ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା ହେବା ସମ୍ଭାବନା ରହିଛି। ଏହି ଶୃଙ୍ଖଳା ଜରିଆରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ର ପରବର୍ତ୍ତୀ ଚକ୍ର ପାଇଁ ଅଭିଯାନ ଆରମ୍ଭ କରିବ। ଭଲ ପ୍ରଦର୍ଶନ କରି ଭାରତ ପ୍ରଥମ ଦୁଇ ସଂସ୍କରଣରେ ଫାଇନାଲ୍ରେ ପହଞ୍ଚିଥିଲେ ବି ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା। ଯେଉଁଥିପାଇଁ ଦଳର କିଛି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି।
ଚେତେଶ୍ବର ପୂଜାରାଙ୍କ ବ୍ୟାଟ୍ରୁ ବଡ଼ ରନ୍ ବାହାରୁନାହିଁ। ଅଜିଙ୍କ୍ୟ ରାହାଣେ ୧୪ ମାସ ପରେ ଦଳକୁ ଫେରି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ୩୫ ବର୍ଷ ବୟସ ହୋଇଯାଇଥିବାରୁ କେତେ ସମୟ ପର୍ଯ୍ୟନ୍ତ ୫ ନମ୍ବର ସ୍ଥାନକୁ ସମ୍ଭାଳିପାରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିରାଟ କୋହଲି ତାଙ୍କ ଲୟ ଫେରିପାଇଲେଣି, କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରୁନାହାନ୍ତି। ଅଧିନାୟକ ରୋହିତ ଶର୍ମା ପଡ଼ିଆରେ ଧିମା ପଡ଼ିଯାଉଛନ୍ତି। ଏମାନଙ୍କ ବ୍ୟତୀତ ଋଷଭ ପନ୍ତ୍, କେଏଲ୍ ରାହୁଲ, ଶ୍ରେୟସ ଆୟର ଆହତ ହୋଇ ଦଳକୁ ଫେରିପାରିନାହାନ୍ତି। ତେଣୁ ଦଳରେ କିଛି ନୂଆ ମୁହଁକୁ ସାମିଲ୍ କରାଯିବା ଉପରେ ପୂର୍ବତନ କ୍ରିକେଟର ସଂଜୟ ମଞ୍ଜରେକର୍ ଜୋର ଦେଇଛନ୍ତି। ଅଭିମନ୍ୟୁ ଈଶ୍ବରନ୍, ଯଶସ୍ବୀ ଜୟସ୍ବାଲ୍, ସର୍ଫରାଜ ଖାନ୍, ରଜତ ପଟିଦାରଙ୍କ ଭଳି କ୍ରିକେଟର୍ ଜାତୀୟ ଦଳରେ ପ୍ରବେଶ ପାଇଁ ଅପେକ୍ଷାରତ ଅଛନ୍ତି। ତେଣୁ ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏମାନଙ୍କୁ ନେଇ ପରୀକ୍ଷା କରିବା ଉଚିତ୍ ସମୟ ହେବ ବୋଲି ସଂଜୟ କହିଛନ୍ତି।
ସଂଜୟଙ୍କ ମତରେ, ଆସନ୍ତା ଗସ୍ତ ପାଇଁ ଭାରତୀୟ ଦଳରେ ଅତିକମ୍ରେ ତିନିଜଣ ଲେଖାଏଁ ନୂଆ ବ୍ୟାଟର୍ ଓ ନୂଆ ବୋଲର୍ଙ୍କୁ ସାମିଲ କରାଯିବା ଆବଶ୍ୟକ। ଡବ୍ଲୁଟିସି ଫାଇନାଲ୍ରେ ଷ୍ଟିଭ୍ ସ୍ମିଥ୍ ଓ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ସେମାନେ ଏହି ମ୍ୟାଚ୍ ପୂର୍ବରୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିନଥିଲେ। ତେଣୁ ଆମ ପାଖରେ ବି ଏଭଳି ଖେଳାଳିଙ୍କୁ ଖୋଜିବା ଦରକାର, ଯାହାଙ୍କୁ ଆଇପିଏଲ୍ରୁ ଟେଷ୍ଟ କ୍ରିକେଟ୍ରେ ସୁହାଇବାକୁ ଅଧିକ ସମୟର ଆବଶ୍ୟକତା ପଡ଼ିବନି। କେବଳ ଯେଉଁମାନେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଭଲ ପ୍ରଦର୍ଶନ ଦେଉଛନ୍ତି, ସେମାନଙ୍କୁ ଟେଷ୍ଟ ଦଳ ପାଇଁ ବିଚାରକୁ ନିଆଯିବା ଆବଶ୍ୟକ। ଏଥିସହ କେବଳ ସେମାନଙ୍କୁ ରନ୍କୁ ଦେଖିବା ପରିବର୍ତ୍ତେ, ତାଙ୍କ ପାଖରେ ଭବିଷ୍ୟତ ଗଢିବା ଓ ବିଦେଶ ମାଟିରେ ଖେଳିବା ପାଇଁ କ’ଣ ପ୍ରତିଭା ଅଛି, ତାହାକୁ ବି ଅନୁଶୀଳନ କରିବା ଆବଶ୍ୟକ ବୋଲି ସଂଜୟ କହିଛନ୍ତି। ସେହପରି ଯଶପ୍ରୀତ ବୁମ୍ରା ଓ ପ୍ରସିଦ୍ଧ କ୍ରିଷ୍ଣା ଆହତ ହେବା ପରେ ବୋଲିଂ କ୍ରମ ଦୁର୍ବଳ ହୋଇପଡ଼ିଛି। ଯେଉଁଥି ପାଇଁ ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଉପରେ ଅତିରିକ୍ତ ଚାପ ପଡୁଛି। ତେଣୁ ପ୍ରତି ବୋଲରଙ୍କ ସ୍ଥାନ ନେଇପାରୁଥିବା ଅନ୍ୟ ଖେଳାଳିଙ୍କୁ ଆଗରୁ ପ୍ରସ୍ତୁତ ରଖାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏନ୍ସିଏରେ ପ୍ରଶିକ୍ଷଣ ନେବେ ଈଶାନ କିଶନ
ନୂଆଦିଲ୍ଲୀ: ଭାରତୀୟ ୱିକେଟରକ୍ଷକ ବ୍ୟାଟର ଈଶାନ କିଶନଙ୍କ ସହ ଅନ୍ୟାନ୍ୟ କ୍ରିକେଟରମାନେ ଚଳିତ ସପ୍ତାହରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ପହଞ୍ଚିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଈଶାନ ଏଠାରେ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଟିସନିଂ (ଏସ୍ଆଣ୍ଡସି) ପ୍ରଶିକ୍ଷଣ ନେବେ। ଏହାଦ୍ବାରା ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଈଶାନ ଶାରୀରିକ ଭାବେ ଶତପ୍ରତିଶତ ସୁସ୍ଥ ହୋଇଯାଇଥିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ପ୍ରସ୍ତୁତ ହେବାକୁ ଥିବାରୁ ଈଶାନ ଦଲୀପ ଟ୍ରଫିରେ ଅଂଶଗ୍ରହଣ କରିବାକୁ ମନା କରିଦେଇଥିଲେ। ବର୍ତ୍ତମାନର ନିୟମିତ ୱିକେଟ୍ରକ୍ଷକ କେଏସ୍ ଭରତ ବ୍ୟାଟିଂରେ ସଂଘର୍ଷ କରୁଥିବାରୁ ଈଶାନଙ୍କୁ ଏହି ଗସ୍ତରେ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି।
ଅନ୍ୟପକ୍ଷରେ ଡବ୍ଲୁଟିସି ଫାଇନାଲ୍ ପରେ ଯେଉଁ ଖେଳାଳିମାନେ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ଭାଗନେଉନାହାନ୍ତି, ସେମାନେ ଏନ୍ସିଏରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆସନ୍ତା ୨୮ ତାରିଖରୁ ବେଙ୍ଗାଲୁରୁରେ ଦଲୀପ ଟ୍ରଫି ଆରମ୍ଭ ହେଉଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଓ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଜୁଲାଇ ୩ ତାରିଖରେ ଭାରତର ଯାତ୍ରା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।