ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ୩ ଓଡ଼ିଆ ଲିଲିମା, ଦୀପ୍‌ଗ୍ରେସ୍‌, ନମିତା

ଭୁବନେଶ୍ବର: ଚଳିତ ମାସରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଯିବ। ଏହି ଗସ୍ତରେ ଭାରତୀୟ ଦଳ ଆସନ୍ତା ୨୫ରୁ ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ଅକ୍‌ଲାଣ୍ଡ୍‌ରେ ୫ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ୨୫ରେ ନ୍ୟୁଜିଲାଣ୍ଡ୍‌ ଡେଭଲପ୍‌ମେଣ୍ଟ ଦଳ ସହ ଖେଳିବା ପରେ ୨୭ ଓ ୨୯ ତାରିଖରେ ନ୍ୟୁଜିଲାଣ୍ଡ୍‌ ଦଳ ସହ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଖେଳିବ। ଏହାପରେ ଫେବ୍ରୁଆରି ୪ରେ ଗ୍ରେଟ୍‌ ବ୍ରିଟେନ୍‌ ସହ ଚତୁର୍ଥ ମ୍ୟାଚ୍‌ ଖେଳିବା ପରେ ନ୍ୟୁଜିଲାଣ୍ଡ୍‌ ସହ ଫେବ୍ରୁଆରି ୫ରେ ପଞ୍ଚମ ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବ। ହକି ଇଣ୍ଡିଆ ମଙ୍ଗଳବାର ଏହି ଗସ୍ତ ପାଇଁ ୨୦ ଜଣିଆ ଦଳ ଘୋଷଣା କରିଛି। ରାଣୀ ରାମପଲ୍‌ ଦଳର ଅଧିନାୟିକା ମନୋନୀତ ହୋଇଥିଲା ବେଳେ ଗୋଲ୍‌ରକ୍ଷିକା ସବିତା ଉପଅଧିନାୟିକା ରହିବେ। ତେବେ ଏହି ଦଳରେ ୩ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌। ସବୁ ଖେଳାଳି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ତେଣୁ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଚାପରେ କିପରି ପ୍ରଦର୍ଶନ କରୁଛନ୍ତି ଦେଖିବାକୁ ରହିଛି ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌। ଆମେ ଯଦିଓ ୨୦ ଖେଳାଳିଙ୍କୁ ଦଳରେ ସାମିଲ କରିଛୁ, ତଥାପି କେତେକ ମ୍ୟାଚ୍‌ରେ ୧୬ ଜଣଙ୍କୁ ଖେଳାଇବୁ। କାରଣ ଅଲିମ୍ପିକ୍‌ସରେ ଆମେ ୧୬ ଖେଳାଳିଙ୍କୁ ନେଇ ଖେଳିବୁ। ଆବଶ୍ୟକ ସ୍ଥଳେ ନ୍ୟୁଜିଲାଣ୍ଡ୍‌୍‌ ଗସ୍ତର ଅନ୍ୟ କେତେକ ମ୍ୟାଚ୍‌ରେ ୧୮ ଜଣ ଖେଳିପାରନ୍ତି ବୋଲି ମାରିନ୍‌ କହିଛନ୍ତି। ଏହି ଗସ୍ତ‌ରେ ବିଶ୍ବମାନ୍ୟତାର ପଞ୍ଚମ ଗ୍ରେଟ୍‌ ବ୍ରିଟେନ୍‌ ଓ ଷଷ୍ଠ ନ୍ୟୁଜିଲାଣ୍ଡ୍‌ ସହ ଖେଳିବା ଆମ ଦଳ ପାଇଁ ଭୟ ଛାଡ଼ିବାର ବଡ଼ ସୁଯୋଗ ବୋଲି ମାରିନ୍‌ କହିଛନ୍ତି।

୨୦ ଜଣିଆ ଦଳ: ରାଣୀ ରାମ୍‌ପଲ (ଅଧିନାୟିକା), ସବିତା (ଉପଅଧିନାୟିକା), ରଜନି ଇଟିମାର୍ପୁ, ଦୀପ୍‌ଗ୍ରେସ୍‌ ଏକ୍କା, ଗୁର୍‌ଜିତ୍‌ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ୍‌, ନେହା, ସୋନିକା, ଶର୍ମିଲା ଦେବୀ, ନଭ୍‌ନିତ୍‌ କୌର, ଲାଲ୍‌ରେମ୍‌ସିଆମି, ବନ୍ଦନା କାଟାରିୟା, ନଭ୍‌ଜୋତ୍‌ କୌର।

ସମ୍ବନ୍ଧିତ ଖବର