ଚେନ୍ନାଇ: ଚେନ୍ନାଇର ଚେପକ୍‌ ଷ୍ଟାଡିୟମ ବ୍ୟାଟିଂ ପାଇଁ ସେତେଟା ଅନୁକୂଳ ନଥିଲା। ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ମଧ୍ୟ ସେତେଟା ସହଜ ନଥିଲା। ତଥାପି ଦୁଇ ଯୁବ ତାରକା ସିମରନ୍ ହେଟମେୟର ଏବଂ ସାଇ ହୋପ୍‌ଙ୍କ ଚିତ୍ତାକର୍ଷକ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ୧୩ ବଲ୍ ପୂର୍ବରୁ ଏବଂ ମାତ୍ର ଦୁଇ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତର ଏହି ଅପ୍ରତ୍ୟାଶିତ ପରାଜୟ ଲାଗି ବିଶେଷଜ୍ଞମାନେ ତିନିଟି କାରଣ ଦର୍ଶାଇଛନ୍ତି। ବିଶାଖାପାଟଣାରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଏହି ସବୁ ଦୁର୍ବଳତା ଦୂର ନକଲେ ୯ ଦ୍ବିପାକ୍ଷିକ ଶୃଙ୍ଖଳା ପରେ ଭାରତ ପ୍ରଥମ ଥର ଶୃଙ୍ଖଳା ହାରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି କାରଣଗୁଡ଼ିକ ହେଲା

Advertisment

ଦୁର୍ବଳ ଆରମ୍ଭ
ଭାରତ ଏହି ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଟସ୍ ଜିତିଥିଲେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରି ଥାଆନ୍ତେ ବୋଲି ଅଧିନାୟକ ବିରାଟ କୋହଲି ସେତେବେଳେ କହିଥିଲେ। ସମୟ ଗଡ଼ିବା ସହ ପିଚ୍ ମନ୍ଥର ପଡ଼ିଯିବ ବୋଲି ସେ ଆକଳନ କରିଥିଲେ। ତାଙ୍କର ଏହି ଅନୁମାନ କିନ୍ତୁ ସଂପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଥିଲା। ଭାରତ ମଧ୍ୟ ଭଲ ଆରମ୍ଭ କରି ପାରି ନଥିଲା। ଦଳର ତିନି ତାରକା ଲୋକେଶ ରାହୁଲ, ରୋହିତ ଶର୍ମା ଏବଂ ନିଜେ କୋହଲି ବଡ଼ ସ୍କୋର୍‌ କରିବାକୁ ବିଫଳ ହୋଇଥିଲେ। ଋଷବ ପନ୍ତ ଓ ଶ୍ରେୟସ ଆୟର ଶତକୀୟ ଭାଗୀଦାରି କରିଥିଲେ। ହେଲେ ପ୍ରଥମ ୧୦ ଓଭରର ଧିମା ଆରମ୍ଭ ପାଇଁ ଭାରତ ୩୦୦ ରନ୍ ଛୁଇଁ ପାରି ନଥିଲା।

ପ୍ରଭାବହୀନ ମଝି ଓଭର ବୋଲିଂ
ଭାରତ ଏହି ମ୍ୟାଚ୍‌ରେ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଇ ନଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ ପାଳିର ମଝି ଓଭରଗୁଡ଼ିକରେ କୋହଲି ଅଲରାଉଣ୍ଡର ଶିଭମ ଦୁବେ ଏବଂ କେଦାର ଯାଦବଙ୍କୁ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ହେଟମେୟର ଏବଂ ହୋପ୍ ପିଚ୍‌ରେ ଜମି ସାରିଥିବାରୁ ଏହି ଦୁଇ ଜଣଙ୍କୁ ଖେଳିବାରେ ଏମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ। ସେହିଭଳି ଫ୍ଲଡ୍‌ଲାଇଟ୍‌ରେ ପିଚ୍‌ରୁ ‌ବୋଲରଙ୍କୁ ସେତେଟା ସହାୟତା ମିଳି ନଥିଲା। ଯାହା ଭାରତ ପରାଜୟର ଅନ୍ୟତମ କାରଣ ଥିଲା। ଏକଥା ମ୍ୟାଚ୍ ପରେ କୋହଲି ବି ସ୍ବୀକାର କରିଥିଲେ।

ଅନ୍ତର୍ଜାତୀୟସ୍ତରରେ ‘ସ୍ବାଭାବିକ ଖେଳ’ ବୋଲି କିଛି ନାହିଁ: ପନ୍ତ
ଅନ୍ତର୍ଜାତୀୟସ୍ତରରେ ‘ସ୍ବାଭାବିକ ଖେଳ’ ବୋଲି କିଛି ନାହିଁ। ଆପଣଙ୍କୁ ପରିସ୍ଥିତି ଅନୁୟାଯୀ ହିଁ ଖେଳିବାକୁ ପଡ଼ିଥାଏ। ଭାରତୀୟ କ୍ରିକେଟ୍ ଦଳର ଯୁବ ତଥା ଚର୍ଚିତ ୱିକେଟ୍ ରକ୍ଷକ ଋଷବ ପନ୍ତ ଏହା କହିଛନ୍ତି। ନିଜ ‌ବେପରୁଆ ସଟ୍ ଚୟନ ଏବଂ ଦୁର୍ବଳ ୱିକେଟ୍ ରକ୍ଷଣ ପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିବା ପନ୍ତ ଶେଷରେ ରବିବାର ନିଜ ଜୀବନର ପ୍ରଥମ ଦିନିକିଆ ଅଧର୍ଶତକ ହାସଲ କରିଥିଲେ। ନିଜ ସ୍ବାଭାବିକ ଖେଳ ଖେଳିବା ପରିବର୍ତେ ପରିସ୍ଥିତି ମୁତାବକ ଦାୟିତ୍ବବାନ ବ୍ୟାଟିଂ କରି ୬୯ ବଲ୍‌ରୁ ୭୧ ରନ୍‌ର ପାଳି ଅର୍ଜନ କରିଥିଲେ। ଶ୍ରେୟସ ଆୟରଙ୍କ ସହ ସେ କରିଥିବା ଭାଗୀଦାରି ପାଇଁ ଭାରତ ୨୮୭/୮ ରନ୍‌ର ସମ୍ମାନଜନକ ସ୍କୋର କରିପାରିଥିଲା। ପରେ ଅବଶ୍ୟ ସିମରନ୍ ହେଟମେୟର ଏବଂ ସାଇ ହୋପ୍‌ଙ୍କ ଶତକ ପାଇଁ ଏହି ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ପରାଜିତ ହୋଇଥିଲା। ପରାଜିତ ଦଳରେ ଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ଭଲରୁ ଭଲ ପ୍ରଦର୍ଶନ କରିବାକୁ ସେ ପ୍ରୟାସରତ ବୋଲି ପନ୍ତ ମ୍ୟାଚ୍ ପରେ କହିଥିଲେ। ଏଥିନେଇ ସେ କହିଥିଲେ ମୁଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କଥା‌ ଶିଖୁଛି। ଦଳର ବିଜୟ ପାଇଁ ଯାହା ଦରକାର ମୁଁ ନିଶ୍ଚିତ ଭାବେ ତାହା କରିବି। ସଂପ୍ରତି ମୁଁ ମୋ ଖେଳ ଉପରେ ଅଧିକ ଧ୍ୟାନ ଦେଉଛି। ମୁଁ ସମସ୍ତଙ୍କୁ ପରାମର୍ଶ ଦେବି ଯେ ସବୁବେଳେ ନିଜ ଉପରେ ଭରସା ରଖ। କୌଣସି ପରିସ୍ଥିତିରେ ଆତ୍ମବିଶ୍ବାସ ହରାଅ ନାହିଁ।

ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କୁ ମ୍ୟାଚ୍ ପାଉଣାର ୮୦ ପ୍ରତିଶତ ଜରିମାନା
ଚେନ୍ନାଇ: ଚେନ୍ନାଇ ଦିନିକିଆରେ ମନ୍ଥର ବୋଲିଂ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଖେଳାଳି ନିଜ ମ୍ୟାଚ୍ ପାଉଣାର ୮୦ ପ୍ରତିଶତ ହରାଇଛନ୍ତି। ମ୍ୟାଚ୍ ରେଫରି ଡେଭିଡ୍ ବୁନ୍ ରବିବାର ଏହି ଜରିମାନା କରିଛନ୍ତି। ନିର୍ଧାରିତ ସମୟ ସହ ରିହାତି ସମୟକୁ ବିଚାରକୁ ନେଲା ପରେ ୱେଷ୍ଟଇଣ୍ଡିଜ୍ ୪ ଓଭର କମ୍ ବୋଲିଂ କରିଥିବା ଜଣାପଡ଼ିଥିଲା। ଫଳରେ ବୁନ୍ ଅଧିକ ସମୟ ନିଆଯାଇଥିବା ପ୍ରତି ଓଭର ପିଛା ଖେଳାଳିଙ୍କ ମ୍ୟାଚ୍ ପାଉଣାର ୨୦ ପ୍ରତିଶତ ଏବଂ ମୋଟ ଉପରେ ୮୦ ପ୍ରତିଶତ କାଟି ଦେଇଥିଲେ। ମ୍ୟାଚ୍ ପରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ନିଜ ଦଳର ଦୋଷ ସ୍ବୀକାର କରି ନେଇଥିଲେ। ଫଳରେ ଶୁଣାଣିର ଦରକାର ପଡ଼ି ନଥିଲା। ବୋଲିଂ ଶେଷ କରିବା ଲାଗି ୱେଷ୍ଟଇଣ୍ଡିଜ୍ ଅଧିକ ସମୟ ନେଇଥିବା ପଡ଼ିଆ ଅମ୍ପାୟାର ନିତିନ ମେନନ, ସନ୍ ଜର୍ଜ, ତୃତୀୟ ଅମ୍ପାୟାର ରଡନି ଟକକର ଓ ଚତୁର୍ଥ ଅମ୍ପାୟାର ଅନିଲ ଚୌଧୁରୀ ମ୍ୟାଚ୍ ରେଫରି ବୁନ୍‌ଙ୍କୁ ଜଣାଇଥିଲେ। ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଥିଲା ବେଳେ ଦ୍ବିତୀୟ ଦିନିକିଆ ବିଶାଖାପାଟଣାରେ ଆସନ୍ତା ୧୮ ତାରିଖ ଦିନ ଖେଳାଯିବ।