ଏଫ୍‌ଆଇଏଚ୍‌ ପୁରସ୍କାର ଦୌଡ଼ରେ ଭାରତରୁ ୩

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ରବିବାର ଏଫ୍‌ଆଇଏଚ୍ ହକି ଷ୍ଟାର ପୁରସ୍କାର ଲାଗି ଖେଳାଳି ମନୋନୀତ କରିବା ସହ ମତଦାନ ଲାଗି ଆହ୍ବାନ କରିଛି। ଏହି ତାଲିକାରେ ଭାରତରୁ ଅଧିନାୟକ ମନପ୍ରୀତ ସିଂହ, ବିବେକ ସାଗର (ପୁରୁଷ) ଏବଂ ଲାଲରେମସିଆମି (ମହିଳା) ସ୍ଥାନ ପାଇଛନ୍ତି। ବର୍ଷର ଶ୍ରେଷ୍ଠ ଖେଳାଳି (ପୁରୁଷ) ଦୌଡ଼ରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତଙ୍କ ସହ ଅଷ୍ଟ୍ରେଲିଆର ଏଦିଲେ ଓକେନ୍‌ଦିନ୍‌, ଆରାନ ଜଲେୱସ୍କି, ଆର୍ଜେଣ୍ଟିନାର ଲୁକାସ ଭିଲା, ବେଲ୍‌ଜିୟମର ଆର୍ଥର ଭାନ୍‌ ‌ଡରେନ୍‌ ଓ ଭିକ୍ଟର ୱିଙ୍ଗେଜ୍ ରହିଛନ୍ତି। ପୁରୁଷ ଉଦୀୟମାନ ତାରକା ଭାବେ ବିବେକ ସାଗରଙ୍କ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ମାଇକୋ କାସିଲା (ଆର୍ଜେଣ୍ଟିନା), ବ୍ଲାକ୍‌ ଗୋଭର୍ସ (ଅଷ୍ଟ୍ରେଲିଆ), ଜାଚାରି ୱାଲାସି (ଗ୍ରେଟ୍‌ ବ୍ରିଟେନ୍‌) ଓ ଜୋନାସ ଡି’ଜିଅସ (ନେଦରଲାଣ୍ଡ)। ସେହିପରି ମହିଳା ଉଦୀୟମାନ ତାରକା ଦୌଡ଼ରେ ଭାରତୀୟ ଷ୍ଟ୍ରାଇକର ଲାଲରେମସିଆମିଙ୍କ ସହ ଜୁଲିଏତା ଜାଙ୍କୁନାସ (ଆର୍ଜେଣ୍ଟିନା), ଝଙ୍ଗ ଜିଆକି (ଚୀନ୍), ନିକି ଲରେଞ୍ଜ (ଜର୍ମାନି) ଓ ଫ୍ରେଡରିକ୍‌ ମାତ୍‌ଲା (ନେଦରଲାଣ୍ଡ) ଅଛନ୍ତି। ‌ମତଦାନ କରିବାର ଶେ‌ଷ ତାରିଖ ଜାନୁଆରି ୧୭ ରହିଥିଲା ବେଳେ ଫେବ୍ରୁଆରି ମାସରେ ବିଜେତାମାନଙ୍କର ନାମ ଘୋଷଣା କରାଯିବ ବୋଲି ଏଫ୍‌ଆଇଏଚ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର