ଭାରତୀୟ ହକି ଦଳରେ ୩ ଓଡ଼ିଆ

ଦୁଇ ବର୍ଷ ପରେ ଫେରିଲେ ଦୀପସାନ: ଅମିତ୍‌ ଓ ବୀରେନ୍ଦ୍ର ରହିଲେ

ଭୁବନେଶ୍ବର: କୋଭିଡ୍‌ କଟକଣା ପାଇଁ ଅଟକି ରହିଥିବା କ୍ରୀଡ଼ା କାର୍ଯ୍ୟକ୍ରମ କ୍ରମେ ସ୍ବାଭାବିକ ହେଉଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ରବିବାରଠାରୁ ୟୁରୋପ ଗସ୍ତରେ ବାହାରୁଛି। ଏଥି ସହିତ ଭାରତୀୟ ଦଳର ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯିବ। ଠିକ୍ ବର୍ଷକ ତଳେ ଭାରତୀୟ ଦଳ ନିଜ ଶେଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭୁବନେଶ୍ବରରେ (ଏଫଆଇଏଚ୍‌ ପ୍ରୋ ଲିଗ୍‌ ବନାମ ଅଷ୍ଟ୍ରେଲିଆ) ଖେଳିଥିଲା। ଗତମାସଠାରୁ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଦଳ ରବିବାର ଜର୍ମାନି ଓ ବେଲଜିୟମ୍ ଗସ୍ତରେ ଯିବ। ଏଥିପାଇଁ ମନୋନୀତ ୨୨ ଜଣିଆ ଖେଳାଳି ଏବଂ ୬ ଜଣ ସପୋର୍ଟ ଷ୍ଟାଫ୍‌ ମନୋନୀତ ହୋଇଛନ୍ତି। ଜର୍ମାନିର କ୍ରିଫେଲ୍ଡ ଅଭିମୁଖେ ଯାତ୍ରା ପରେ ସେଠାରେ ଘରୋଇ ଦଳ ବିପକ୍ଷରେ ଭାରତ ଫେବ୍ରୁଆରି ୨୮ ଓ ମାର୍ଚ୍ଚ ୨ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳିବ। ଏହା ପରେ ଦଳ ଅନ୍ତ୍ବର୍ପେ ଗସ୍ତ କରି ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ମାର୍ଚ୍ଚ ୬ ଓ ୮ ତାରିଖରେ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳିବ। ଏହି ୧୭ ଦିନିଆ ଗସ୍ତ ଲାଗି ଅଭିଜ୍ଞ ୱିକେଟରକ୍ଷକ ପିଆର ଶ୍ରୀଜେଶ ଅଧିନାୟକ ଏବଂ ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ୍‌ ସିଂହ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଏହି ଦଳରେ ୩ ଓଡ଼ିଆ ‌ଖେଳାଳି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଅମିତ୍ ରୋହିଦାସ ଓ ଦୀପସାନ୍ ତିର୍କି ସ୍ଥାନ ପାଇଛନ୍ତି। ଦୀର୍ଘ ୨ ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଦୀପସାନ। ଶେଷ ଥର ପାଇଁ ସେ ୨୦୧୮ ସୁଲତାନ ଆଜଲାନ୍‌ ସାହା ହକି ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ।

ୟୁରୋପ ଗସ୍ତରେ ଯିବା ପୂର୍ବରୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ କହିଛନ୍ତି, ‘ଗସ୍ତ ପୂର୍ବରୁ ଆମକୁ ମିଳିଥିବା ସୁବିଧା ସୁଯୋଗ ଲାଗି ‘ସାଇ’ ଏବଂ ହକି ଇଣ୍ଡିଆକୁ କୃତଜ୍ଞତା ଜଣାଇବି। ୧୨ ମାସ ପରେ ଦଳ ପ୍ରଥମ ପ୍ରତିଦ୍ବନ୍ଦ୍ବିତାମୂଳକ ହକି ଖେଳିବାକୁ ଯାଉଛି। ଜର୍ମାନି ଏବଂ ଗ୍ରେଟ୍ ବ୍ରିଟେନ୍‌ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଏଫଆଇଏଚ୍ ପ୍ରୋ ଲିଗ୍‌ ଓ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ସହାୟକ ହେବ। ଶୀର୍ଷ ୧୦ ମାନ୍ୟତା ଭିତରେ ଥିବା ଦଳ ବିପକ୍ଷରେ ଖେଳିବା ସବୁବେଳେ ଦଳକୁ ଭଲ ଅଭିଜ୍ଞତା‌ ଦେଇଥାଏ’। ଘୋଷିତ ୨୨ ଜଣିଆ ଦଳରେ କିନ୍ତୁ ନିୟମିତ ଅଧିନାୟକ ମନପ୍ରୀତ୍ ସିଂହ, ରୂପୀନ୍ଦର ପାଲ୍ ସିଂହ, ଏସ୍‌ଭି ସୁନିଲଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ନିଆଯାଇନାହିଁ। ସୂଚନାଯୋଗ୍ୟ, ଭାରତୀୟ ମହିଳା ଦଳ ମଧ୍ୟ ଗତ ମାସରେ ଆର୍ଜେଣ୍ଟିନା ଗସ୍ତ କରିଥିଲା। ସେହିଭଳି ଭାରତୀୟ କନିଷ୍ଠ ମହିଳା ଦଳ ଚିଲି ଗସ୍ତ କରି ଅଲିମ୍ପିକ୍ସ ଓ କନିଷ୍ଠ ବିଶ୍ବକପ୍‌ ଲାଗି ନିଜକୁ ପ୍ରସ୍ତୁତ କରିଥିଲା।

ଭାରତୀୟ ଦଳ
ଗୋଲରକ୍ଷକ: ପିଆର୍ ଶ୍ରୀଜେଶ (ଅଧିନାୟକ), କ୍ରିଷନ୍‌ ବାହାଦୂର ପାଠକ। ରକ୍ଷଣଭାଗ: ଅମିତ ରୋହିଦାସ, ଦୀପସାନ୍ ତିର୍କି, ଗୁରିନ୍ଦର ସିଂହ, ହରମନପ୍ରୀତ୍ ସିଂହ (ଉପ ଅଧିନୟକ), ସୁରେନ୍ଦର କୁମାର, ଜର୍ମନପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା। ପୁରୋଭାଗ: ଚିଙ୍ଗଲସାନା ସିଂହ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ରାଜକୁମାର ପାଲ, ସିମ୍ରନଜିତ୍ ସିଂହ, ସାମସେର ସିଂହ, ଅକାଶଦୀପ ସିଂହ। ଅଗ୍ରଭାଗ: ଗୁରଜାଣ୍ଟ୍ ସିଂହ, ରମଣଦୀପ ସିଂହ, ଦିଲପ୍ରୀତ୍ ସିଂହ, ମନଦୀପ୍ ସିଂହ, ଲଳିତ କୁମାର ଉପାଧ୍ୟାୟ।

ସମ୍ବନ୍ଧିତ ଖବର