ଭୁବନେଶ୍ବର : ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାର ପ୍ରତିଯୋଗୀମାନେ ଗୋଟିଏ ଲେଖାଏଁ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସହ ମୋଟ ୩ ପଦକ କରାୟତ୍ତ କରିଛନ୍ତି। ରଗ୍ବି-୭ରେ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଅନ୍ୟ ୩ ପଦକ ଭାରୋତ୍ତୋଳନରୁ ଆସିଥିଲା। ସ୍ନେହା ସୋରେନ ଏବଂ ପ୍ରମିଳା କିର୍ସାନି ଓଡ଼ିଶା ପାଇଁ କାଂସ୍ୟ ପଦକ ଜିତିଥିଲା ବେଳେ ସର୍ଭିସେସ୍ ସ୍ପୋର୍ଟ୍ସ କ୍ରଣ୍ଟ୍ରୋଲ ବୋର୍ଡ (ଏସ୍ଏସ୍ସିବି) ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ପୁଅ ମୁନା ନାୟକ ରୌପ୍ୟ ଜିତିଥିଲେ। ମୁନା ଏସ୍ଏସ୍ସିବିରୁ ପ୍ରତିନିଧିତ୍ବ କରୁଥିବାରୁ ତାଙ୍କ ପଦକ ଓଡ଼ିଶା ଖାତାରେ ଯୋଡ଼ା ଯାଇନାର୍ହି।
ରଗ୍ବିରେ ମହିଳା ଜିତିଲେ ସ୍ବର୍ଣ୍ଣ
ଓଡ଼ିଶା ମହିଳା ରଗ୍ବି ଦଳ ଚଳିତ ଜାତୀୟ କ୍ରୀଡ଼ାରେ ରାଜ୍ୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ପ୍ରଥମେ ସେମିଫାଇନାଲ୍ରେ ଏହି ଦଳ ୧୨-୧୦ରେ ପ୍ରମୁଖ ଦାବିଦାର ବିହାରକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ରେ ବିଜୟ ଧାରା ବଜାୟ ରଖି ଓଡ଼ିଶା ମହିଳା ଦଳ ଏକପାଖିଆ ଭାବେ ୨୨-୦ରେ ମହାରାଷ୍ଟ୍ରକୁ ମାତ୍ ଦେଇ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା। ନିର୍ମଲ୍ୟା ରାଉତ, ହୁପି ମାଝି, ମଞ୍ଜୁଲତା ପ୍ରଧାନ ଓ ସଂଯୁକ୍ତା ମୁଣ୍ଡା ୫ ଲେଖାଏଁ ଏବଂ ପାର୍ବତୀ ହାଁସ୍ଦା ୨ ପଏଣ୍ଟ କରିଥିଲେ।
ଏଥି ସହିତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ରଗ୍ବି ଦଳ ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲା। ପୂର୍ବରୁ ୨୦୧୫ରେ କେରଳ ଜାତୀୟ କ୍ରୀଡ଼ାରେ ମହିଳା ଦଳ ସ୍ବର୍ଣ୍ଣ ଜିତିଥିଲା। ଚଳିତ ସଂସ୍କରଣରେ ଓଡ଼ିଶାଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିବା ମହରାଷ୍ଟ୍ର ସେମିଫାଇନାଲ୍ରେ ଦିଲ୍ଲୀକୁ ହରାଇ ୧୨-୧୦ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ବିହାରକୁ କାଂସ୍ୟ ମିଳିଥିଲା। କାଂସ୍ୟ ମୁକାବିଲାରେ ବିହାର ୧୪-୫ରେ ଦିଲ୍ଲୀକୁ ହରାଇଥିଲା।
ସ୍ବର୍ଣ୍ଣ ବିଜେତା ଓଡ଼ିଶା ଦଳରେ ଭାଗ୍ୟଲକ୍ଷ୍ମୀ ବାରିକ, ରଜନୀ ଶବର, ମଞ୍ଜୁଲତା ପ୍ରଧାନ, ହୁପି ମାଝି, ତିଳୋତ୍ତମା ସାହୁ, ପାର୍ବତୀ କିସ୍କୁ, ଦୁମୁନି ମାର୍ଣ୍ଡି, ସଂଯୁକ୍ତା ମୁଣ୍ଡା, ଶୁଭଲକ୍ଷ୍ମୀ ବାରିକ, ପାର୍ବତୀ ହାଁସଦା, ତାରୁଲତା ନାଏକ ଓ ନିର୍ମଲ୍ୟା ରାଉତ ରହିଥିଲେ। ମାନସ କୁମାର ଜେନା (ପ୍ରଶିକ୍ଷକ), ଉପେନ୍ଦ୍ର କୁମାର ମହାନ୍ତି (ପ୍ରବନ୍ଧକ) ଏବଂ ସୌମ୍ୟାଶ୍ରୀ ମିଶ୍ର (ଫିଜିଓ) ଦଳ ସହ ଥିଲେ। ଅନ୍ୟପକ୍ଷରେ କ୍ବାର୍ଟର ଫାଇନାଲ୍ରେ ହାରିଯାଇଥିବା ପୁରୁଷ ଦଳ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ଭାରୋତ୍ତୋଳନରେ ୧ ରୌପ୍ୟ, ୧ କାଂସ୍ୟ
ଭାରୋତ୍ତୋଳନରେ ଶୁକ୍ରବାର ୩ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ୩ ଓଡ଼ିଆ ପ୍ରତିଯୋଗୀ ୩ଟି ଯାକ ବର୍ଗରେ ପଦକ ଜିତିବାରେ ସଫଳ ହୋଇଥିଲେ। ୬୧ କେଜି ପୁରୁଷରେ ଏସ୍ଏସ୍ସିବି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ପୁଅ ମୁନା ନାୟକ ମୋଟ ୨୫୫ (୧୦୮ କେଜି ସ୍ନାଚ୍ ଏବଂ ୧୪୭ କେଜି କ୍ଲିନ୍ ଓ ଜର୍କ) କେଜି ଉଠାଇ ରୌପ୍ୟ ପଦକ ଜିତିଥିଲେ। ତାଙ୍କଠୁ ୪ କେଜି ଅଧିକ ଉଠାଇ ଅରୁଣାଚଳ ପ୍ରଦେଶର ଚାରୁ ପେସି (୨୫୯ କେଜି) ସ୍ବର୍ଣ୍ଣ ଏବଂ ମିଜୋରାମର ଜାଖୁମା (୨୫୪ କେଜି) କାଂସ୍ୟ ପାଇଥିଲେ।
ମହିଳା ୪୯ କେଜିରେ ସ୍ନେହା ସୋରେନ ୧୬୯ (୭୩ କେଜି ସ୍ନାଚ୍ ଏବଂ ୯୬ କେଜି କ୍ଲିନ୍ ଓ ଜର୍କ) କେଜି ଉଠାଇ ତୃତୀୟ ସ୍ଥାନରେ ରହି କାଂସ୍ୟ ପାଇଥିଲେ। ଏହି ବର୍ଗରେ ଅଲିମ୍ପିକ୍ ରୌପ୍ୟ ବିଜୟିନୀ ମଣିପୁରର ମୀରାବାଇ ଚାନୁ ୧୯୧ (୮୪ କେଜି ସ୍ନାଚ୍ ଏବଂ ୧୦୭ କେଜି କ୍ଲିନ୍ ଓ ଜର୍କ) ସ୍ବର୍ଣ୍ଣ ଏବଂ ୨ ଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ମଣିପୁରର ସଂଜିତା ଚାନୁ ୧୮୭ (୮୨ କେଜି ସ୍ନାଚ୍ ଏବଂ ୧୦୫ କେଜି କ୍ଲିନ୍ ଓ ଜର୍କ) ରୌପ୍ୟ ଜିତିଥିଲେ। ମହିଳା ୫୫ କେଜିରେ ପ୍ରମିଳା କିର୍ସାନି ମୋଟ ୧୬୭ (୭୦ କେଜି ସ୍ନାଚ୍ ଏବଂ ୯୭ କେଜି କ୍ଲିନ୍ ଓ ଜର୍କ) କେଜି ଉଠାଇ କାଂସ୍ୟ ଜିତିଥିଲେ। ମଣିପୁରର ରାଣୀବାଳା ଦେବୀ (୧୮୮ କେଜି) ସ୍ବର୍ଣ୍ଣ ଓ ଚଣ୍ଡିଗଡ଼ର ବୀରଜିତ କୌର (୧୮୦ କେଜି) ରୌପ୍ୟ ପାଇଥିଲେ।
ପଦକରୁ ବଞ୍ଚିତ ହେଲେ ଶ୍ରୀୟଙ୍କା
ଓଡ଼ିଶାର ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ପଦକ ଜିତିବାରେ ବିଫଳ ହୋଇଛନ୍ତି। ୧୦ ମିଟର ଏୟାର ରାଇଫଲ୍ର ଫାଇନାଲ୍ରେ ପହଞ୍ଚିଥିବା ଏହି ଓଡ଼ିଆ ଝିଅ ପଞ୍ଚମ ସ୍ଥାନରେ ରହିଥିଲେ। ଶୁକ୍ରବାର ଅହମଦାବାର ରାଇଫଲ୍ କ୍ଲବ୍ଠାରେ ୮ ଜଣିଆ ଫାଇନାଲ୍ରେ ଶ୍ରୀୟଙ୍କା ୨୦୬.୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲେ। ଗୁଜରାଟର ଈଲାଭେନିଲ ଭାଲାରିଭାନ (୨୬୨.୯) ସ୍ବର୍ଣ୍ଣ, କର୍ଣ୍ଣାଟକର ତିଳୋତ୍ତମା ସେନ (୨୬୨.୧) ରୌପ୍ୟ ଏବଂ ପଶ୍ଚିମବଙ୍ଗର ମେହୁଲୀ ଘୋଷ (୨୬୧.୬) କାଂସ୍ୟ ପଦକ କରାୟତ୍ତ କରିଥିଲେ।