ବ୍ରହ୍ମପୁର: ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଏଡ଼ାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ବୁଧବାରଠାରୁ ରାଜ୍ୟଗୋ‌ଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଥିବା ୩ ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ଶବର, ମୀନା ସନ୍ତା ଓ ଝିଲ୍ଲୀ ଦଳବେହେରା ନିଜର ଚମକ ଦେଖାଇଛନ୍ତି। ଜ୍ୟୋତ୍ସ୍ନା ଓ ମୀନା ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଝିଲ୍ଲୀ ରୌପ୍ୟ ପଦକ ପାଇଥିଲେ। ମୀନା ଯୁବା ୪୦ କେଜି ବର୍ଗରେ ୫୨ କେଜି ସ୍ନାଚ୍ ଏବଂ ୬୪ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୬ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ।

Advertisment

ଜ୍ୟୋତ୍ସ୍ନା ଗତ ମାର୍ଚ୍ଚ ମାସରେ ଆଲବେନିଆର ଡୁରେସ୍‌ଠାରେ ଅନୁଷ୍ଠିତ ବିଶ୍ବ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ନିଜର ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରି ନିଜ ବର୍ଗରେ ଦୁଇଟି ପଦକ (ଗୋଟିଏ ରୌପ୍ୟ, ଗୋଟିଏ କାଂସ୍ୟ) ପଦକ ହାସଲ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ସେ ୫୩ କେଜି ସ୍ନାଚ, ୬୨ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୫ କେଜି ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଥିଲେ। ସେହିପରି ମୀନା ଯୁବା ୫୫ କେଜିରେ ୭୩ କେଜି ସ୍ନାଚ୍ ଏବଂ ୮୭ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୬୦ କେଜି ଭାରୋତ୍ତୋଳନ କରି ପ୍ରଥମରେ ରହିଥିଲେ। ଝିଲ୍ଲୀ ବରିଷ୍ଠ ମହିଳା ୪୯କେଜି ବର୍ଗରେ ଅଂଶଗ୍ରହଣ କରି ରୌପ୍ୟ ପଦକ ପାଇଛନ୍ତି। ସେ ୭୫ କେଜି ସ୍ନାଚ୍ ଏବଂ ୯୪ କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୬୯ କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିବା ସହ ଏହି ସଫଳତା ଲାଭ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ମୋଟ ୫୨ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାର ମୋଟ ୪ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ପୁରୁଷ ବର୍ଗରେ ଓଡ଼ିଶାର ହୃଦାନନ୍ଦ ଦାସ ଗୁରୁବାର ଭାରୋତ୍ତୋଳନ କରିବେ।