ଗୋଟିଏ ଓଭରରେ ୩୦ ରନ୍ ବ୍ୟୟ କଥାକୁ ମନେପକାଇଲେ ଈଶାନ୍ତ
‘ଦେଶ ସହ ବିଶ୍ବାସଘାତ କଲା ଭଳି ଲାଗିଥିଲା, ପ୍ରେମିକାଙ୍କୁ ଫୋନ୍ କରି ସାରା ରାତି କାନ୍ଦିଥିଲି’
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଜେମ୍ସ ଫକନର ୨୦୧୩ରେ ଭାରତ ବିପକ୍ଷ ଏକ ମ୍ୟାଚ୍ରେ ଈଶାନ୍ତ ଶର୍ମାଙ୍କ ଗୋଟିଏ ଓଭରରେ ୩୦ ରନ୍ ସଂଗ୍ରହ କରିଥିଲେ। ଏହି ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଈଶାନ୍ତ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ମୋହାଲିରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ସମ୍ମୁଖରେ ବିଜୟ ଲାଗି ୧୮ ବଲ୍ରେ ୪୪ ରନ୍ ଆବଶ୍ୟକ ଥିଲା। ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୋଲିଂ ଲାଗି ଈଶାନ୍ତଙ୍କୁ କହିଥିଲେ। ଏହି ଓଭରରେ ଈଶାନ୍ତ ୩୦ ରନ୍ ବ୍ୟୟ କରିଥିଲେ। ଭାରତର ୩୦୪ ରନ୍ର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ହାସଲ କରିବା ସହ ୨-୧ରେ ଶୃଙ୍ଖଳା ଆଗୁଆ ହୋଇଥିଲା। ୨୯ ବଲ୍ରୁ ୬୪ ରନ୍ କରିଥିବା ଫକନର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କିନ୍ତୁ ଏହି ଦିନିକିଆ ପରେ ଈଶାନ୍ତ ଦଳରୁ ବାଦ୍ ପଡ଼ିଥିଲେ।
ସେହି ସମୟରେ ମୁଁ ଭାବିଥିଲି ଯେ ନିଜ ପ୍ରତି ଏବଂ ଦେଶ ପ୍ରତି ବିଶ୍ୱାସଘାତକତା କରିଛି। ଦୁଇ-ତିନି ସପ୍ତାହ ମୁଁ କାହା ସହିତ କଥାବାର୍ତ୍ତା କଲିନି, ଖାଲି କାନ୍ଦିଲି। ମୋର ଏଭଳି ଅବସ୍ଥା ପୂର୍ବରୁ କେବେ ଦେଖି ନଥିଲେ ବୋଲି ମୋ ମା’ କହିଥିଲେ। ମୁଁ ମଧ୍ୟ ମୋ ପ୍ରେମିକାକୁ ଫୋନ୍ କରି ପିଲା ଭଳି କାନ୍ଦିଥିଲି। ସେହି ତିନି ସପ୍ତାହ ମୋ ପାଇଁ ଦୁଃସ୍ୱପ୍ନ ପରି ଥିଲା। ଖାଇବା ବନ୍ଦ କରିଦେଇଥିଲି। ଶୋଇପାରୁ ନଥିଲି କି କିଛି କାମ ବି କରିପାରୁନଥିଲି। ଟିଭି ଖୋଲିଲା ବେଳେ ଲୋକମାନେ ମୋତେ ସମାଲୋଚନା କରୁଥିଲେ ଯାହା ଅଧିକମାତ୍ରାରେ କଷ୍ଟ ଦେଉଥିଲା ବୋଲି ଈଶାନ୍ତ କହିଛନ୍ତି।
ଏବେ ଯେତେବେଳେ ଏହି କଥା ମନେ ପଡ଼େ ମୋତେ ହସ ଲାଗିଥାଏ। କାରଣ ଏହା ମୋ ପାଇଁ ଏକ ପ୍ରକାର ଆଶୀର୍ବାଦ ଥିଲା ବୋଲି ଭାବୁଛି। ଫକ୍ନରଙ୍କ ବିପକ୍ଷ ସେହି ମହାଙ୍ଗା ଓଭର ମୋ ଜୀବନରେ ମୋଡ଼ ବଦଳାଇ ଦେଇଥିଲା। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଭୁଲ୍ ସୁଧାରି ସଫଳତା ପାଇଥିଲି ବୋଲି ଈଶାନ୍ତ କହିଛନ୍ତି। ୩୦୦ ଟେଷ୍ଟ୍ ୱିକେଟ୍ କ୍ଲବ୍ରେ ସାମିଲ ହେବାକୁ ଈଶାନ୍ତଙ୍କୁ ଆଉ ୩ ୱିକେଟ୍ ଦରକାର। ସେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ପୂରଣ କରିବା ଆଶାରେ ଅଛନ୍ତି।