ଆଉ ୩୨ ଦିନ: ୨୨ ଅମ୍ପାୟାରଙ୍କ ମଧ୍ୟରେ ଜଣେ ଭାରତୀୟ

ଦୁବାଇ: ଲଣ୍ଡନରେ ଆସନ୍ତା ମେ’ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ବକପ୍‌ ପାଇଁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଶୁକ୍ରବାର ଅମ୍ପାୟାରଙ୍କ ତାଲିକା ଘୋଷଣା କରିଛି। ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟ ପାଇଁ ୨୨ ଜଣିଆ ଅମ୍ପାୟାର ତାଲିକା ପ୍ରସ୍ତୁତ ହୋଇଛି। ଲିଗ୍‌ ପର୍ଯ୍ୟାୟରେ ମୋଟ ୪୮ ମ୍ୟାଚ୍‌ ଖେଳାଯିବାକୁ ଥିଲା ବେଳେ ସେଥିପାଇଁ ୧୬ ଅମ୍ପାୟାର ଏବଂ ୬ ମ୍ୟାଚ୍‌ ରେଫରିଙ୍କ ନାମ ଉପରେ ଚୂଡାନ୍ତ ମୋହର ଲାଗିଛି। ସେମଧ୍ୟରେ ତିନି ଜଣ ବିଶ୍ବ ବିଜେତା ଦଳର ସଦସ୍ୟ ରହିଥିଲା ବେଳେ ଜଣେମାତ୍ର ଭାରତୀୟ ସ୍ଥାନ ପାଇଛନ୍ତି। ବିଶ୍ବକପ୍‌ ମ୍ୟାଚ୍‌ ପରିଚାଳନା ପାଇଁ ପୁଣିଥରେ ସୁଯୋଗ ପାଇଥିବା ଏକମାତ୍ର ଭା‌ରତୀୟ ଅମ୍ପାୟାର ହେଲେ ସୁନ୍ଦରମ୍‌ ରବି। ରବି ଚଳିତ ଆଇପିଏଲ୍‌ ଅବସରରେ ନୋ-ବଲ୍‌ ବିବାଦକୁ ନେଇ ସମାଲୋଚିତ ହୋଇଥିଲେ। ଏକ ମ୍ୟାଚ୍‌ରେ ସିଂହଳୀ ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ନୋ-ବଲ୍‌କୁ ଠଉରାଇ ନପାରି ଭାରତୀୟ ଦଳ ତଥା ଆର୍‌ସିବି ଅଧିନାୟକ ବିରାଟ କୋହଲିଙ୍କ ଦ୍ବାରା ଅଧିକ ସମାଲୋଚିତ ହୋଇଥିଲେ। ତଥାପି ବିଶ୍ବକପ୍‌ ପାଇଁ ଆଇସିସି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି।

ଆଗାମୀ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଓଭାଲ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ତିନି ଜଣ ବିଶ୍ବବିଜେତା ଖେଳାଳିଙ୍କୁ ଅମ୍ପାୟାର ଭାବେ ଦେଖିବାକୁ ମିଳିବ। ସେମାନଙ୍କ ମଧ୍ୟରୁ ଡେଭିଡ୍‌ ବୁନ୍‌ ମ୍ୟାଚ୍‌ ରେଫରି ନିଯୁକ୍ତ ହୋଇଥିଲା ବେଳେ ପଲ୍‌ ରିଫେଲ୍‌ ତୃତୀୟ ଅମ୍ପାୟାର ଏବଂ କୁମାର ଧର୍ମସେନା ଅନ୍ୟତମ ପଡ଼ିଆ ଅମ୍ପାୟାର ରହିବେ। ସେହି ମ୍ୟାଚ୍‌ ପାଇଁ ଧର୍ମସେନାଙ୍କ ସହ ବ୍ରୁସ୍‌ ଅକ୍ସେନ୍‌ଫୋର୍ଡ ପଡ଼ିଆ ଅମ୍ପାୟାର ରହିଥିଲା ବେଳେ ଜୋଏଲ୍‌ ୱିଲ୍‌ସନ୍‌ ଚତୁର୍ଥ ଅମ୍ପାୟାର ରହିବେ। ବୁନ୍‌ ୧୯୮୭ରେ ବିଶ୍ବକପ୍‌ ଜିତିଥିବା ଆଲାନ୍‌ ବର୍ଡରଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲା ବେଳେ ରିଫେଲ୍‌ ୧୯୯୯ରେ ଷ୍ଟିଭ୍‌ ୱ’ଙ୍କ ନେତୃତ୍ବାଧୀନ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ଧର୍ମସେନା ୧୯୯୬ରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ବିଶ୍ବକପ୍‌ ଜିତିଥିବା ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବୁଠୁ ଅଭିଜ୍ଞ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗାଲେ ତାଙ୍କର ଷଷ୍ଠ ବିଶ୍ବକପ୍‌ ପରିଚାଳନା କରିବାକୁ ଯାଉଥିଲା ବେ‌ଳେ ଉଭୟ କ୍ରିସ୍‌ ବ୍ରଡ୍‌ ଓ ଜେଫ୍‌ କ୍ରୋ ନିଜ ନିଜର ଚତୁର୍ଥ ବିଶ୍ବକପ୍‌ ପରିଚାଳନା କରିବେ। ସମସ୍ତ ୨୨ ଜଣଯାକ ଅମ୍ପାୟାର ଓ ମ୍ୟାଚ୍‌ ଅଧିକାରୀ ବିଶ୍ବକପ୍‌ ପରିଚାଳନା ପାଇଁ ସମସ୍ତଙ୍କଠୁ ଶ୍ରେଷ୍ଠ ବୋଲି କହିଛନ୍ତି ଆଇସିସି ବରିଷ୍ଠ ମହାପ୍ରବନ୍ଧକ ଆଡ୍ରିଆନ୍‌ ଗ୍ରିଫ୍‌ଥ। ତେବେ ଲିଗ୍‌ ପର୍ଯ୍ୟାୟ ଶେଷରେ ସେମିଫାଇନାଲ୍‌ ପାଇଁ ଏବଂ ସେମିଫାଇନାଲ୍‌ ପରେ ପରେ ଫାଇନାଲ୍‌ ପାଇଁ ଅମ୍ପାୟାରଙ୍କ ତାଲିକା ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

ଅମ୍ପାୟାର ତାଲିକା: ଅଲିମ୍‌ ଦାର୍‌, କୁମାର ଧର୍ମସେନା, ମାରିଅସ୍‌ ଏରାସ୍‌ମସ୍‌, କ୍ରିସ୍‌ ଗାଫାନି, ଇଆନ୍‌ ଗୁଲ୍ଡ, ରିଚାର୍ଡ ଇଲିଂୱର୍ଥ, ରିଚାର୍ଡ କେଟେଲେବରୋ, ନିଜେଲ୍‌ ଲଙ୍ଗ୍‌, ବ୍ରୁସ୍‌ ଅକ୍ସନ୍‌ଫୋର୍ଡ, ସୁନ୍ଦରମ୍‌ ରବି, ପଲ୍‌ ରିଫେଲ, ରଡ୍‌ ଟକେର୍‌, ଜୋଏଲ୍‌ ୱିଲ୍‌ସନ୍‌, ମାଇକେଲ୍‌ ଗଗ୍‌, ରୁଚିରା ପାଲିୟାଗୁରୁଗେ, ପଲ୍‌ ୱିଲ୍‌ସନ୍‌। ମ୍ୟାଚ୍‌ ରେଫରି ତାଲିକା: କ୍ରିସ୍‌ ବ୍ରଡ୍‌, ଡେଭିଡ୍‌ ବୁନ୍‌, ଆଣ୍ଡି ପାଇକ୍ରଫ୍ଟ, ଜେଫ୍‌ କ୍ରୋ, ରଞ୍ଜନ ମଦୁଗାଲେ ଓ ରିଚି ରିଚାର୍ଡସନ୍‌।

ବିଶ୍ବକପ୍‌ ପରେ ଅବସର ନେବେ ଗୁଲ୍‌ଡ
ଇଂଲଣ୍ଡ ଅମ୍ପାୟାର ଇଆନ୍‌ ଗୁଲ୍‌ଡଙ୍କ ପାଇଁ ଆଗାମୀ ବିଶ୍ବକପ୍‌ ଚତୁର୍ଥ ହେବ। ସେ ମଧ୍ୟ ଶୁକ୍ରବାର ଘୋଷିତ ୧୬ ଜଣିଆ ଅମ୍ପାୟାର ତାଲିକାରେ ସାମିଲ ହୋଇଛନ୍ତି। ହେଲେ ନିଜ ଦେଶରେ ଆୟୋଜିତ ଏଥର ବିଶ୍ବକପ୍‌ ତାଙ୍କ ପାଇଁ ଶେଷ ହେବ। ଏହି ବିଶ୍ବକପ୍‌ ପରେ ସେ ଅବସର ନେଇଯିବେ ବୋଲି ଗୁଲ୍‌ଡ ଆଭାସ ଦେଇଛନ୍ତି। ଏଥି ସହିତ ଗୁଲ୍‌ଡଙ୍କ ୧୩ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନର ଅନ୍ତ ଘଟିବ। ଗୁଲ୍‌ଡ ଇଂଲଣ୍ଡ ପାଇଁ ୧୮ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୧୯୮୩ ବିଶ୍ବକପ୍‌ରେ ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ। ସେହି ବିଶ୍ବକପ୍‌ରେ ସେ ଇଂଲଣ୍ଡ ଦଳର ୱିକେଟ୍‌ରକ୍ଷକ ଥିଲେ।

ଏହାପରେ ସେ ୨୦୦୨ରେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ପ୍ରଥମ ଶ୍ରେଣୀ ଅମ୍ପାୟାର ତାଲିକାରେ ସାମିଲ ହେବା ସାଙ୍ଗକୁ ୨୦୦୬ରେ ଆନ୍ତର୍ଜାତିକ ଅମ୍ପାୟାର ଜୀବନ ଆରମ୍ଭ କରିଥିଲେ। ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରିଚାଳନା ଜରିଆରେ ସେ ଆନ୍ତର୍ଜାତିକ ଅମ୍ପାୟାର ଭାବେ ପଦାର୍ପଣ କରିଥିଲେ। ପୁଣି ଏହାର ଦୁଇ ବର୍ଷ ପରେ ପ୍ରଥମ ଟେଷ୍ଟ୍‌ (ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ) ପରିଚାଳନା କରିଥିଲେ। ୬୧ ବର୍ଷ ବୟସ୍କ ଗୁଲ୍‌ଡ ବ୍ୟକ୍ତିଗତ ଭାବେ ୭୪ ଟେଷ୍ଟ୍‌, ୧୩୫ ଦିନିକିଆ ଏବଂ ୩୭ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି।

ସମ୍ବନ୍ଧିତ ଖବର