ଆଉ ୩୧ ଦିନ, ହକିର ରୋଚକ ଇତିହାସ

ଭୁବନେଶ୍ବର: ପୃଥିବୀର ଅନ୍ୟତମ ଲୋକପ୍ରିୟ ଖେଳ ହକି ଏକ ପ୍ରାଚୀନ ଖେଳ, ଏହାର କିମ୍ବଦନ୍ତୀ ବେଶ ରୋଚକ। ହକି ଶବ୍ଦର ନାମକରଣ ଇଂରାଜୀ ଶବ୍ଦ ‘ହୁକ୍‌’ (Hook)ରୁ ଉତ୍ପନ୍ନ ହୋଇଥିଲା। ଏହି ଖେଳରେ ବ୍ୟବହୃତ ‘ହକିଷ୍ଟିକ୍‌’ର ଆକାରକୁ ନେଇ ଏହାର ନାମକରଣ ଏପରି ହୋଇଥିବାର ଅନୁମ‌ାନ କରାଯାଏ। ଗ୍ରିସ, ଇଜିପ୍ଟ, ଇଥିଓପିଆ ଆଦି ଦେଶରେ ହଜାର ହଜାର ବର୍ଷ ତଳୁ ହକି ଖେଳାଯାଉଥିବାର ପ୍ରମାଣ ଏଠାକାର ବିଭିନ୍ନ ପ୍ରସ୍ତର ଓ ଶିଳାଲେଖରୁ ମିଳିଥାଏ। ଆଧୁନିକ ବିଶ୍ବରେ ୧୮୧୩ ମସିହାରେ ଇଂଲଣ୍ଡର କେମ୍ବ୍ରିଜ୍‌ସିୟରଠାରେ ପ୍ରଥମ ହକି ମ୍ୟାଚ୍‌ ହୋଇଥିବାର ସୂଚନା ମିଳିଥାଏ। ହକିର ଉଦ୍ଭବକୁ ନେଇ ବିଭିନ୍ନ ସମୟରେ ବିଶ୍ବର ଅନେକ ରାଷ୍ଟ୍ର ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥାନ୍ତି। ଇଂଲଣ୍ଡ ଓ ହଲାଣ୍ଡ ଦେଶର ଅଧିବାସୀମାନେ ଶୀତଦିନେ ମନୋରଂଜନ ପାଇଁ ‘ୱିଣ୍ଟର ହକି’ ଖେଳୁଥିବାର ଦାବି କରୁଥିବା ବେଳେ ରୁଷୀୟମାନେ ନିଜ ପୂର୍ବଜଙ୍କୁ ହକିର ସୃଷ୍ଟିକର୍ତ୍ତା ଭାବେ ବିବେଚନା କରନ୍ତି। ତେବେ‌ ହକିର ପ୍ରକୃତ ଫର୍ମାଟ ଅଷ୍ଟ୍ରିଆର ଫିନ୍‌ଲାଣ୍ଡ୍‌ ଦେଶରେ ଦେଖିବାକୁ ମିଳିଥିଲା। ସେଠାରେ ଥଣ୍ଡା ଦିନେ ବିସ୍ତୀର୍ଣ୍ଣ ତୃଣଭୂମିରେ ବର୍ଷର ଅଧିକାଂଶ ସମୟ ବରଫ ଜମା ହୋଇ ରହୁଥିଲା। ସେହି ବରଫାବୃତ୍ତ ସମତଳ ଅଞ୍ଚଳ ଉପରେ ସେଠାକାର କିଛି ଉଦୀୟମାନ ଯୁବକଙ୍କ ଦ୍ବାରା ଏହି ଖେଳ ଆରମ୍ଭ ହୋଇଥିଲା। ସେମାନେ ପରବର୍ତୀ ସମୟରେ ‘ବ୍ୟୁରି ଫେନ୍‌ ବ୍ୟାଣ୍ଡି କ୍ଲବ୍‌’ ନାମକ ଏକ ସଂଗଠନ ସୃଷ୍ଟି କରି ହକି ସମ୍ବଳିତ ବିଭିନ୍ନ ନିୟମାବଳୀ ପ୍ରସ୍ତୁତ କରିଥିଲେ। ପରବର୍ତୀ ସମୟରେ ସ୍ଥାନୀୟ ଅଞ୍ଚଳ ଗୁଡ଼ିକରେ ହକି ଅନୁରାଗୀ ବ୍ୟକ୍ତିମାନେ ବିଭିନ୍ନ ହକି କ୍ଲବ୍‌ ଗଠନ କରିଥିଲେ।

୧୯୦୨ ମସିହାରେ ସ୍ବିଡେନ୍‌ରେ ବିଭିନ୍ନ ୟୁରୋପୀୟ ଦେଶଗୁଡ଼ିକୁ ନେଇ ହକି ମ୍ୟାଚ୍‌ର ଆୟୋଜନ କରାଗଲା। ୧୯୫୫ ମସିହାରେ ସୋଭିଏତ୍‌ ୟୁନିୟନ୍‌ରେ ହକି ପ୍ରିୟ ଦେଶଗୁଡ଼ିକ ମିଳିତ ହୋଇ ‘ଅନ୍ତର୍ଜାତିକ ହକି ‌ମହାସଂଘ’ ଗଠନ କଲେ। ପରବର୍ତୀ ସମୟରେ ହକିକୁ ନେଇ ବିଭିନ୍ନ ସଂଗଠନ ଓ ଦେଶରେ ପ୍ରସ୍ତୁତ ହୋଇଥିବା ଅନୌପଚାରିକ ନିୟମ ଗୁଡ଼ିକ‌ର ପରସ୍ପର ବିରୋଧଭାସର ଯୁଗ ଆରମ୍ଭ ହେ‌ଲା। କ୍ରମଶଃ ହକି ସହ ଫୁଟ୍‌ବଲ୍‌ର ପ୍ରାଧାନ୍ୟ ମଧ୍ୟ ବୃଦ୍ଧି ପାଇଲା। ବିଶ୍ବ କ୍ରୀଡ଼ା ଇତିହାସରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଉଭୟ କ୍ରୀଡ଼ା ନିଜର ଦବ୍‌ଦବା ଜାହିର କରି ରହିଲେ। ପରବର୍ତୀ ସମୟରେ ‘ଆଇସ୍‌ ହକି’ର ବ୍ୟାପକ ପରିବର୍ତନ ହୋଇ ଏହା ଆଧୁନିକ ‘ଫିଲ୍ଡ ହକି’ର ରୂପ ନେଲା। କ୍ରମଶଃ ଫିଲ୍ଡ ହକି ସଂଘ ଗୁଡ଼ିକ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ପକ୍ଷରୁ ସ୍ବୀକୃତି ଲାଭ କଲା। ୧୯୦୮ ମସିହାରେ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ପୁରୁଷ ହକି ସ୍ଥାନ ପାଇଥିଲା। ପରବର୍ତୀ ସମୟରେ ଏଥିରେ ଅନିୟମିତତା ଦେଖାଯିବାରୁ ହକି ପ୍ରେମୀ ଦେଶଗୁଡ଼ିକ ମିଶି ୧୯୨୪ରେ ଆନ୍ତର୍ଜାତିକ ହକି ମହାସଂଘ ଗଠନ କଲେ। ଏହା ବିଶ୍ବ ହକିର ସ୍ଥାୟିତ୍ବ ଦିଗରେ ପଦକ୍ଷେପ ଗ୍ରହଣ କରି ସଫଳ ହେଲା। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ମହିଳା ହକିକୁ ପ୍ରଥମଥର ସାମିଲ କରାଯାଇଥିଲା।

ଭାରତରେ ୧୯୮୫ ମସିହାରେ କୋଲ୍‌କାତାଠାରେ ପ୍ରଥମ ହକି କ୍ଲବ୍‌ ସ୍ଥାପିତ ହୋଇଥିଲା। କ୍ରମଶଃ ସ୍ଥାନୀୟ ମ୍ୟାଚ୍‌ ଗୁଡ଼ିକରୁ ଆରମ୍ଭ ହୋଇ ଭାରତର ବିଭିନ୍ନ ସ୍ଥାନରେ ବୃହତ ପ୍ରତିଯୋଗିତା ଆୟୋଜିତ ହେଲା। ୧୯୨୮ ଅଲିମ୍ପିକ୍ସରେ ଭାରତ ପ୍ରଥମ ଅଣ-ୟୁରୋପୀୟ ରାଷ୍ଟ୍ର ଭାବରେ ସ୍ବର୍ଣ୍ଣପଦକ ଲାଭ କରି ଇତିହାସ ରଚିଲା। ଏହାପରେ ୧୯୬୦ ମସିହା ପର୍ଯ୍ୟନ୍ତ ଭାରତ ବିଶ୍ବକପ୍‌ରେ ଅପରାଜେୟ ହୋଇ ରହିଥିଲା। ଅନ୍ତର୍ଜାତିକ ସ୍ବୀକୃତି ଲାଭ କରିବା ପରେ ଭାରତ ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିରୋଧରେ ଖେଳିଥିଲା। ୧୯୨୫ ମସିହାରେ ଗ୍ବାଲିୟରଠାରେ ‘ଇଣ୍ଡିଆନ୍‌ ହକି ଫେଡେ‌େରସନ୍‌’ ଗଠିତ ହୋଇଥିଲା। ୨୦୦୯ ମସିହାରୁ ଏହା ‘ହକି ଇଣ୍ଡିଆ’ ନାମରେ ଭାରତୀୟ ହକିକୁ ପରିଚାଳିତ କରି ଆସୁଛି।

ସମ୍ବନ୍ଧିତ ଖବର