ଟୋକିଓ ପାରାଲିମ୍ପକ୍ସରେ ଭାରତକୁ ଆଉ ୩ ପଦକ

ପଦାର୍ପଣରେ ପ୍ରବୀଣଙ୍କୁ ରୌପ୍ୟ
ଟୋକିଓ : ଭାରତୀୟ ହାଇଜମ୍ପର୍‌ ପ୍ରବୀଣ କୁମାର ପାରାଲିମ୍ପିକ୍ସ ପଦାର୍ପଣରେ ଭାରତକୁ ରୌପ୍ୟ ପଦକ ଭେଟିଦେଇଛନ୍ତି। ଚଳିତ ଟୋକିଓ ପାରାଲିମ୍ପକ୍ସରେ ପୁରୁଷ ଟି-୬୪ ବର୍ଗରେ ୧୮ ବର୍ଷ ବୟସ୍କ ପ୍ରବୀଣ ୨.୦୭ ମିଟର ଲମ୍ଫ ମାରି ନୂଆ ଏସୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ତେବେ ସେ ବ୍ରିଟେନ୍‌ର ଜୋନାଥନ୍‌ ବ୍ରୁମ୍‌ ଏଡ୍‌ୱାର୍ଡସ (୨.୧୦ ମିଟର)ଙ୍କ ପଛରେ ପଡ଼ିଯାଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଥିଲେ। ଏହି ବର୍ଗରେ ରିଓ ବିଜେତା ପୋଲାଣ୍ଡର ମାସିଜେ ଲେପିଆଟୋ କାଂସ୍ୟ ପଦକ ଜିତି ନେଇଛନ୍ତି। ତଥାପି ପଦାର୍ପଣରେ ପଦକ ଜିତିବାର ଖୁସୀକୁ ମୁଁ ବର୍ଣ୍ଣନା କରିପାରୁନି। ଏହି ଲମ୍ଫ ଦମ୍‌ଦାର ଥିଲା। ଏହା ମଧ୍ୟ ମୋର ପ୍ରଥମ ପାରାଲିମ୍ପିକ୍ସ ଥିଲା ଏବଂ ପଦକ ଜିତିବା ଅପେକ୍ଷାରେ ଥିଲି ବୋଲି କହିଛନ୍ତି ପ୍ରବୀଣ। ୨.୦୭ ମିଟର ମଧ୍ୟ ପ୍ରବୀଣଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ୨ ମିଟର ଲମ୍ଫ ମାରିବା ପରେ ମୋର ଆତ୍ମବିଶ୍ବାସ ବଢ଼ିଯାଇଥିଲା ଏବଂ ପଦାର୍ପଣରେ ପଦକ ଜିତିବା ମୋ ପାଇଁ ସ୍ମରଣୀୟ ରହିବ ବୋଲି ପ୍ରବୀଣ କହିଥିଲେ। ପ୍ରବୀଣ ମଧ୍ୟ ୨୦୧୯ରେ କନିଷ୍ଠ ପାରା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦାର୍ପଣ କରି ରୌପ୍ୟ ପଦକ ଜିତିଥିଲେ।

ଅବନୀଙ୍କୁ ୫୦ ମିଟର ରାଇଫଲ୍‌ କାଂସ୍ୟ
ପାରାଲିମ୍ପିକ୍ସରେ ୨ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା
ସୋମବାର ୧୦ ମିଟର ଏୟାର ରାଇଫଲ୍‌ (ଏସ୍‌ଏଚ୍‌୧)ରେ ସ୍ବର୍ଣ୍ଣ ପଦକ ଜିତି ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ବହନ କରିଥିବା ବନ୍ଧୁକଚାଳିକା ଅବନୀ ଲେଖରା ଶୁକ୍ରବାର ଏସ୍‌ଏଚ୍‌-୧ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହିତ ସେ କୌଣସି ପାରାଲିମ୍ପିକ୍ସରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଟୋକିଓରେ ପାରାଲିମ୍ପିକ୍ସ ପଦାର୍ପଣ କରିଥିବା ୧୯ ବର୍ଷ ବୟସ୍କା ଅବନୀ ଶୁକ୍ରବାର ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ର ଯୋଗ୍ୟତାପର୍ଯ୍ୟାୟରେ ମୋଟ ୧୧୭୬ (୫୧ ଫରଫେକ୍ଟ ୧୦) ସ୍କୋର୍‌ ସହ ଦ୍ବିତୀୟ ସ୍ଥାନ ଅଧିକାର କରି ଫାଇନାଲ୍‌ସକୁ ଉନ୍ନୀତ ହୋଇଥିଲେ। ହେଲେ ଫାଇନାଲ୍‌ରେ ମୋଟ ୪୪୫.୯ ସ୍କୋର୍‌ କରି ତୃତୀୟ ସ୍ଥାନ ସହ ପୋଡିୟମ୍‌ ଫିନିସ୍‌ କରିଥିଲେ। ସେ କାଂସ୍ୟ ପଦକ ଜିତି ନେଇଥିଲା ବେଳେ ଚୀନ୍‌ର ଝାଙ୍ଗ୍‌ କୁଇପିଙ୍ଗ୍‌ ସ୍ବର୍ଣ୍ଣ (୪୫୭.୯) ଏବଂ ଜର୍ମାନିର ନତାସା ହିଲ୍‌ଟ୍ରପ୍‌ ରୌପ୍ୟ (୪୫୭.୧) ପଦକ ହାସଲ କରିଥିଲେ। ଏହା କଷ୍ଟକର ଫାଇନାଲ୍‌ ଥିଲା। ମୁଁ ଏହାଠାରୁ ଭଲ ପ୍ରଦର୍ଶନ କରିପାରିଥା’ନ୍ତି। ତଥାପି ପଦକ ଅମଳ କରିପାରିଥିବାରୁ ଖୁବ୍‌ ଖୁସୀ ବୋଲି କହିଛନ୍ତି ଅବନୀ। ୨ଟି ପଦକ ଅମଳ ସତ୍ତ୍ବେ ଅବନୀଙ୍କ ଚଳିତ ଟୋକିଓ ପାରାଲିମ୍ପିକ୍ସ ଅଭିଯାନ ଶେଷ ହୋଇନାହିଁ। ସେ ମିଶ୍ରିତ ୫୦ ମିଟର ରାଇଫଲ ପ୍ରନ୍‌ ଏସ୍‌ଏଚ୍‌୧ ଇଭେଣ୍ଟରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ବର୍ଗରେ ତାଙ୍କ ସହିତ ଦୀପକ ଓ ସିଦ୍ଧାର୍ଥ ବାବୁ ରହିଛନ୍ତି। ‌ତେବେ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ପୁରୁଷ ବର୍ଗରେ ଦୀପକ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ। ସେ ୧୧୧୪ ସ୍କୋର୍‌ ସହ ୧୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ସୂଚନାଯୋଗ୍ୟ, ଅବନୀଙ୍କ ପୂର୍ବରୁ ଏକମାତ୍ର ଭାରତୀୟ ଭାବେ ଯୋଗୀନ୍ଦର ସିଂହ ସୋଢ଼ି ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ୧୯୮୪ ପାରାଲିମ୍ପିକ୍ସରେ ଯୋଗୀନ୍ଦର ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ଜିତିଥିଲେ। ତାଙ୍କ ରୌପ୍ୟ ସଟ୍‌ପୁଟ୍‌ରୁ ଆସିଥିଲା ବେଳେ ୨ଟିଯାକ କାଂସ୍ୟ ଯଥାକ୍ରମେ ଡିସ୍‌କସ୍‌ ଓ ଜାଭ୍‌ଲିନ୍‌ ଥ୍ରୋ’ରୁ ହିଁ ମିଳିଥିଲା। ଯୋଗୀନ୍ଦରଙ୍କ ବ୍ୟତୀତ ଜାଭ୍‌ଲିନ୍‌ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଅନ୍ୟତମ ଭାରତୀୟ ଭାବେ ଏକାଧିକ ପାରାଲିମ୍ପିକ୍ସ ପଦକ ନିଜ ନାମରେ ରଖିଛନ୍ତି। ହେଲେ ସେ ଜିତିଥିବା ୩ (୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ) ପଦକ ଭିନ୍ନ ଭିନ୍ନ ପାରାଲିମ୍ପିକ୍ସରେ ଜିତିଥିଲେ।

ତୀରନ୍ଦାଜିରେ ହରବିନ୍ଦରଙ୍କୁ କାଂସ୍ୟ
ଭାରତୀୟ ରିକର୍ଭ ତୀରନ୍ଦାଜି ତାରକା ହରବିନ୍ଦର ସିଂହ ପୁରୁଷ ଓପନ୍‌ ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପଦକ ଜିତି ନେଇଛନ୍ତି। ୨୦୧୮ ଜାକର୍ତା ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ଆଥ୍‌ଲେଟ୍‌ ଭାବେ ପାରା ତୀରନ୍ଦାଜିରେ ସ୍ବର୍ଣ୍ଣ ପଦକ ଜିତିଥିବା ବିଶ୍ବ ମାନ୍ୟତାର ୨୩ ହରବିନ୍ଦର ଶୁକ୍ରବାର ଟୋକିଓରେ ଇଟାଲିର ‌ଷ୍ଟିଫାନୋ ଟ୍ରାଭିସାନିଙ୍କୁ (୫-୫) ସୁଟ୍‌ଆଉଟ୍‌ ଜରିଆରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପହଞ୍ଚିବା ପରେ ପଦକ ହାତଛଡ଼ା କରିନଥିଲେ। ପରେ ସେ ପୂର୍ବତନ ବିଶ୍ବ ମାନ୍ୟତାର ଏକ ନମ୍ବର ରୁଷିଆର ସିଦେନ୍ଦୋରଜିଭ୍‌ଙ୍କୁ ୬-୫ (୮-୭)ରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଥିଲା ବେଳେ ଜର୍ମାନିର ୪୯ ବର୍ଷ ବୟସ୍କ ତିନି ଥର ପାରାଲିମ୍ପିଆନ୍‌ ମଏକ୍‌ ଜାର୍‌ଜେୱିସ୍କିଙ୍କୁ ୬-୨ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ। ହେଲେ ସେମିରେ ବିଶ୍ବ ମାନ୍ୟତାର ଦଶମ ଆମେରିକାର କେଭିନ୍‌ ମାଥେରଙ୍କ ନିକଟରୁ ୪-୬ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସଂଘର୍ଷପୂର୍ଣ୍ଣ କାଂସ୍ୟ ପଦକ ମୁକାବିଲାରେ ସେ କୋରିଆର କିମ୍‌ ମିନ୍‌ ସୁ’ଙ୍କୁ ୬-୫ରେ ପରାସ୍ତ କରି ଭାରତ ପାଇଁ ଚଳିତ କ୍ରୀଡ଼ାରେ ତ୍ରୟୋଦଶତମ ପଦକ ଜିତି ନେଇଥିଲେ। ପାରାଲିମ୍ପିକ୍ସ ତୀରନ୍ଦାଜିରେ ଭାରତର ଏହା ପ୍ରଥମ ପଦକ।

ସମ୍ବନ୍ଧିତ ଖବର