ଡବ୍ଲ୍ୟୁଟିସି ଫାଇନାଲ୍ ପରେ ୩ ସପ୍ତାହର ବିଶ୍ରାମ, ଖେଳାଳିଙ୍କ ମାନସିକ ସୁସ୍ଥତାକୁ ବିସିସିଆଇର ଆଗ୍ରାଧିକାର

ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବାକୁ ଜାଦେଜା ବ୍ୟଗ୍ର, ଫିଟନେସ୍ ଫେରିପାଇବା ଦ୍ବାରରେ ରାହୁଲ

ମୁମ୍ବାଇ: କରୋନା ଜନିତ କ‌ଠୋର ଜୈବ ବଳୟ ନିୟମ ସହ ନାନାପ୍ରକାର ଅଙ୍କୁଶ ଓ କଟକଣା ପାଇଁ ଖେଳାଳିଙ୍କ ମାନସିକ ସୁସ୍ଥତାକୁ ବିସିସିଆଇ ଆଗ୍ରାଧିକାର ଦେବା ଆରମ୍ଭ କରିଛି। ସେଥିପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ମଧ୍ୟରେ ଭାରତୀୟ ଖେଳାଳିଙ୍କୁ ପାଖାପାଖି ୩ ସପ୍ତାହ ବିଶ୍ରାମ ଦେବାକୁ ଦଳୀୟ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଖେଳାଳିମାନେ ଯେମିତି ଏକାଥରକେ ଲମ୍ବା ସମୟ ପାଇଁ ଜୈବ ବଳୟ ଭିତରେ ନରୁହନ୍ତି, ସେ କଥାକୁ ମଧ୍ୟ ବିଚାରକୁ ନିଆଯାଉଛି। ଯାହାକୁ ଚାରିଆଡ଼ୁ ସ୍ବାଗତ କରାଯାଇଛି।

ଡବ୍ଲ୍ୟୁଟିସି ଫାଇନାଲ୍ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାର ୨୦ ଦିନ ପରେ ଭାରତୀୟ ଖେଳାଳିମାନେ ଇଂଲଣ୍ଡ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିବା ଲାଗି ପୁନର୍ବାର ଏକାଠି ହେବେ। ଏହି ପ୍ରତୀକ୍ଷିତ ଶୃଙ୍ଖଳା ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ। ପ୍ରକୃତ କଥା ହେଲା ଡବ୍ଲ୍ୟୁଟିସି ଫାଇନାଲ୍ ଓ ଇଂଲଣ୍ଡ ଶୃଙ୍ଖଳା ଭିତରେ ପ୍ରାୟ ୬ ସପ୍ତାହ ସମୟର ବ୍ୟବଧାନ ରହିଛି। ଏଣୁ ସେଥିମଧ୍ୟରୁ ୩ ସପ୍ତାହ ଖେଳାଳିଙ୍କୁ ଖୋଲାରେ ଛାଡ଼ିଦେବାକୁ ଦଳୀୟ ଅଧିକାରୀମାନେ ଚିନ୍ତା କରୁଛନ୍ତି। ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଇଂଲଣ୍ଡ ଅଭିମୁ‌ଖେ ଯାତ୍ରା କରିବା ପୂର୍ବରୁ ଏଭଳି ଆଭାସ ଦେଇଥିଲେ। ଇଂଲଣ୍ଡରେ ମିଳିବାକୁ ଥିବା ୩ ସପ୍ତାହର ବିଶ୍ରାମ ସମୟରେ ଖେଳାଳିମାନଙ୍କୁ ଛୁଟିରେ ଯିବା, ପରିବାର ଏବଂ ବନ୍ଧୁବର୍ଗଙ୍କୁ ସାକ୍ଷାତ କରିବା ଭଳି କାର୍ଯ୍ୟ ଲାଗି ଅନୁମତି ମିଳିବ। ସେମାନେ ଚାହିଲେ ହୋଟେଲ ଭିତରେ ବି ରହିପାରିବେ। କହିବାକୁ ଗଲେ ଏହି ସମୟକୁ କେମିତି କଟାଇବେ, ତାର ନିଷ୍ପତ୍ତି ଓ ଅଧିକାର ସଂପୂର୍ଣ୍ଣ ଭାବେ ଖେଳାଳିଙ୍କ ପାଖରେ ରହି‌ବ। ଅଧିକାଂଶ ଭାରତୀୟ ଖେଳାଳି ପୂର୍ବରୁ ବହୁବାର ଇଂଲଣ୍ଡ ଯାତ୍ରା କରି ସାରିଛନ୍ତି। ସେଠାରେ ସେମାନଙ୍କର ବହୁ ବନ୍ଧୁ ଓ ଶୁଭେଚ୍ଛୁ ଅଛନ୍ତି। କୋହଲିଙ୍କ ସହ ଦଳର ଅଧିକାଂଶ ଖେଳାଳି ଏହି ଯୋଜନା ସପକ୍ଷରେ ଅଛନ୍ତି। ଏହି ତିନି ସପ୍ତାହ ପୁଣି ଥରେ ସୁସ୍ଥ ମନ ଓ ‌ସତେଜ ଶରୀର ସହ ଇଂଲଣ୍ଡ ଶୃଙ୍ଖଳାକୁ ଯିବା ଲାଗି ଆମକୁ ସୁଯୋଗ ଦେବ ବୋଲି ଗତ ୨ ତାରିଖରେ ଭାରତ ଛାଡ଼ିଲା ବେଳେ କୋହଲି ମତ ପ୍ରକାଶ କରିଥିଲେ। ‘‘୬ ସପ୍ତାହ ଛୋଟ ସମୟ ନୁହେଁ, ଏହା ମାନସିକ ସ୍ତରରେ ଖେଳାଳିଙ୍କୁ ଦୁର୍ବଳ କରିଦେଇପାରେ। ଏଣୁ ଆମକୁ ଶାରୀରିକ ଓ ମାନସିକ ସ୍ତରରେ ଖେଳାଳିଙ୍କୁ ସୁସ୍ଥ ରଖିବାକୁ କିଛି କରିବାକୁ ପଡ଼ିବ’’ ବୋଲି ମଧ୍ୟ ପ୍ରଶିକ୍ଷକ ଶାସ୍ତ୍ରୀ କହିଥିଲେ।

ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବାକୁ ଜାଦେଜା ବ୍ୟଗ୍ର

ସାଉଥମ୍ପଟନ୍: ଦୀର୍ଘ ଦିନ ପରେ ଭାରତୀୟ ଦଳ ସହ ଆଉଟ୍‌ଡୋର ଅଭ୍ୟାସ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଗାମୀ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି। ଇଂଲଣ୍ଡରେ ଗତ ୩ ତାରିଖରେ ପହଞ୍ଚିବା ପରେ ୩ ଦିନ କଠୋର ‌ସଙ୍ଗ‌ରୋଧ ଭିତରେ ରହି ଜାଦେଜା ଓ ଅନ୍ୟ ଭାରତୀୟ ଖେଳାଳିମାନେ ପଡ଼ିଆ ଭିତରେ କିଛି କିଛି ଅଭ୍ୟାସ କରିଥିଲେ। ଏଜିସ୍ ବାୱେଲ ନେଟ୍ସରେ ଜାଦେଜା ଗତ ଦୁଇ ଦିନ ହେବ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ବି ପ୍ରକାଶ କରିଥିଲେ। ଆଘାତ ପ୍ରାପ୍ତ ହୋଇ ଜାଦେଜା ଘରୋଇ ପରିବେଶରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ବଞ୍ଚିତ ହୋଇଥିଲେ। ଏଥର କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲ୍ୟୁଟିସି ଫାଇନାଲ୍ ସହ ଇଂଲଣ୍ଡ ମାଟିରେ ଏହି ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଶୃଙ୍ଖଳାରେ ପ୍ରମୁଖ ଭୂମିକା ତୁଲାଇବାକୁ ସେ ସଜବାଜ ହେଉଛନ୍ତି।

ଫିଟନେସ୍ ଫେରିପାଇବା ଦ୍ବାରରେ ରାହୁଲ

ସାଉଥମ୍ପଟନ୍: ଇଂଲଣ୍ଡ ଗସ୍ତରେ ଗଲାବେଳେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ସଂପୂର୍ଣ୍ଣ ସୁସ୍ଥ ନଥିଲେ। ତଥାପି ତାଙ୍କ ଚମତ୍କାର ଫର୍ମ ଓ ଦୃଢ଼ ଏକାଗ୍ରତାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ତାଙ୍କୁ ୨୦ ଜଣିଆ ଭାରତୀୟ ଦଳରେ ସ୍ଥାନ ଦେଇଥିଲେ। ତେବେ ଯେକୌଣସି ମ୍ୟାଚ୍ ଖେଳିବା ପୂର୍ବରୁ ତାଙ୍କୁ ନିଜ ଫିଟନେସ୍‌ର ପ୍ରମାଣ ଦେବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ଚୟନକର୍ତ୍ତା ତାଙ୍କ ଉପରେ ପ୍ରକଟ କରିଥିବା ଆସ୍ଥାକୁ ପୂର୍ଣ୍ଣ ସମ୍ମାନ ଜଣାଇ ରାହୁଲ ମଧ୍ୟ ମ୍ୟାଚ୍ ଫିଟ୍ ହେବା ଲାଗି ଦିନରାତି କଠିନ ପରିଶ୍ରମ କରୁଛନ୍ତି। ତା ସହ ଇଂଲଣ୍ଡର ଜଳବାୟୁକୁ ମଧ୍ୟ ଭରପୁର ଉପଭୋଗ କରୁଛନ୍ତି। ସଂପ୍ରତି ଭାରତୀୟ ଦଳ ସାଉଥମ୍ପଟନର ଏଜିସ୍ ବାୱେଲ୍ ଷ୍ଟାଡିୟମ ନିକଟରେ ଥିବା ହିଲଟନ୍ ହୋଟେଲରେ ରହୁଛି। ରାହୁଲ ମଧ୍ୟ ସେଠାରେ ରହି ନିୟମିତ ନିଜ ପ୍ରଶଂସକଙ୍କୁ ଦୈନନ୍ଦିନ ଜୀବନର ଝଲକ ଦେଖାଉଛନ୍ତି। ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଓ ଆକର୍ଷଣୀୟ ଫଟୋ ପ୍ରକାଶ କରି ସେ ଲେଖିଥିଲେ ଯେ ‘‘ସୂର୍ଯ୍ୟକିରଣ ଓ ସୁନ୍ଦର ଭାବନା’’। ଏହି ଫଟୋକୁ ଦେଖିବା ପରେ ଅନ୍ୟତମ ଯୁବ ଭାରତୀୟ କ୍ରିକେଟର ତାଙ୍କୁ ମଜାଦାର ପ୍ରଶ୍ନ ପଚାରି ଏଭଳି ସ୍ଥାନ ତୁମେ କେଉଁଠୁ ଖୋଜି ପାଉଛ ବୋଲି ପ୍ରତିକ୍ରିୟା ଦେଇଥିଲେ। ହୋଟେଲ ରୁମ୍‌ରେ କିଭଳି ତାଙ୍କ ସମୟ କଟୁଛି ତାର ଝଲକ ଦେବାକୁ ଯାଇ ରାହୁଲ ମଧ୍ୟ କଫି ପିଉଥିବା ଏବଂ ବାଲକୋନିରୁ ସୂର୍ଯ୍ୟାସ୍ତର ମଜା ନେଉଥିବାର ଫଟୋ ପ୍ରଶଂସକଙ୍କ ପାଇଁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର