ଫିଫା ମାନର ୩ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ଆଳିରେ ଖୋଲିବ ମହିଳା ଫୁଟ୍‌ବଲ୍‌ ଏକାଡେମି

ଭୁବନେଶ୍ବର : ରାଜ୍ୟରେ କ୍ରୀଡ଼ା ବିକାଶରେ ଆଉ କିଛି ପ୍ରମୁଖ ଫର୍ଦ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଂଧ୍ୟାରେ ରାଜଧାନୀର ୩ଟି ଫିଫା ମାନର ଫୁଟ୍‌ବଲ୍ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ସପ୍ତାହରୁ ରାଜଧାନୀରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତା ଖେଳାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫୁଟ୍‌ବଲ୍ ଏକାଡେମି, କ୍ୟାପିଟାଲ୍ ଫୁଟବଲ୍ ଆରେନା ଓ ଭୁବନେଶ୍ବର ଫୁଟ୍‌ବଲ୍ ଏକାଡେମି ନାମରେ ତିନି ଫିଫା ମାନର ତାଲିମ କେନ୍ଦ୍ର ତଥା ସମସ୍ତ ଆଧୁନିକ ବ୍ୟବସ୍ଥା ଥିବା ପଡ଼ିଆକୁ ଉଦ୍‌ଘାଟନ କରିଛନ୍ତି। କିଶୋର କ୍ଲବ୍ ପରିସରରେ ଥିବା ଭୁବନେଶ୍ବର ଫୁଟ୍‌ବଲ୍‌ ଏକାଡେମି ପଡ଼ିଆରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଏହାକୁ ଲୋକାର୍ପିତ କରିଥିଲେ। ଏଥି ସହିତ ରାଜଧାନୀରେ କଳିଙ୍ଗ ଷ୍ଟାଡିୟମ୍ ଫୁଟବଲ୍ ଭିତ୍ତିଭୂମିକୁ ମିଶାଇ ସ୍ବଳ୍ପ ଦୂରତ୍ବ ମଧ୍ୟରେ ୬ଟି ଫିଫା ମାନର କେନ୍ଦ୍ର ରଖିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ହୋଇଛି। ଏଥିପାଇଁ ମୋଟ ୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ରାଜ୍ୟର କ୍ରୀଡ଼ା ବିକାଶରେ ଏହା ଅନ୍ୟତମ ମାଇଲଖୁଣ୍ଟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ବାଳିକାଙ୍କ ପାଇଁ ଫୁଟ୍‌ବଲ୍ ଏକାଡେମି ଖୋଲିବା ସହ ସେଠାରେ ଏକ କୃତ୍ରିମ ଟର୍ଫ ବିଶିଷ୍ଟ ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସୂଚନା ଦିଆଯାଇଛି। ଉପରୋକ୍ତ ଏକାଡେମି ଗୁଡ଼ିକରେ ୬ରୁ ୧୨ ବ‌ର୍ଷ ବୟସର ଖେଳାଳିଙ୍କୁ ତୃଣମୂଳମାନରୁ ତାଲିମ ପ୍ରଦାନ କରାଯିବ।

ଭୁବ‌ନେଶ୍ବର ଫୁଟ୍‌ବଲ୍ ଏକା‌ଡେମି (ପୂର୍ବର ୟୁନିଟ୍-୧ କିଶୋର କ୍ଲବ୍ ପଡ଼ିଆ)ରେ ବୁଧବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଭାରତୀୟ ଫୁଟ୍‌ବଲ୍ ଦଳର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଦୁଇଟି ଦଫାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର୍ ଅନୁ ଗର୍ଗ ପ୍ରମୁଖ ଭାରତୀୟ ଦଳ ସହ ଫଟୋ ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଈଗୋର ଷ୍ଟିମାକ ଏବଂ ଅଧିନାୟକ ସୁନିଲ ‌ଛେତ୍ରୀ ଯଥାକ୍ରମେ ଫୁଟ୍‌ବଲ୍ ଓ ଜର୍ସି ପ୍ରଦାନ କରି ସମ୍ବର୍ଧିତ କରିଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର