ଟୋକିଓ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଦଫା ଭାରତୀୟ ଦଳ ରବିବାର ଟୋକିଓରେ ପହଞ୍ଚିଥିଲା। ଉଚ୍ଚ ଆଶା ନେଇ ଟୋକିଓ ପହଞ୍ଚିଥିବା ଏହି ଦଳର କିଛି ଖେଳାଳି ଆଉ ଅପେକ୍ଷା ନକରି ସୋମବାରଠୁ ପ୍ରାକ୍ ଅଲିମ୍ପିକ୍ସ ଅଭ୍ୟାସକୁ ଓହ୍ଲାଇ ପଡ଼ିଛନ୍ତି। ରବିବାର ପହଞ୍ଚିବା ପରେ କରୋନା ଲାଗି ଥିବା ସମସ୍ତ ଆବଶ୍ୟକ ପ୍ରୋଟୋକୋଲ କାର୍ଯ୍ୟକ୍ରମ ସାରି ଟୋକିଓ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଥିଲେ। ଏସବୁ କାମ ସାରିବା ପରେ ଖେଳାଳିମାନେ ଅଧିକ ବିଶ୍ରାମ ନନେଇ ଅଭ୍ୟାସ କରିବାକୁ ପସନ୍ଦ କରିଥିଲେ। ଯେପରିକି ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ, ଟେବୁଲ ଟେନିସ ଖେଳାଳି ଜି ସାଥିୟାନ ଓ ଅଚନ୍ତ ଶରତ କମଲ, ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ଏବଂ ଏକମାତ୍ର ଭାରତୀୟ ଜିମ୍ନାଷ୍ଟ ପ୍ରଣତୀ ନାୟକ ସେମାନଙ୍କ ଅଭ୍ୟାସ ଆଜିଠୁ ଆରମ୍ଭ କରିଦେଇଥିଲେ।
ତୀରନ୍ଦାଜ ଦମ୍ପତି ଅତନୁ ଓ ଦୀପିକା ସକାଳୁ ସକାଳୁ ୟୁମେନୋଶିମା ପାର୍କରେ ନିଜର କୌଶଳକୁ ଆହୁରି ତୀକ୍ଷଣ କରିବାକୁ ଲାଗି ପଡ଼ିଥିଲେ। ସେହିପରି ଟିଟି ଖେଳାଳି ସାଥିୟାନ ଓ ଶରତ କମଲ ମଧ୍ୟ ଅଲିମ୍ପିକ୍ସ ପଦକ ଲାଗି ଜୋରଦାର ପ୍ରସ୍ତୁତ ଚଲାଇଥିଲେ। ଏକମାତ୍ର ଜିମ୍ନାଷ୍ଟ ଭାବେ ଦେଶରୁ ପ୍ରତିନିଧିତ୍ବ କରିଥିବା ପ୍ରଣତୀ ବି ପଛରେ ପଡ଼ିନଥିଲେ। ସେ ତାଙ୍କ ପ୍ରଶିକ୍ଷକ ଲକ୍ଷ୍ମଣ ମନୋହର ଶର୍ମାଙ୍କ ତତ୍ତ୍ବାବଧାନରେ ସକାଳୁ ଝାଳବୁହା ଅଭ୍ୟାସ କରିଥିଲେ। ସଟଲର ସିନ୍ଧୁ ଓ ପ୍ରଣୀତ ଦଳର ଏକକ ପ୍ରଶିକ୍ଷକ ପାର୍କ ଟାଏ ସଙ୍ଗଙ୍କ ତତ୍ବାବଧାନରେ ଏବଂ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ କୋର୍ଟରେ ସେମାନଙ୍କ ପ୍ରଶିକ୍ଷକ ମାଥିଆସଙ୍କ ସହଯୋଗରେ ଅଭ୍ୟାସ କରିଥିଲେ।
ଆସାକା ସୁଟିଂ ରେଞ୍ଜରେ ଭାରତୀୟ ବନ୍ଧୁକଚାଳକମାନେ ସୋମବାର ସନ୍ଧ୍ୟାରେ ଅଭ୍ୟାସକୁ ଓହ୍ଲାଇଥିଲେ। ପ୍ରଥମେ ଟୋକିଓ ପହଞ୍ଚିଥିବା ଭାରତୀୟ ନୌଚାଳକ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରବିବାରଠୁ ଅଭ୍ୟାସ ଆରମ୍ଭ କରିଦେଇଥିଲେ। ସୂଚନାଯୋଗ୍ୟ ଯେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଏହି ବହୁଦେଶୀୟ ପ୍ରତିଯୋଗିତା ଲାଗି ପ୍ରଥମ ଦଫାରେ ୫୪ ଭାରତୀୟ ଆଥ୍ଲେଟ୍ଙ୍କ ସହ ୮୮ ଜଣ ରବିବାର ଟୋକିଓରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/hsfh5fs456h4fs56h456fsh56fshhfshfhfshfhsh.jpg)
