‘ସାଇ’ରେ ଉଷୁ ପ୍ରଶିକ୍ଷଣ ନେବେ ୩ ଓଡ଼ିଆ

କେନ୍ଦୁଝର: ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ଦ୍ବାରା ପ୍ରୋତ୍ସାହିତ କେନ୍ଦୁଝର ଜିଲ୍ଲା ବଡ଼ବିଲର ତିନିଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ରରେ ପ୍ରଶିକ୍ଷଣ ନେବାପାଇଁ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ରିଷ୍ଣା ଖଣ୍ଡାୟତ ମଧ୍ୟପ୍ରଦେଶର ଭୋପାଳରେ ଥିବା ନ୍ୟାସନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ଆସନ୍ତା ମାସରେ ଯୋଗଦେବେ। ବବୁଲୁ ମୁଣ୍ଡା ଓ ପ୍ରେମ୍‌ ମୁଣ୍ଡା ମଣିପୁରର ଇମ୍ଫାଲରେ ପ୍ରଶିକ୍ଷଣ ନେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କନିଷ୍ଠ ବର୍ଗରେ ଭୋପାଳ ଓ ଇମ୍ଫାଲରେ ପ୍ରଶିକ୍ଷଣ ପାଇଁ ଜାତୀୟ ସ୍ତରରୁ ୫୭ ଜଣ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତିନିଜଣଙ୍କୁ ସୁଯୋଗ ମିଳିଛି। ଭାରତୀୟ ଉଷୁ ସଂଘ ପକ୍ଷରୁ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ଖେଳାଳିମାନେ ପ୍ରଶିକ୍ଷଣ ନେଇ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ସଫଳତା ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ତିନି ଓଡ଼ିଆ ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିନକୁ ଦିନ ବଡ଼ବିଲ ଅଞ୍ଚଳରୁ ଅଧିକ ସଂଖ୍ୟକ ଖେଳାଳି ଜାତୀୟସ୍ତରରେ ନିଜ ପ୍ରତିଭା ଦେଖାଇ ପାରୁଛନ୍ତି। ଏହି ଅଞ୍ଚଳ ସମର କଳା ପାଇଁ ପ୍ରସିଦ୍ଧ ହେବାକୁ ଯାଉଛି। ଏଭଳି ପ୍ରତିଭାଙ୍କୁ ସମସ୍ତ ପ୍ରକାର ସହଯୋଗ ଏବଂ ପ୍ରେରଣା ଯୋଗାଇବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କୁ ପହଞ୍ଚାଇବା ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସେହିପରି ଜାତୀୟ ସ୍ତରରେ ଦୁଇଟି ପଦକ ହାସଲ କରିଥିବା କ୍ରିଷ୍ଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଯେ ଏଭଳି ସୁଯୋଗ ମୋତେ ମିଳିବ। ଏଥିପାଇଁ ପ୍ରଶିକ୍ଷକ ପଙ୍କଜ ମହାନ୍ତ ଓ ଜେଏସ୍‌ପିଏଲ୍‌ ଫାଉଣ୍ଡେସନକୁ ସେ ଧନ୍ୟବାଦ ଦେଉଛନ୍ତି। ଭବିଷ୍ୟତରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ପଦକ ଆଣିବି ବୋଲି କ୍ରିଷ୍ଣା କହିଛନ୍ତି।

ସମ୍ବନ୍ଧିତ ଖବର