡୋର ହଲ୍, କଳିଙ୍ଗ ଷ୍ଟାଡିୟମ୍ରେ ୨୨ ଲେନ୍ ସୁଟିଂ ରେଞ୍ଜ୍
ଭୁବନେଶ୍ବର: ଓଡ଼ିଶା ବଦଳୁଛି। ପରିବର୍ତ୍ତନର ଏହି ପ୍ରଷ୍ପୁଟିତ ଧାରାରେ ସୋମବାର ଥିଲା କ୍ରୀଡ଼ା ଭିତ୍ତିଭୂମିର ପାଳି। ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଦିବସରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ତିନିଟି ବିଶ୍ବସ୍ତରୀୟ କ୍ରିଡ଼ା ଭିତ୍ତିଭୂମିକୁ ଭର୍ଚୁଆଲ ପ୍ଲାଟ୍ଫର୍ମରେ ଉଦଘାଟନ କରିଛନ୍ତି। ସେଥିମଧ୍ୟରେ ରହିଛି ହିଞ୍ଜିଳିକାଟୁରେ ଦେଢ଼ ଏକର ଜମି ଉପରେ ନିର୍ମାଣ ହୋଇଥିବା ଅନ୍ତର୍ଜାତୀୟ ମାନର ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍। ଛତ୍ରପୁରରେ ଇନ୍ଡୋର ହଲ୍ ଏବଂ କଳିଙ୍ଗ ଷ୍ଟାଡିୟମରେ ୨୨ ଲେନ୍ ବିଶିଷ୍ଟ ନବନର୍ମିତ ୧୦ ମିଟର ସୁଟିଂ ରେଞ୍ଜ୍ ଓ ୫୦ ମିଟର ରେଞ୍ଜ୍ର ନବୀକରଣ। ଏହି ଅବସରରେ ଛତ୍ରପୁରଠାରେ ଖୁବଶୀଘ୍ର ଏକ ସିନ୍ଥେଟିକ୍ ଟର୍ଫ ବିଶିଷ୍ଟ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ। ସେହିଭଳି ଆଗାମୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅଧିକରୁ ଅଧିକ ତୃଣମୂଳ ସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ପ୍ରକାଶ କରିଥିଲେ।
ହିଞ୍ଜିଳିକାଟୁ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍ରେ ବ୍ୟାଡ୍ମିଣ୍ଟନ୍, ଭଲିବଲ୍, ବାସ୍କେଟବଲ୍ କୋର୍ଟ ରହିବା ସହ ଯୋଗ, ଜିମ୍ ଓ ଫିଜିଓଥେରାପିର ବ୍ୟବସ୍ଥା ବି ଅଛି। ଏଠାରେ ୩୦୦ ଦର୍ଶକ କ୍ଷମତା ଗ୍ୟାଲେରି ମଧ୍ୟ ନିର୍ମାଣ କରାଯାଇଛି। ଅନ୍ୟପକ୍ଷରେ ଛତ୍ରପୁର ଉନ୍ଡୋର ହଲ୍ରେ ତିନିଟି କାଠ ଚଟାଣ ବିଶିଷ୍ଟ ଅନ୍ତର୍ଜାତୀୟ ମାନର ବ୍ୟାଡମିଣ୍ଟନ୍ କୋର୍ଟ ରହିଛି। ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ଗଗନ ନାରଙ୍ଗ ହାଇପର୍ଫର୍ମାନ୍ସ ସେଣ୍ଟର ଦ୍ବାରା ପରିଚାଳିତ କଳିଙ୍ଗ ଷ୍ଟାଡିୟମ୍ ସୁଟିଂ ରେଞ୍ଜ୍ରେ ୨୨ ଲେନ୍ ବିଶିଷ୍ଟ ୧୦ ମିଟର ସୁଟିଂ ରେଞ୍ଜ୍ ନିର୍ମାଣ କରାଯାଇଥିଲା ବେଳେ ପୂର୍ବରୁ ଥିବା ୫୦ ମିଟର ରେଞ୍ଜ୍ର ନବୀକରଣ କରାଯାଇଛି। ଏଠାରେ ପ୍ରତିଦିନ ୬୦ଜଣ ଖେଳାଳି ଅଭ୍ୟାସ କରିବାର ସୁବିଧା ସୁଯୋଗ ରହିଛି।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ଅଲିମ୍ପିଆନ୍ ଗଗନ ନାରଙ୍ଗ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଶୋଇ, ଜାତୀୟ ରାଇଫଲ୍ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ ପ୍ରମୁଖ ନିଜ ନିଜ ମତ ରଖିଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ୍ ସ୍ବାଗତ ଭାଷଣ ଦେଇଥିଲେ। କ୍ରୀଡ଼ା ନିର୍ଦ୍ଦେଶକ ଆର. ଭିନିଲକ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ନେଇ ଏକ ଭିଡିଓ ଚିତ୍ର ବି ପ୍ରଦର୍ଶିତ ହୋଇଥିଲା। ୫ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ତାରକାଙ୍କ ନୂଆ ପିଢ଼ି ଉଦୟ ହେବ: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ସଂପୂର୍ଣ୍ଣ କାୟା ପରିବର୍ତ୍ତନ ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି। କ୍ରୀଡ଼ା ତାରକାଙ୍କ ଶିଖର ଛୁଇଁବା ଅନ୍ବେଷଣରେ ସହଯୋଗ ଓ ସମର୍ଥନ ଦେବା ଆମେ ଜାରି ରଖିବୁ। ଗଞ୍ଜାମର ମହନୀୟ କ୍ରୀଡ଼ା ସଂସ୍କୃତିକୁ ପ୍ରଶଂସା କରିବା ସହ ହିଞ୍ଜିଳିକାଟୁ ଏବଂ ଛତ୍ରପୁର ଇନ୍ଡୋର ଷ୍ଟାଡିୟମ୍ ଓ ହଲ୍ କ୍ରୀଡ଼ା ପ୍ରଚାରକୁ ଆହୁରି ସୁଦୂର ପ୍ରସାରୀ କରିବା ଲାଗି ନିର୍ମାଣ କରାଯାଇଛି। ଉଭୟ କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ, ହିଞ୍ଜିଳିକାଟୁ ଇନ୍ଡୋର ଷ୍ଟାଡିୟମ୍ ରାଜ୍ୟରେ ଥିବା ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ମଧ୍ୟରୁ ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିଭଳି ଭାରତ ପାରମ୍ପରିକ ଭାବେ ଏକ ସୁଟିଂ ମହାଶକ୍ତି ହୋଇ ରହି ଆସିଛି। ୧୦ ମିଟର ସୁଟିଂ ରେଞ୍ଜ୍ର ନିର୍ମାଣ ଏବଂ ୫୦ ମିଟର ରେଞ୍ଜ୍ର ନବୀକରଣ ପରେ ଓଡ଼ିଶାରୁ ମଧ୍ୟ ଅଧିକ ସଂଖ୍ୟକ ସୁଟିଂ ଚାମ୍ପିଅନ୍ ସୃଷ୍ଟି ହୋଇ ପାରିବେ ବୋଲି ଏହି ଅବସରରେ ଆଶା ପ୍ରକାଶ କରିଥିଲେ ସେ। କ୍ରୀଡ଼ା ବିକାଶ ପାଇଁ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାନ ଓ ତାରକା କ୍ରୀଡ଼ାବିତ୍ ହାତ ମିଳାଇବାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ। ଓଡ଼ିଶାର ଯୁବ ପ୍ରତିଭାଙ୍କୁ ସମର୍ଥନ କରୁଥିବାରୁ କୁମାର ମଙ୍ଗଳମ୍ ବିର୍ଲା ଓ ଗଗନ ନାରଙ୍ଗଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ନବୀନ। ଓଡ଼ିଶାରେ କ୍ରୀଡ଼ା ବିଭିଦତା ସୃଷ୍ଟି ପାଇଁ ଦେଉଥିବା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହାଦ୍ବାରା ଗ୍ରାମାଞ୍ଚଳରୁ ଅଧିକରୁ ଅଧିକ କ୍ରୀଡ଼ା ତାରକା ସୃଷ୍ଟି ହୋଇ ପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଦୂତିଙ୍କୁ ପଦୋନ୍ନତି
ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ସୋମବାର ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇବା ପରେ ତାଙ୍କୁ ଆଜି ଓଡ଼ିଶା ଖଣି ନିଗମ (ଓଏମ୍ସି)ର ପ୍ରବନ୍ଧକ ପଦକୁ ପଦୋନ୍ନତି ମିଳିଛି। ଦୂତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ରାଜ୍ୟ ପାଇଁ ଆଣିଥିବା ଗର୍ବ ଓ ଗୌରବ ପାଇଁ ପ୍ରଥମେ ତାଙ୍କୁ ଓଏମ୍ସିରେ ସହାକରୀ ପ୍ରବନ୍ଧକ ଚାକିରି ମିଳିଥିଲା। ଏହା ପରେ ଏସୀୟ କ୍ରୀଡ଼ାର ପ୍ରଦର୍ଶନ ଆଧାରରେ ଦୂତିଙ୍କୁ ଗତବର୍ଷ ଉପପ୍ରବନ୍ଧକକୁ ପଦୋନ୍ନତି ମିଳିଥିଲା। ଚଳିତ ବର୍ଷ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇବା ପରେ ତାଙ୍କୁ ପ୍ରବନ୍ଧକ ପଦକୁ ପଦୋନ୍ନତି ଦିଆଯାଇଛି। ଦୂତି ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ତାଙ୍କୁ ଆଗାମୀ ସମୟରେ ଆହୁରି ଭଲ ପ୍ରଦର୍ଶନ କରିବା ଲାଗି ପ୍ରେରଣା ଯୋଗାଇବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦୂତି ମଧ୍ୟ ସମର୍ଥନ ଓ ସହଯୋଗ ପାଇଁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଦୂତି ସଂପ୍ରତି ଆସନ୍ତାବର୍ଷର ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ଲାଗି କଠିନ ପରିଶ୍ରମ କରୁଛନ୍ତି। ‘‘କରୋନା କଟକଣା କୋହଳ ହେବା ପରେ ମୁଁ ଏବେ କଳିଙ୍ଗ ଷ୍ଟାଡିୟମ୍ରେ ଦୁଇ ବେଳା କଠିନ ଅଭ୍ୟାସ କରୁଛି। ଫିଟସେନ୍ ସ୍ତର ବଢ଼ାଇବାକୁ ନିୟମିତ ପ୍ରୟାସ କରୁଛି। ଅଲିମ୍ପିକ୍ସ ପାଇଁ ପୁଣି ଥରେ ଯୋଗ୍ୟତା ଅର୍ଜନ କରିବି ବୋଲି ଆଶା ରଖିଛି’’ ବୋଲି ଦୂତି ‘ସମ୍ବାଦ’କୁ କହିଥିଲେ। ସେ ମଧ୍ୟ ନିଜର ଅଗଣିତ ପ୍ରଶଂସକଙ୍କୁ ଭଲପାଇବା ଲାଗି ଧନ୍ୟବାଦ ଦେଇଥିଲେ।