କଟକରେ ହେବ କିଂବଦନ୍ତିଙ୍କ ମେଳା: ବାରବାଟୀରେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍‌ର ୩ ମ୍ୟାଚ୍

ସେହବାଗ, ପଠାନ, ଭଜି ଓ କାଲିସ୍ ନେବେ ନେତୃତ୍ବ, ଅନଲାଇନ୍‌ରେ ଟିକେଟ୍ କିଣି ପାରିବେ ପ୍ରଶଂସକ

ଭୁବନେଶ୍ବର: କଟକରେ ହେବ କିବଂଦନ୍ତି କ୍ରିକେଟର୍‌ଙ୍କ ମେଳା। ବାରବାଟୀରେ ପ୍ରଥମ ଥର ପାଇଁ ଖେଳାଯିବ ପୂର୍ବତନ କ୍ରିକେଟର୍‌ଙ୍କୁ ନେଇ ଆୟୋଜିତ ହେଉଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ତିନିଟି ମ୍ୟାଚ୍। ରୁଣ୍ଡ ହେବେ ବୀରେନ୍ଦ୍ର ସେହବାଗ, ମୁଥୟା ମୁରଲୀଧରନ, ଜ୍ୟାକ୍ କାଲିସ୍, ଇର୍ଫାନ୍ ପଠାନ, କ୍ରିସ୍ ଗେଲ୍, ଡାନିଏଲ ଭିଟୋରୀ, ୟୁସୁଫ ପଠାନ, ଆର୍‌ପି ସିଂହଙ୍କ ଭଳି ବଛାବଛା ୭୯ ଜଣ ଅବସରପ୍ରାପ୍ତ ଲୋକପ୍ରିୟ କ୍ରିକେଟର୍‌। ଲିଗ୍‌ରେ ଚାରିଟି ଦଳ ଅଂଶଗ୍ରହଣ କରୁଥିଲା ବେଳେ କଟକରେ ଚଳିତ ସେପ୍ଟେମ୍ବର ୧୬, ୨୭ ଓ ୨୯ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଇଣ୍ଡିଆନ୍ ମହାରାଜା ଦଳର ସେହବାଗ, ୱାଲ୍ଡ ଜାଏଣ୍ଟସ୍‌ର କାଲିସ୍, ଭିଲାୱାରା କିଙ୍ଗ୍ସର ଇର୍ଫାନ୍ ଏବଂ ମହିପାଲ ଟାଇଗର୍ସର ହରଭଜନ ନେତୃତ୍ବ ନେବେ। ପ୍ରଥମ ମ୍ୟାଚ୍‌ରେ ଇର୍ଫାନଙ୍କ ଭିଲାୱାରା କିଙ୍ଗ୍ସ ଓ ହରଭଜନଙ୍କ ମହିପାଲ ଟାଇଗର୍ସ ମୁହାଁମୁହିଁ ହେବେ।
ନାରୀ ସଶକ୍ତୀକରଣର ବାର୍ତ୍ତା ନେଇ ଆୟୋଜିତ ହେଉଥିବା ଏହି ଲିଗ୍‌ର ଟିକେଟ୍ କ୍ରିକେଟ୍‌ପ୍ରେମୀ www.bookmyshow.com ୱେବସାଇଟ୍‌କୁ ଯାଇ କିଣି ପାରିବେ।

ବାରବାଟୀ ପର୍ଯ୍ୟାୟ ମ୍ୟାଚ୍ ଲାଗି ଖେଳାଳିମାନେ ୨୫ ତାରିଖରେ ପହଞ୍ଚିବା ଆରମ୍ଭ କରିବେ। କଟକ ବ୍ୟତୀତ କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ ଓ ଯୋଦ୍ଧପୁର‌ରେ ଏହି ଲିଗ୍‌ର ମୋଟ ୧୬ ମ୍ୟାଚ୍ ଖେଳାଯିବ। ମହାନ ଅଭିନେତା ଅମିତାଭ ବଚ୍ଚନ ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିଲା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମ୍ୟାଚ୍ କମିସନର ଅଛନ୍ତି। ଲିଗ୍ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିନେଇ ସୋମବାର ଏକ ସ୍ଥାନୀୟ ପଞ୍ଚତାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲିଗ୍‌ର ସହ ସଂସ୍ଥାପକ ତଥା ମୁଖ୍ୟକାର୍ଯ୍ୟନିର୍ବାହୀ ରମଣ ରହେଜା କହିଥିଲେ ଯେ ଲିଗ୍ ପାଇଁ ବାରବାଟୀ ଷ୍ଟାଡିୟମ୍‌ ଉପଲବ୍ଧ କରିଥିବାରୁ ଓଡ଼ିଶା କ୍ରିକେଟ୍ ସଂଘକୁ ଆଶେଷ ଅଶେଷ ଧନ୍ୟବାଦ। କ୍ରିକେଟ୍‌କୁ ଆହୁରି ଲୋକପ୍ରିୟ କରାଇବା ସହ ପୁଣି ଥରେ ପ୍ରଶଂସକଙ୍କୁ ପୂର୍ବତନ କ୍ରିକେଟର୍‌ଙ୍କ ଖେଳ ଦେଖାଇବାର ସୁଯୋଗ ପ୍ରଦାନ କରିବା ଏହି ଲିଗ୍‌ର ପ୍ରମୁଖ ଲକ୍ଷ୍ୟ। ଆମେ ମଧ୍ୟ ଏହାକୁ ମାଧ୍ୟମ କରି ନାରୀ ସଶକ୍ତୀକରଣର ବାର୍ତ୍ତା ଦେଉଛୁ। ଲିଗ୍‌ରେ ମୋଟ ୪ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଶା ସରକାର ଖୋ ଖୋ ଏବଂ ହକି ଭଳି ଖେଳର ପ୍ରଚାର ପ୍ରସାର ବୃହତ୍ ଆକାରରେ କରୁଛନ୍ତି। ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ କଟକରେ ଆୟୋଜନ ହେବା ପରେ ଓଡ଼ିଶାର ଆହୁରି ଅଧିକ ପିଲା କ୍ରୀଡ଼ାପ୍ରତି ଆକର୍ଷିତ‌ ହେବେ। ଏହି ଲିଗ୍‌ର ଲାଭାଂଶ ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କୁ ସଶକ୍ତ କରୁଥିବା ଦାତବ୍ୟ ପ୍ରତିଷ୍ଠାନ ଖୁସି ଫାଉଣ୍ଡେସନକୁ ପ୍ରଦାନ କରାଯିବ। ଆଗାମୀ ସମୟରେ ଆମେ କ୍ରିକେଟ୍ ଛଡ଼ା ଅନ୍ୟ ଖେଳର ଲିଜେଣ୍ଡ୍ସ ଲିଗ୍ ଆୟୋଜନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛୁ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅବିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର