କଟକ: ଆସନ୍ତା ୨୩ ତାରିଖରୁ ଅନ୍ତଃଜିଲ୍ଲା ସିନିଅର ଫୁଟ୍ବଲ ଚାମ୍ପିଅନ୍ସିପ୍ ସାହାଣୀ କପ୍ କଟକ ଓ ଭୁବନେଶ୍ବରର ବିଭିନ୍ନ ଖେଳ ପଡିଆରେ ଆରମ୍ଭ ହେବ। ଏନେଇ ଶୁକ୍ରବାର ଫୁଟ୍ବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ସାହାଣୀ କପ୍କୁ ଭିନ୍ନ ଢଙ୍ଗରେ ଆୟୋଜନ କରାଯାଉଛି। ଫାଓ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ ସହଯୋଗରେ ଆୟୋଜିତ ସାହାଣୀ କପ୍ରେ ଏଥର ୩୧ ଦଳ ଅଂଶଗ୍ରହଣ କରୁଥିଲା ବେଳେ ମୋଟ ୬୨ ମ୍ୟାଚ୍ ଖେଳାଯିବ। ସମସ୍ତ ୩୧ ଦଳକୁ ୮ଟି ଗ୍ରୁପ୍ରେ ଭାଗ କରାଯାଇଛି। ୭ଟି ଗ୍ରୁପରେ ୪ ଲେଖାଏଁ ଏବଂ ଗୋଟିଏ ଗ୍ରୁପ୍ରେ ତିନିଟି ଦଳ ରହିଛନ୍ତି। ଗ୍ରୁପ୍ ମ୍ୟାଚ୍ଗୁଡିକ ସିଙ୍ଗଲ୍ ଲେଗ୍ ଲିଗ୍ ଫର୍ମାଟରେ ଖେଳାଯିବ। ପ୍ରତି ଗ୍ରୁପ୍ରୁ ଶ୍ରେଷ୍ଠ ଦଳ ହିଁ କ୍ବାର୍ଟରଫାଇନାଲକୁ ଯୋଗ୍ୟତା ହାସଲ କରିବେ। ସେହିଭଳି ପ୍ରତି ଗ୍ରୁପ୍ରୁ ଚୟନ ହୋଇଥିବା ୮ ଦଳକୁ ୨ଟି ଗ୍ରୁପ୍ ରେ ବିଭକ୍ତ କରାଯିବ। ସେମାନେ ଲିଗ୍ ଫର୍ମାଟରେ ମ୍ୟାଚ୍ ଖେଳିବେ। ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ମ୍ୟାଚ୍ ଡବଲ ଲେଗ୍ ଫର୍ମାଟରେ ଅନୁଷ୍ଠିତ ହେବ। ପ୍ରତିଦିନ ଦୁଇଟି ମ୍ୟାଚ୍ର ସିଧାପ୍ରସାରଣ ଫାଓର ଅଫିସିଆଲ ଫେସ୍ ବୁକ ପେଜ୍ ଓ ସ୍ପୋର୍ଟସ କେପିଏଲ୍ ୟୁଟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ।
ଚଳିତ ବର୍ଷ ଫାଓ ପକ୍ଷରୁ ଆକର୍ଷଣୀୟ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଚାମ୍ପିଅନ୍ ଦଳକୁ ୧ଲକ୍ଷ, ରନର୍ସଅପ୍ ଦଳକୁ ୫୦ ହଜାର, ତୃତୀୟ ସ୍ଥାନ ଦଳକୁ ୨୫ ହଜାର ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସାହାଣୀ କପ୍ ଟ୍ରଫିକୁ ନୂଆ ଡିଜାଇନ୍ରେ ପ୍ରସ୍ତୁତ କରାଯାଇଛି। ଖାଣ୍ଟି ରୁପାରେ ଏହି ଟ୍ରଫି ପ୍ରସ୍ତୁତ କରାଯାଇଛି। ଏହି ଲିଗ୍ରୁ ସନ୍ତୋଷ ଟ୍ରଫି ପାଇଁ ଖେଳାଳି ଚୟନ କରାଯିବ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଫାଓ ସଂପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲିପ କୁମାର ସାହୁ, ହୃଦୟରଂଜନ ବେହେରା, ଯୁଗ୍ମ ସଂପାଦକ ଅଭିଜିତ୍ ପାଲ, ଫୁଟ୍ବଲ ଆମ୍ବାସଡର ତଥା ଅନ୍ତର୍ଜାତିକ ଫୁଟ୍ବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂହ, ସହଦେବ ରାଉତ, ତଡ଼ିତ କୁମାର ରାଉତ, ବୀରେନ୍ଦ୍ର ବେହେରା, ରମେଶ ମଲ୍ଲିକ, ମାନସ ସାମଲ, ପ୍ରଭାତ ମହାପାତ୍ର, ଗଙ୍ଗାଧର ବେହେରା ଓ ସୁନିଲ ମିତ୍ର ପ୍ରମୁଖ ସଦସ୍ୟ ଯୋଗଦେଇଥିଲେ।