ଆଉ ୩୧ ଦିନ, ହାଲେସ୍ ୩ ସପ୍ତାହ ବାସନ୍ଦ

ଲଣ୍ଡନ: ନିଶା ସେବନ କରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହାଲେସ୍ ତିନି ସପ୍ତାହ ପାଇଁ ବାସନ୍ଦ ହୋଇଛନ୍ତି। ଇଂଲଣ୍ଡ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ହାଲେସ୍ ନିକଟରେ କରାଯାଇଥିବା ନିଶା ସେବନ ପରୀକ୍ଷାରେ ବିଫଳ ହେବା ପରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି। ଲଗାତାର ଦ୍ବିତୀୟ ପରୀକ୍ଷଣରେ ବିଫଳ ହେବା ପରେ ନଟିଂହାମସାୟାର ପକ୍ଷରୁ‌ ଖେଳୁଥିବା ହାଲେସ୍ ରୟାଲ ଲଣ୍ଡନ କପ୍‌ରୁ ମଧ୍ୟ ଓହରିବାକୁ ବାଧ୍ୟ ହୋଇଥିଲେ। ବିଶ୍ବକପ୍ ଦଳ ଘୋଷଣା ବେଳେ କିନ୍ତୁ ଏହି ପରୀକ୍ଷଣର ରିପୋର୍ଟ ଆସି ନଥିଲା। ପ୍ରତି ଋତୁ ଆରମ୍ଭରୁ ପାରମ୍ପରିକ ଭାବେ କରାଯାଉଥିବା ଖେଳାଳିଙ୍କ କେଶ ପରୀକ୍ଷଣରୁ ହିଁ ହାଲେସ୍ ନିଶା ସେବନ କରୁଥିବା ଜଣାପଡ଼ିଥିଲା। ଆଉ ଥରେ ଏହି ପରୀକ୍ଷଣରେ ବିଫଳ ହେଲେ ସେ ବିଶ୍ବକପରୁ ବାଦ୍ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। କିଛି ଦିନ ତଳେ ନାଇଟ୍ କ୍ଲବ୍ ଗଣ୍ଡଗୋଳ ପାଇଁ ଇଂଲଣ୍ଡ କ୍ରିକେଟ୍ ‌ବୋର୍ଡ ତାଙ୍କୁ ୬ ମ୍ୟାଚ୍‌ରୁ ବାସନ୍ଦ କରିବା ସହ ୧୭,୫୦୦ ପାଉଣ୍ଡ ଜରିମାନା କରିଥିଲା। ପରେ ସେଥିମଧ୍ୟରୁ ଚାରିଟି ମ୍ୟାଚ୍‌ର ବାସନ୍ଦାଦେଶକୁ ଉଠାଇ ନିଆଯାଇଥିଲା।

ସମ୍ବନ୍ଧିତ ଖବର